You are currently viewing ବିଜେଡି ନେତା ଲଳିତ ମୋହନ ହତ୍ୟାକାଣ୍ଡ ମାମଲା : ୧୧ ଦିନ ପରେ ଅଭିଯୁକ୍ତ ରାମକୃଷ୍ଣ ଗିରଫ
ବିଜେଡି ନେତା ଲଳିତ ମୋହନ ହତ୍ୟାକାଣ୍ଡ ମାମଲା : ୧୧ ଦିନ ପରେ ଅଭିଯୁକ୍ତ ରାମକୃଷ୍ଣ ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଖମ୍ବାରୀ ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରତିନିଧି ତଥା ଛାମୁଆଁ ବିଜେଡି ନେତା ଲଳିତ ମୋହନ ମହାପାତ୍ର
ହତ୍ୟାକାଣ୍ଡ ମାମଲାର କେ . ନୂଆଗାଁ ପୋଲିସ ଶନିବାର ଦିନ ପର୍ଦ୍ଧାଫାଶ କରିଥିବା ଜଣାପଡିଛି । ଏପଟେ ହତ୍ୟାକାରୀ ବୋଲାଉଥିବା ମୁଖ୍ୟ ଅଭିଯୁକ୍ତ ରାମକୃଷ୍ଣ ମିଶ୍ରଙ୍କୁ ପୋଲିସ ଗତକାଲି ଝାରସୁଗୁଡ଼ା ବ୍ରଜରାଜ ନଗର ରେଳ ଷ୍ଟେସନରୁ ଗିରଫ କରି ଶନିବାର ଦିନ କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ଶ୍ରବଣ ବିବେକ ଏମ୍ ପକ୍ଷରୁ ସୂଚନା ଦିଆଯାଇଥିଲା । ଖବରପ୍ରକାରେ , ଗତ ୨୦ ତାରିଖ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଲଳିତ ମୋହନ ଓ ଅଭିଯୁକ୍ତ ରାମକୃଷ୍ଣଙ୍କ ମଧ୍ୟରେ ଖମ୍ବାରୀ ଗାଁ ନିକଟସ୍ଥ ଶଙ୍କର ଖାଳି ଗ୍ରାମ ଛକରେ କୌଣସି କାରଣରୁ କଥା କଟାକଟି ଏବଂ ପରେ ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ଗଣ୍ଡଗୋଳ ବନ୍ଦ ହୋଇଥିଲେ ମଧ୍ୟ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ ରାମକୃଷ୍ଣ ନିଜ କାର ( ଓଆର ୦୨ ବିଏ ୦୬୧୨) ଯୋଗେ ଲଳିତଙ୍କ ବାଇକ ( ଓଡି ୦୭ ୦୬୯୦ )କୁ ପିଛାକରି ଘରକୁ ଫେରୁଥିବା ସମୟରେ ଖମ୍ବାରୀ ଗାଁ ହାଇସ୍କୁଲ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ମଧ୍ଯବର୍ତ୍ତୀ ସ୍ଥାନରେ ଜାଣିଶୁଣି ମୋହନଙ୍କ ବୁଲେଟକୁ ପଛପଟୁ ଧକ୍କା ଦେଇଥିଲା । ଯାହାଫଳରେ ମୋହନ ରାସ୍ତା କଡରେ ଥିବା ଏକ ନଡ଼ିଆ ଗଛରେ ଜୋରରେ ପିଟିହୋଇ ଅଚେତ ଅବସ୍ଥାରେ ପଡି ଯାଇଥିଲେ । ଘଟଣାପରେ ରାମକୃଷ୍ଣ ଲଳିତ ମୋହନଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ନିଜ କାରରେ ଆଣି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାପରଠୁ ଅଭିଯୁକ୍ତ ରାମକୃଷ୍ଣ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ବେଡରେ ଲଳିତ ମୋହନଙ୍କୁ ଏକାକୀ ଛାଡିଦେଇ କାର ଯୋଗେ ଫେରାର ହୋଇଯାଇଥିଲେ । ଏନେଇ ଲଳିତଙ୍କ ଭାଇ ରଜତ ମହାପାତ୍ର କେ . ନୂଆଗାଁ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲିସ ଥାନା କେସ୍ ନଂ ୨୧୧/୨୩ ପ୍ରକାରେ ମାମଲା ରୁଜୁ କରିି ତଦନ୍ତ ଚଳାଇବା ସହ ହତ୍ୟାକାରୀକୁ କାବୁ କରିବା ପାଇଁ ବ୍ରହ୍ମପୁର ଏସ୍ ପି ଙ୍କ ନିର୍ଦ୍ଦେଶକ୍ରମେ ଚିକିଟି ଏସ୍ ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ଏବଂ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ଏକ ଟିମ୍ ଗଠନ କରି ଅନୁସନ୍ଧାନ ଜାରୀ ରଖିଥିଲେ । ଏପଟେ ଅଭିଯୁକ୍ତ ଜଣକ ଦୀର୍ଘ ୧୧ ଦିନ ପୋଲିସକୁ ନାକେଦମ କରିବା ସହ ବ୍ରହ୍ମପୁର ରେଳଷ୍ଟେସନରେ ନିଜ କାର ରଖି ହରିଦ୍ଵାର ଲୁଚି ପଳାଇଥିଲା । ଏପଟେ ପୋଲିସ ପୂର୍ବରୁ କାରକୁ ଚିହ୍ନଟ କରି ୨୬ ତାରିଖରେ ଜବତ କରିଥିଲା । ତେବେ ଶୁକ୍ରବାର ସକାଳୁ ରାମକୃଷ୍ଣ ଏକ ଟ୍ରେନ ଯୋଗେ ଓଡ଼ିଶା ଫେରୁଥିବା ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇ ଝାରସୁଗୁଡ଼ା ବ୍ରଜରାଜ ନଗର ରେଳ ଷ୍ଟେସନରେ ପୋଲିସ ଛକି ବସିଥିଲା । ଟ୍ରେନ ଷ୍ଟେସନରେ ପହଞ୍ଚିବା କ୍ଷଣି ପୋଲିସ ରାମକୃଷ୍ଣଙ୍କୁ ଗିରଫ କରିବା ସହ ଝାରସୁଗୁଡ଼ା କୋର୍ଟରେ ହାଜର କରିବା ପରେ ୨ ଦିନିଆ ରିମାଣ୍ଡରେ ଚିକିଟି ଅଣାଯାଇଥିଲା । ଏହାପରେ ଅଭିଯୁକ୍ତ ରାମକୃଷ୍ଣ ପୋଲିସ ସମ୍ମୁଖରେ ଘଟଣାର ସତ୍ୟତା ବଖାଣିବା ସହ ଜାଣିଶୁଣି ମାରିବା ମଧ୍ୟ ସ୍ବୀକାର କରିଥିଲେ । ତେବେ ଏହି ହତ୍ୟାକାଣ୍ଡ ପଛରେ କୌଣସି ରାଜନୈତିକ ଓ ପୂର୍ବ ଶତ୍ରୁତା ନଥିବା ପୋଲିସ ଆଗରେ ପ୍ରତିକ୍ରିୟା ରଖିଛନ୍ତି ହତ୍ୟାକାରୀ ଜଣକ । ଅପରପକ୍ଷରେ ଶନିବାର ଦିନ ପୋଲିସ ଅଭିଯୁକ୍ତ ରାମକୃଷ୍ଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଅଭାବରୁ ଜେଲ ହାଜତକୁ ପଠାଇଥିବା ଜଣାପଡିଛି । ଅନ୍ୟପକ୍ଷରେ ପରିବାର ଲୋକେ ଓ ବିଜୁ କର୍ମୀମାନେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ତେବେ ଏହି ହତ୍ଯା ପଛରେ ଅନ୍ୟ କିଛି ବିରୋଧୀ ନେତା ସଂପୃକ୍ତ ରହିଥିବା ତାହାର ଖୋଳତାଡ଼ କରିବା ପାଇଁ ପରିବାର ଲୋକେ କହିଛନ୍ତି ଯାହାକି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା