ପୁରୀ,୭/୫-ପୁରୀ ସହର ଓ ଏହାର ଉପକଣ୍ଠରେ ଏକ ହଜାରୁ ଅଧିକ ହୋଟେଲ ଓ ଲଜିଂ ରହିଛି । ପିକେଡିଏ ମାତ୍ର ୧୬ଟି ହୋଟେଲ ଓ ଲଜିଂକୁ କାର୍ଯ୍ୟ କରିବା ପାଇଁ ଅନୁମତି ଦେଇଛି । ବାକି ହୋଟେଲ ଓ ଲଜିଂ ବେଆଇନ୍ ଭାବେ ଚାଲିଛି । ୨୦୧୦ ମସିହାରୁ ୨୦୨୫ ମସିହା ମଧ୍ୟରେ ଏହି ତଥ୍ୟ ପ୍ରସ୍ତୁତ କରିଛି ପିକେଡିଏ । ୧୬ଟି ହୋଟେଲକୁ ଛାଡିଦେଲେ ପୁରୀରେ ଯେତେେ ସବୁ ହୋଟେଲ ଚାଲୁଛି ସେଗୁଡିକ ବେଆଇନ୍ । ପିକେଡିଏ ସେଗୁଡିକୁ ଅନୁମତି ଦେଇନାହିଁ । ତେଣୁ ସେଗୁଡିକ ବେଆଇନ୍ ଭାବେ ଅଥବା ଆଇନ୍ ଉଲ୍ଲଙ୍ଘନ କରି କାର୍ଯ୍ୟ କରୁଛନ୍ତି । ତେଣୁ ଏହି ହୋଟେଲ ଗୁଡିକରେ ଯଦି କୌଣସି ଅଘଟଣ ଘଟେ ସେଥିପ୍ରତି କିଏ ଦାୟୀ ରହିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପିକେଡିଏରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୦ ମସିହାରୁ ୨୦୨୫ ମସିହା ଏହି ୧୫ ବର୍ଷ ମଧ୍ୟରେ ମାତ୍ର ୧୫ଟି ହୋଟେଲ ଓ ଲଜିଂ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାର୍ଯ୍ୟାନୁଷ୍ଠାନ ସ୍ୱରୂପ କେବଳ ସେମାନଙ୍କୁ ନୋଟିସ ଦିଆଯାଇଛି । ହେଲେ ଏହାଠାରୁ ଅଧିକ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ସେହିପରି ପୁରୀରେ ମାତ୍ର ୧୫ଟି ମାର୍କେଟ୍ କମ୍ପ୍ଲେକ୍ସ ଓ ୩ଟି ମ୍ୟାରେଜ ମଣ୍ଡପ ରହିଛି । ପୁରୀରେ ଶତାଧିକ ମ୍ୟାରେଜ ମଣ୍ଡପ ବେଆଇନି ଭାବେ ରହିଛି । ସରକାରୀ ରେକର୍ଡରେ ମାତ୍ର ୩ଟି ବିବାହ ମଣ୍ଡପ ରହିଛି । ବାକି ବିବାହ ମଣ୍ଡପ ଗୁଡିକ ବେଆଇନ୍ ଭାବେ ଚାଲିଛି ବୋଲି ଅଭିଯୋଗ ହୋଇଛି । ପୁରୀ ସହରରେ ୧୦୦୦ ରୁ ଉର୍ଦ୍ଧ୍ବ ହୋଟେଲ କେଵଳ ବେଆଇନି ବା ସରକାରୀ ନିୟମ ଭାଙ୍ଗି ଚାଲୁଛି ତାହା ନୁହେଁ ବରଂ ଏହି ହୋଟେଲ ମାନଙ୍କରେ ଅଗ୍ନୀ ନିରାପତ୍ତା, ବିଦ୍ୟୁତ ବିଭାଗ ,ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ପ୍ରମାଣ ପତ୍ର ନାହିଁ କି ନିଜସ୍ୱ ପାର୍କିଂ ସ୍ଥାନ ବି ନାହିଁ । ଗତ ୨୦୨୩ ମସିହା ରେ ଘଟିଥିବା ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ ଭୟଙ୍କର ଅଗ୍ନିକାଣ୍ଡ ପରେ ଏହି ସାଙ୍ଘାତିକ ତଥ୍ୟ ସାମନା କୁ ଆସିଥିଲା । ୨୦୧୭ ମସିହାରୁ ବେଆଇନି ଭାବେ ଚାଲୁଥିବା ଏହି ମାର୍କେଟ କମ୍ପ୍ଲେକ୍ସରେ ୭୫ ଟି ଦୋକାନ ଗୃହ ଗୋଟିଏ ରାଷ୍ଟ୍ରୀୟ ବ୍ୟାଙ୍କ ହୋଟେଲ ଜଳି ପାଉଁଶ ହୋଇଥିଲା । ପୁରୀ ସହରରେ ମଣ୍ଡପ, ହୋଟେଲ, ଲଜିଂଗ ମଣ୍ଡପ ଗୁଡିକ ବେଆଇନ୍ ଭାବେ ଚାଲିଛି ତେବେ ସେଗୁଡିକ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭିନ୍ନ ଗଳାବାଟରେ ହୋଟେଲ ଓ ଲଜିଂ ପୁରୀ ସହରରେ କାର୍ଯ୍ୟ କରୁଛି । ହୋଟେଲ ଓ ଲଜିଂରେ କୌଣସି ଅଘଟଣା ଘଟିଲେ ତାହାକୁ ନେଇ କିଏ ଦାୟୀ ରହିବ ବୋଲି ପୁରୀ ସହରର ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି । ପୁରୀ ସହରରେ କେତୋଟି ହୋଟେଲ ଓ ଲଜିଂ ରହିଛି ତାହାକୁ ନେଇ ସୂଚନା ଅଧିକାର ଆଇନ୍ ୨୦୦୫ ବଳରେ ତଥ୍ୟ ମାଗିଥିଲେ ସୂଚନା ଅଧିକାର କର୍ମୀ ତଥା ଆଇନଜୀବୀ ପ୍ରସନ୍ନ କୁମାର ଦାଶ । ପିକେଡିଏ ପକ୍ଷରୁ ତାଙ୍କୁ ସୂଚନା ଦିଆଯାଇ ନଥିଲା । ପିକେଡିଏ ଓ ହୋଟେଲ ସିଣ୍ଡିକେଟ୍ ମଧ୍ୟରେ କିଭଳି ସଂପର୍କ ରହିଛି । ଏହାପରେ ଆଇନଜୀବୀ ଶ୍ରୀଦାଶ ସୂଚନା ଅଧିକାର କମିଶନ ରେ ମାମଲା ଦାୟର କରିଥିଲେ । ଫଳରେ ତାଙ୍କୁ ଉପରୋକ୍ତ ସୂଚନା ମିଳିଲା । ଉପରୋକ୍ତ ସୂଚନା ସ୍ପଷ୍ଟ ଭାବେ ଦର୍ଶାଇ ଦେଉଛି ଯେ ବେଆଇନ୍ ହୋଟେଲ, ଲଜିଂ, ମ୍ୟାରେଜ ମଣ୍ଡପଗୁଡିକ ଉପରେ ପ୍ରଶାସନର ଅହେତୁକ ଅନୁକମ୍ପା ରହିଥିବା ଅଭିଯୋଗ ହୋଇଛି । ଯାହା ଫଳରେ ସେଗୁଡିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ୨୦୧୩ ମସିହା ସେପ୍ଟେମ୍ବର ମାସ ୮ ତାରିଖରେ ବେଆଇନ୍ ଭାବେ ସହରର ଦୋଳମଣ୍ଡପ ସାହିରେ ଚାଲୁଥିବା ଏକ ଲଜିଂ ଭୁଷୁଡି ପଡିବାରୁ ୪ ଜଣ ଭକ୍ତଙ୍କ ଘଟଣା ସ୍ଥଳରେ ମୃତ୍ଯୁ ଘଟିଥିଲା । ଏଥିରେ ଅନ୍ୟ ୬ ଜଣ ଭକ୍ତ ଗୁରୁତର ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଦୁଇ ଜଣ ନାବାଳିକା ଥିଲେ । ଜଗନ୍ନାଥଙ୍କ ଦର୍ଶନ କରିବାକୁ ଆସିଥିବା ଏହି ଭକ୍ତମାନଙ୍କର ଶ୍ରୀକ୍ଷେତ୍ରରେ ଶେଷ ଯାତ୍ରା ହୋଇଥିଲା । ଏକ ୧୦୦ ବର୍ଷର କୋଠାରେ ଏହି ଲଜିଂ ଚାଲୁଥିଲା । ଯାହା ସମ୍ପୁର୍ଣ୍ଣ ବେଆଇନ୍ ଭାବେ ଚାଲୁଥିବା ପ୍ରମାଣ ମିଳିଥିଲା । ତେଣୁ ପୁରୀରେ ଯେଉଁ ସବୁ ହୋଟେଲ ଓ ଲଜିଂ ରହିଛି ସେଗୁଡିକର ସ୍ଥିତି କ’ଣ ରହିଛି ପ୍ରଶାସନ ସେ ଦିଗରେ ସମ୍ବେଦନଶୀଳ ହୋଇ ନିୟମିତ ଯାଞ୍ଚ କରୁ ବୋଲି ଆଇନଜୀବୀ ଶ୍ରୀ ଦାଶ ଦାବି କରିଛନ୍ତି ।
