ପୁରୀ,୧୦/୬ -ପୁରୀ ବନଖଣ୍ଡ ଅନ୍ତର୍ଗତ ବ୍ରହ୍ମଗିରି ରେଞ୍ଜର ଦିହାପୁର ଓ ଗୋବିନ୍ଦପୁର ଗ୍ରାମରେ ଚାଲୁଥିବା ଦୁଇଟି ବେଆଇନ କରତକଳ ଉପରେ ବନ ବିଭାଗର ସଫଳ ଚଢ଼ାଉ କରି ସରଞ୍ଜାମ ଜବତ କରିଛି |

ସ୍ଥାନୀୟ ବିଦ୍ୟୁତ ବିଭାଗର ଭୂମିକାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଜଙ୍ଗଲ ସମ୍ପଦ ଲୁଟ୍ ଓ ପରିବେଶ ଧ୍ୱଂସ ସହ ଜଡ଼ିତ ଏହି ବେଆଇନ ବ୍ୟବସାୟ ଦୀର୍ଘଦିନ ଧରି ଚାଲୁଥିବା ବେଳେ ସମ୍ପୃକ୍ତ ବିଭାଗମାନଙ୍କର ନିରବତାକୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।ବନ ବିଭାଗର ଚଢ଼ାଉ ବେଳେ ଜବତ ହୋଇଥିବା ବ୍ୟାଣ୍ଡସ, ମୋଟର, ଟ୍ରଲି, ବ୍ଲେଡ୍, ଟ୍ରାକ୍ ଓ ଅନ୍ୟାନ୍ୟ ଶକ୍ତିଶାଳୀ ବୈଦ୍ୟୁତିକ ଯନ୍ତ୍ରପାତିରୁ ସ୍ପଷ୍ଟ ହେଉଛି ଯେ, ଏହି କରତକଳଗୁଡ଼ିକ ସାଧାରଣ ଘରୋଇ ବିଦ୍ୟୁତ ସଂଯୋଗରେ ଚାଲିବା ସମ୍ଭବ ନୁହେଁ। ଏହା ପାଇଁ ନିୟମିତ ଓ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ ଯୋଗାଣ ଆବଶ୍ୟକ ହୋଇଥିବା ଅଭିଯୋଗ ହୋଇଛି ।

ସ୍ଥାନୀୟ ଅଞ୍ଚଳରେ ଏଭଳି ଅଭିଯୋଗ ଶୁଣିବାକୁ ମିଳୁଛି ଯେ, ଏତେ ବଡ଼ ଆକାରର ବେଆଇନ କାରବାର ଦୀର୍ଘ ଦିନ ଧରି ଚାଲିଥିଲେ ମଧ୍ୟ ବିଦ୍ୟୁତ ବିଭାଗ ଏହା ସମ୍ପର୍କରେ ଅବଗତ ନଥିବା କଥା ସହଜରେ ବିଶ୍ୱାସଯୋଗ୍ୟ ହୋଇପାରୁନି ବୋଲି ଆଲୋଚନା ହେଉଛି । ଅନେକ ଲୋକଙ୍କ ମତରେ, ଯଦି ନିୟମିତ ଯାଞ୍ଚ ଓ ନିରୀକ୍ଷଣ କରାଯାଇଥାନ୍ତା, ତେବେ ଏହି ବେଆଇନ କରତକଳଗୁଡ଼ିକ ବହୁ ପୂର୍ବରୁ ଠାବ ହୋଇପାରିଥାନ୍ତା।

ଏହାକୁ ନେଇ କେତେକ ସାମାଜିକ କର୍ମୀ ଓ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି ଯେ, ବଡ଼ ବଡ଼ କଳା ବ୍ୟବସାୟୀମାନେ ଦୀର୍ଘଦିନ ଧରି ବିପୁଳ ପରିମାଣର ବିଦ୍ୟୁତ ବ୍ୟବହାର କରୁଥିବା ବେଳେ ସାଧାରଣ ଉପଭୋକ୍ତାଙ୍କ ଉପରେ କ୍ରମାଗତ ଭାବେ ବିଦ୍ୟୁତ ଦର ବୃଦ୍ଧିର ବୋଝ ଲଦାଯାଉଛି। ଏଭଳି ପରିସ୍ଥିତିରେ ବିଦ୍ୟୁତ ବିଭାଗର ଭୂମିକା ଓ ଦାୟିତ୍ୱକୁ ନେଇ ନିରପେକ୍ଷ ତଦନ୍ତ ଦାବି ହେଉଛି।
ପରିବେଶବିତ୍ମାନଙ୍କ ମତରେ, ବେଆଇନ କରତକଳ କେବଳ ବନ ସମ୍ପଦର କ୍ଷୟକ୍ଷତି ଘଟାଏ ନାହିଁ, ବରଂ ଜୈବ ବିବିଧତା, ବର୍ଷାଚକ୍ର ଓ ପରିବେଶ ସନ୍ତୁଳନ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଏ।

ତେଣୁ କେବଳ କରତକଳ ମାଲିକଙ୍କ ବିରୋଧରେ ନୁହେଁ, ଏଭଳି ବେଆଇନ କାର୍ଯ୍ୟକଳାପକୁ ପରୋକ୍ଷରେ ସହଯୋଗ କରୁଥିବା କିମ୍ବା ଜାଣିଶୁଣି ଅବହେଳା କରୁଥିବା ବ୍ୟକ୍ତି ଓ ବିଭାଗମାନଙ୍କ ଭୂମିକାର ମଧ୍ୟ ତଦନ୍ତ ହେବା ଆବଶ୍ୟକ।
ବିଦ୍ୟୁତ ବିଭାଗ ବିରୋଧରେ ଉଠୁଥିବା ଏହି ଅଭିଯୋଗଗୁଡ଼ିକର ସରକାରୀ ଭାବେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ବନ ବିଭାଗର ଚଢ଼ାଉ ପରେ ସମଗ୍ର ଘଟଣାର ନିରପେକ୍ଷ ଓ ବ୍ୟାପକ ତଦନ୍ତ ପାଇଁ ଦାବି ଜୋର ଧରିଛି।


