ବୌଦ୍ଧ: ଛାତ ଉପରେ ସୌରଶକ୍ତି ବ୍ୟବସ୍ଥା ସ୍ଥାପନକୁ ଅଧିକ ଲୋକପ୍ରିୟ କରିବା ସହ ଭାରତ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା’ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ପକ୍ଷରୁ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ‘ସୋଲାର ରଥ’ର ଶୁଭାରମ୍ଭ କରାଯାଇଛି। ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ବିଭୂତି ଭୂଷଣ ନାୟକ,ଆଇଏଏସ୍ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିରଞ୍ଚି ନାରାୟଣ ଦରୱାନଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ଟିପିଏସ୍ଓଡିଏଲ୍ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ପଦକ୍ଷେପର ଅଂଶସ୍ୱରୂପ ସୋଲାର ରଥ ବୌଦ୍ଧ ଜିଲ୍ଲାର ତିନୋଟି ଯାକ ବ୍ଲକ୍ର ସମସ୍ତ ଗ୍ରାମ ପଞ୍ଚାୟତ, ବିଦ୍ୟାଳୟ ଏବଂ ସ୍ଥାନୀୟ ହାଟ ତଥା ବଜାର ପରିକ୍ରମା କରିବ। ଏହି ଅଭିଯାନ ମାଧ୍ୟମରେ ଉପଭୋକ୍ତାଙ୍କ ସହ ସିଧାସଳଖ ଆଲୋଚନା କରାଯିବା ସହ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ସମ୍ବନ୍ଧୀୟ ସଚେତନତା ସାମଗ୍ରୀ ବଣ୍ଟନ କରାଯିବ। ଏଥିସହ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନର ଉପକାରିତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ।
ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଉପଲବ୍ଧ ଆର୍ଥିକ ସୁବିଧା ଏବଂ ସରକାରୀ ସବ୍ସିଡି ସମ୍ପର୍କରେ ଉପଭୋକ୍ତାଙ୍କୁ ଜଣାଇ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ ପ୍ରକ୍ରିୟାକୁ ସହଜ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଯୋଜନାରେ ଯୋଗ୍ୟ ଉପଭୋକ୍ତାମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସବ୍ସିଡି ବାବଦରେ ସର୍ବାଧିକ ୧.୩୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇପାରିବେ। ଫଳରେ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ ଅଧିକ ସୁଲଭ ଓ ସହଜ ହୋଇପାରିବ।

ଏହାବ୍ୟତୀତ, ଟିପିଏସ୍ଓଡିଏଲ୍ର ‘ୟୁଟିଲିଟି-ଲେଡ୍ ଆଗ୍ରିଗେସନ୍’ (ୟୁଏଲ୍ଏ) ମଡେଲ୍ ଅଧୀନରେ ଯୋଗ୍ୟ ଉପଭୋକ୍ତାମାନେ ମାତ୍ର ୧,୮୭୫ ଟଙ୍କା ଦେଇ ୧ କିଲୋୱାଟ୍ର ଛାତ ଉପର ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରିପାରିବେ। ଏହାଦ୍ୱାରା ସମାଜର ଅଧିକରୁ ଅଧିକ ଲୋକଙ୍କ ପାଇଁ ସ୍ୱଚ୍ଛ ଶକ୍ତିର ବ୍ୟବହାର ସମ୍ଭବ ହୋଇପାରିବ।
ସୋଲାର ରଥ ସହ ରହିଥିବା ‘ସୋଲାର ସାଙ୍ଗ’ମାନେ ଏହି ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ସେମାନେ ଉପଭୋକ୍ତାଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। ଏଥିସହ ଯୋଜନାର ସୁବିଧା, ଆବେଦନ ପ୍ରକ୍ରିୟା ଏବଂ ୟୁଏଲ୍ଏ ମଡେଲ୍ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇବେ। ତୃଣମୂଳ ସ୍ତରରେ ଏଭଳି ସଚେତନତା ଅଭିଯାନ ମାଧ୍ୟମରେ ଟିପିଏସ୍ଓଡିଏଲ୍ ଲୋକଙ୍କ ମଧ୍ୟରେ ଯୋଜନା ସମ୍ପର୍କରେ ଜାଗରଣ ସୃଷ୍ଟି କରିବା, ଅଧିକରୁ ଅଧିକ ଲୋକଙ୍କୁ ଏଥିରେ ସାମିଲ କରିବା ଏବଂ ସ୍ୱଚ୍ଛ ଓ ନିରନ୍ତର ଶକ୍ତି ଆଡ଼କୁ ଅଗ୍ରସର ହେବାରେ ଉପଭୋକ୍ତାଙ୍କୁ ସହଯୋଗ କରିବାକୁ ଲକ୍ଷ୍ୟ ରଖିଛି।
ଏହି ଅବସରରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି, “ଛାତ ଉପରେ ସୌରଶକ୍ତି ବ୍ୟବହାରର ସୁବିଧାକୁ ସିଧାସଳଖ ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ ସୋଲାର ରଥ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ବୌଦ୍ଧ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ଓ ଗ୍ରାମ ପଞ୍ଚାୟତର ଉପଭୋକ୍ତାମାନେ ଯେପରି ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଉପଲବ୍ଧ ସୁଯୋଗ ଓ ସୁବିଧା ସମ୍ପର୍କରେ ଜାଣିପାରିବେ, ତାହା ନିଶ୍ଚିତ କରିବା ଆମର ଲକ୍ଷ୍ୟ। ସିଧାସଳଖ ଯୋଗାଯୋଗ, ସଚେତନତା କାର୍ଯ୍ୟକ୍ରମ ଏବଂ ଆମର ୟୁଏଲ୍ଏ ମଡେଲ୍ ମାଧ୍ୟମରେ ସ୍ୱଚ୍ଛ ଶକ୍ତିକୁ ଅଧିକ ସୁଲଭ ଓ ସହଜରେ ଉପଲବ୍ଧ କରାଇବା ସହ ଭାରତର ଅକ୍ଷୟ ଶକ୍ତି କ୍ଷେତ୍ରର ଅଭିବୃଦ୍ଧିରେ ଯୋଗଦାନ ଦେବାକୁ ଆମେ ପ୍ରତିବଦ୍ଧ।”

ସୋଲାର ରଥ ଭଳି ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଟିପିଏସ୍ଓଡିଏଲ୍ ଅକ୍ଷୟ ଶକ୍ତିର ପ୍ରସାର, ଉପଭୋକ୍ତାଙ୍କୁ ସଶକ୍ତ କରିବା ଏବଂ ଏକ ସବୁଜ, ନିରନ୍ତର ଓ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ଭବିଷ୍ୟତ ଗଠନ ଦିଗରେ ଭାରତ ସରକାରଙ୍କ ଲକ୍ଷ୍ୟକୁ ସହଯୋଗ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଆହୁରି ମଜଭୁତ କରିଚାଲିଛି।
