You are currently viewing ପାତ୍ରପୁରରେ ଅବକାରୀ ବିଭାଗର ବଡ଼ ଚଢାଉ-୧୭ ହଜାର ଲିଟର ମହୁଲ ପୋଚ ଓ ୬୦୦ ଲିଟର ଦେଶୀ ରନ୍ଧା ମଦ ଜବତ
ପାତ୍ରପୁରରେ ଅବକାରୀ ବିଭାଗର ବଡ଼ ଚଢାଉ-୧୭ ହଜାର ଲିଟର ମହୁଲ ପୋଚ ଓ ୬୦୦ ଲିଟର ଦେଶୀ ରନ୍ଧା ମଦ ଜବତ

ପାତ୍ରପୁର — ଓଡ଼ିଶାରେ ଚାଲିଥିବା ଅବକାରୀ ସ୍ୱତନ୍ତ୍ର ଡ୍ରାଇଭ୍‌ ରେ ପାତ୍ରପୁର ବ୍ଲକରେ ମଙ୍ଗଳବାର ଦିନ ବଡ଼ଧରଣର ଚଢାଉ କରାଯାଇଛି। ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର ଏବଂ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ପ୍ରବୀନ କୁମାର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଓ ପୋଲିସ ବିଭାଗର ମିଳିତ ଟିମ୍‌ ପକ୍ଷରୁ ଏହି ଅଭିଯାନ କରାଯାଇଥିଲା।
ପାତ୍ରପୁର ବ୍ଲକର ଶାସନ, ରାମଚନ୍ଦ୍ରପୁର ଓ ଫଟକାସିଂ ଅଞ୍ଚଳରେ ଚଢାଉ କରାଯାଇ ମୋଟ ୧୭ ହଜାର ଲିଟର ମହୁଲ ପୋଚ ଓ ୬୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଅବୈଧ ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ମହୁଲ ପୋଚକୁ ନଷ୍ଟ କରାଯାଇଥିବା ଜଣାପଡ଼ିଛି।
ଚଢାଉରେ ପାତ୍ରପୁର ତହସିଲଦାର ଅଶୋକ ପଟ୍ଟନାୟକ, ଅବକାରୀ ଉପଅଧୀକ୍ଷିକା ସ୍ନେହଲତା ଦାସ, ଚିକିଟି ଅବକାରୀ ଥାନା ଅଧିକାରୀ ସଞ୍ଜୟ ଭୁକ୍ତା ଙ୍କ ସମେତ ଷ୍ଟାଫ୍ ସାମିଲ ହୋଇଥିଲେ। ସେହିପରି ବ୍ରହ୍ମପୁର-I, ବ୍ରହ୍ମପୁର-II, ଗୋପାଳପୁର ଓ ଗୋଳନ୍ଥରା ଅବକାରୀ ଥାନାର ଷ୍ଟାଫ୍, ଜରଡ଼ା ଥାନା ପୋଲିସ, ସଶସ୍ତ୍ର ରିଜର୍ଭ ପୋଲିସ ବଳ ଏବଂ ଆନ୍ଧ୍ରପ୍ରଦେଶ ଅବକାରୀ ଦଳ ଏହି ମିଳିତ ଅଭିଯାନରେ ସାମିଲ ହୋଇଥିଲେ। ଅବୈଧ ଦେଶୀ ମଦ ପ୍ରସ୍ତୁତି ଓ କାରବାର ଉପରେ ରୋକ ଲଗାଇବା ପାଇଁ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ୍‌କୁ ଜୋରଦାର କରାଯାଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏଭଳି ଚଢାଉ ଜାରି ରହିବ।