ପାଟପୁର: ପାଟପୁରସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନଭେମ୍ବର ୧୨ ଓ ୧୩ ତାରିଖରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଳକ କବାଡ଼ି ପ୍ରତିଯୋଗିତାର ଜୋନ୍-ଏଚ୍ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱାସ ରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଜୋନ୍ ଅନ୍ତର୍ଗତ ୧୧ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାଳକ ଦଳ ଅଂଶଗ୍ରହଣ କରିଥିଲେ।

ଦୁଇଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର ଫାଇନାଲ୍ରେ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୋଙ୍କୋରଡ଼ା ଏବଂ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମୁଣ୍ଡମରାଇ ମୁହାଁମୁହିଁ ହୋଇଥିଲେ। ଆରମ୍ଭରୁ ଉଭୟ ଦଳ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲେ ମଧ୍ୟ କଙ୍କୋରଡ଼ା ଦଳ ଶେଷ ପର୍ଯ୍ୟାୟ ରେ ୧୦ ପଏଣ୍ଟ ସହାୟତା ରେ ଖେଳ ବାଜିମାତ୍ କରିଥିଲା। ଫଳରେ କଙ୍କୋରଡ଼ା ୫୨–୪୨ ପଏଣ୍ଟରେ ବିଜୟୀ ହୋଇ ଜୋନ୍-ଏଚ୍ ବାଳକ କବାଡ଼ିରେ ଚାମ୍ପିୟନ୍ ହୋଇଥିଲା।

ଫାଇନାଲ୍ ପରେ ଆୟୋଜିତ ପୁରସ୍କାର ବିତରଣୀ ସମାରୋହରେ ବିଶ୍ୱାସ ରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନ କୁମାର ରଥ, କ୍ରୀଡ଼ା ଉପସଭାପତି ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ଓ ଷ୍ଟାଫ୍ କାଉନସିଲ୍ ସମ୍ପାଦକ ଡ଼. କୈଳାସ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ରହି ବିଜୟୀ ଦଳକୁ ମାନପତ୍ର ଏବଂ ଟ୍ରଫି ଦେଇ ପୁରସ୍କୃତ କରିଥିଲେ।

ପ୍ରତିଯୋଗିତାର ପରିଚାଳନାରେ ରାଜା ସିଂ, ମାଧବ ଖୁଣ୍ଟିଆ, ସମର କେଶରୀ ହାଜିରା ଏବଂ ଅନିଲ କୁମାର ସ୍ୱାଇଁ ଅମ୍ପାୟାର, ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୋମକାଇର ପ୍ରଦୀପ କୁମାର ପ୍ରଧାନ ରେଫରୀ, ସୁଶାନ୍ତ କୁମାର ପ୍ରଧାନ ସ୍କୋରର ଏବଂ ଶ୍ରୀକାନ୍ତ ଜେନା ଓ ପୀତବାସ ସୁଆଁସିଆ ଲାଇନ୍ ଅମ୍ପାୟାର ଭାବେ ଦାୟିତ୍ୱ ତୁଲାଇଥିଲେ। ଖେଳ ପରିଚାଳନାରେ ପାଟପୁରର ଫୋର୍ସ କ୍ଲବ୍ ପକ୍ଷରୁ ଉଲ୍ଲେଖନୀୟ ଭାବରେ ସହାୟତା ପ୍ରଦାନ କରା ଯାଇଥିଲା। ଉଲ୍ଲେଖ ଯୋଗ୍ୟ ଯେ ୧୪ ଟି ଜୋନ୍ ର ବିଜେତା ଙ୍କ ମଧ୍ୟରେ ଫାଇନାଲ ପ୍ରତିଯୋଗିତା ବର୍ତ୍ତିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବର୍ତ୍ତିନୀ ରେ ୧୭ ଏବଂ ୧୮ ନଭେମ୍ବର ରେ ଅନୁଷ୍ଠିତ ହେବ।

ପ୍ରତିଯୋଗିତା ଅବସରରେ ଖେଳାଳିମାନଙ୍କ ମଧ୍ୟରେ ଉତ୍ସାହ, ଶୃଙ୍ଖଳା ଓ କ୍ରୀଡ଼ା ମନୋଭାବ ପରିଲକ୍ଷିତ ହୋଇଥିଲା। ଆୟୋଜକ ବିଦ୍ୟାଳୟ ପକ୍ଷରୁ ପ୍ରତିଯୋଗିତାକୁ ସଫଳ କରିବା ପାଇଁ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା।

