ଭଞ୍ଜନଗର ଥାନା ଅଧିନ ଜି.ରମ୍ଭା ଗାଁ ର ଯଜ୍ଞ ପ୍ରଧାନ(୪୦) ହତ୍ୟା ଘଟଣାରେ ପୋଲିସ ଆଉ ଜଣେ ଅଭିଯୁକ୍ତ କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ପୁର୍ବରୁ ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ତାରସିଂ ଥାନା ଅଧିନ ଗାଲେରୀ ଗ୍ରାମର ମିଟୁ ଗୌଡଙ୍କ ସମେତ ତାର ଦୁଇ ସହଯୋଗୀ ବାଲିଆପଟା ଗ୍ରାମର ସାମ୍ବାଜି ପ୍ରଧାନ ଓ ଟିଟୁ ନାଇକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।ସେହି ଘଟଣା ରେ ଫେରାର ଥିବା ଜଗନ୍ନାଥପ୍ରସାଦ ଥାନା ଅଧିନ ଗୋଚ୍ଛାବାଡି ଗ୍ରାମର ରବିନାରାୟଣ ନାୟକଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି।ଏହା ସହ ତା ନିକଟରୁ ହତ୍ୟାରେ ବ୍ୟବହୃତ ହୋଇଥିବା ବାଇକ୍ ଏବଂ ଏକ ଗାମୁଛା ଜବତ କରାଯାଇଥିବା ଥାନା ଅଧିକାରୀ କୁମର ମୁଦୁଲି ସୁଚନା ଦେଇଛନ୍ତି।
ସୂଚନା ଅନୁଯାୟୀ,ମୃତ ଯଜ୍ଞର ଭଉଣୀ ସୁବାଶିନୀ ପ୍ରଧାନ ଗତ ଜୁଲାଇ ୩୦ ତାରିଖରୁ ତାଙ୍କ ଭାଇ ନିଖୋଜ ଥିବା ନେଇ ଭଞ୍ଜନଗର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ ଏକ ମାମଲା ରୁଜୁ କରିବା ସହ ଅଭିଯୋଗ ଆଧାରରେ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ମିଟୁକୁ କାବୁ କରିବା ସହ ଅନ୍ୟ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତ ମିଟୁର ସ୍ବାସ୍ଥ ଅବସ୍ଥା ଖରାପ ରହୁଥିବାରୁ,ସେ ଯଜ୍ଞ ଯୋଗୁ ତାର ଶାରିରୀକ ଅସୁସ୍ଥ ହେଉଥିବା ସନ୍ଦେହ କରିଥିଲା। ଏହାପରେ ତାକୁ ଜୀବନରୁ ହଟାଇବାକୁ ଯୋଜନା କରିଥିଲା। ଏହାପରେ ୩୦ ତାରିଖ ଦିନ ଅପରାହ୍ନ ସମୟରେ ମିଟୁ ତାର ଜଣେ ସହଯୋଗୀ ସହ ଯଜ୍ଞକୁ ଘରୁ ଡାକି ନେଇ ଏକ ବାଇକ୍ ଯୋଗେ ଜଙ୍ଗଲ ରାସ୍ତା ଦେଇ ଯାଉଥିବା ସମୟରେ ଜଙ୍ଗଲ ମଧ୍ୟ ସ୍ଥାନରେ ବେକକୁ ଚିପିବା ସହ ମୁହଁକୁ ଆଘାତ ଦେଇଥିଲା। ଏହାପରେ ତାର ଗାମୁଛାରେ ବେକକୁ ଚିପି ହତ୍ୟା କରିଥିଲେ। ପରେ ମୃତଦେହକୁ କଳିଙ୍ଗା ଘାଟି ତଳେ ମାଟି ଖୋଳି ପୋତିଥିଲେ।
