You are currently viewing ଶ୍ରୀଗୁଣିଚା ମନ୍ଦିରରେ ମୁଣ୍ଡିଆମରା ପତିତପାବନ
ଶ୍ରୀଗୁଣିଚା ମନ୍ଦିରରେ ମୁଣ୍ଡିଆମରା ପତିତପାବନ

ପୁରୀ,୯/୯- ଶ୍ରୀମନ୍ଦିର ସିଂହଦ୍ଵାର ପ୍ରବେଶ କରିବା ବେଳେ ଶ୍ରୀପତିତପାବନକୁ ଦର୍ଶନ କରନ୍ତି ଭକ୍ତ । ଶ୍ରୀପତିତପାବନଙ୍କୁ ସହରବାସୀ ଓ ଭକ୍ତ ମାନେ ବଡଦାଣ୍ଡରୁ ଥାଇ ମୁଣ୍ଡିଆ ମାରିଲେ ପ୍ରଭୁଙ୍କୁ ଦର୍ଶନ କରିବା ପରି ଲାଗେ । ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିର ପଶ୍ଚିମ ଉତ୍ତର କୋଣ ପାଚେରୀରେ ବଡଦାଣ୍ଡକୁ ସ୍ପର୍ଶ କରିବା ବେଳେ ସେଠାରେ ରହିଛନ୍ତି ମୁଣ୍ଡିଆମରା ପତିତପାବନ । ଭକ୍ତ ସେଠାର ମୁଣ୍ଡିଆ ମାରିଲେ ଯେତିକି ପୂଣ୍ଯ ମିଳିଥାଏ , ସିଂହଦ୍ଵାର ପତିତପାବନଙ୍କୁ ମୁଣ୍ଡିଆ ମାରିଲେ ସେତିକି ପୂଣ୍ଯ ମିଳିଥାଏ ବୋଲି ବିଶ୍ଵାସ ରହିଛି ।

ମାଟିଆପଡା ଛକ ଠାରୁ ବଡଦାଣ୍ଡକୁ ଆସିବା ବେଳେ ପାଦଚଲା ଭକ୍ତ, ସାଇକେଲ, ବାଇକ, ତିନିଚକିଆ ଓ ଚାରି ଚକିଆ ଯାନରେ ଆସୁଥିବା ଭକ୍ତ ସେହିଠାରେ ମୁଣ୍ଡିଆ ମାରି ବଡଦାଣ୍ଡକୁ ପ୍ରବେଶ କରିଥାନ୍ତି । ମୁଣ୍ଡିଆମରା ପତିତପାବନଙ୍କୁ ଭକ୍ତ ମାନେ ସେହିଠାରେ ମୁଣ୍ଡିଆ ମାରୁଥିବାରୁ ତାଙ୍କର ନାମ ମୁଣ୍ଡିଆମରା ପତିତପାବନ ଭାବେ ପରିଚିତ । ସେଥିପାଇଁ ସେହି ଛକର ନାମ ମୁଣ୍ଡିଆ ମରା ଛକ ଓ ପାଖରେ ରହିଛି ମୁଣ୍ଡିଆ ମରା ଗଳି । ମୁଣ୍ଡିଆମରା ପତିତପାବନଙ୍କ ଦୈନନ୍ଦିନ ନୀତିକାନ୍ତି ପୂଜକ କରୁଛନ୍ତି । ମୁଣ୍ଡିଆମରା ପତିତପାବନଙ୍କ ପାଖରେ ମୁଣ୍ଡିଆମରା ମହାବୀର, ଶ୍ରୀ ଐଶାନେଶ୍ଵର ମହାଦେବ, ଶ୍ରୀ କାର୍ତ୍ତିକଶ୍ବର ଦେବ,ଶ୍ରୀଗଣେଶ,ହରପାର୍ବତୀ, ଶ୍ରୀବୃନ୍ଦାବତୀ, ଶ୍ରୀ କୃଷ୍ଣ, ଶ୍ରୀ ଗରୁଡ ଦେବ,ଶ୍ରୀଗୁଣ୍ଡିଚାରାଣୀ ଆଦି ଦେବଦେବୀଙ୍କ ପୂଜାର୍ଚ୍ଚନା କରାଯାଉଛି । ଭକ୍ତ, ଶ୍ରଦ୍ଧାଳୁ,ପୁରୀବାସୀ ମାନେ ସେଠାରେ ଦୀପ ବସାଇ ମୁଣ୍ଡିଆ ମାରି ଦୈନନ୍ଦିନ ନିଜ ନିଜର କର୍ମକ୍ଷେତ୍ରକୁ ଯାଆନ୍ତି । ପତିତପାବନକୁ ଦର୍ଶନ କରି ମହାପୂଣ୍ଯ ଅର୍ଜନ କରିଥାନ୍ତି ।