ପୁରୀ,୨୬/୫- ପୁରୀ ସଦରଥାନା ଅନ୍ତର୍ଗତ ନରସିଂହପାଟଣା ଗ୍ରାମ କାଜୁ ଜଙ୍ଗଲରେ ୨୪ ତାରିଖ ରାତି ୯ଟା ପରେ ଜଗନ୍ନାଥପାଟଣାର ଲିପୁ ଓରଫ କାଳୁ ଜେନା (୨୬)କୁ ତଣ୍ଟି କାଟି ହତ୍ୟା କରାଯାଇଥିଲା । ଏହି ଘଟଣାରେ ଏସପି ପ୍ରତୀକ ସିଂଙ୍କ ସମେତ ବ୍ରହ୍ମଗିରି, ପୁରୀ ସଦରଥାନା ଆଇଆଇସି ଓ ବରିଷ୍ଠ ପୋଲିସ ଅଧିକାରୀ ମାନେ
ଘଟଣା ସ୍ଥଳକୁ ଯାଇ ଛାନଭିନ କରିଥିଲେ । ଏ ସମ୍ପର୍କରେ ପୁରୀ ସହରଥାନାରେ ୩୧୩/୨୬ରେ ମାମଲା ରୁଜୁ ହୋଇଥିଲା । ଏ ସମ୍ପର୍କରେ ଲିପୁର ବାପା କୁମର ଜେନା ସଦରଥାନାରେ ଲିଖିତ ଅଭିଯୋଗ କରିଥିଲେ । ଲିପୁକୁ ଧାରୁଆ ଛୁରୀରେ ବେକ କାଟି ହତ୍ୟା କରାଯାଇଥିଲା । ନରସିଂହପାଟଣା ଓ ଜଗନ୍ନାଥପାଟଣା ଗ୍ରାମକୁ ପୋଲିସ ଆଇନ ଶୃଙ୍ଖଳା ସୁରକ୍ଷା ମଧ୍ଯରେ ରଖାଯାଇଥିଲା । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ଓ ଫରେନସିକ ବିଶେଷଜ୍ଞ ଆବଶ୍ୟକ ନମୁନା ସଂଗ୍ରହ କରିଥିଲେ ।

ଏହି ଘଟଣାଟି ଗୁରୁତ୍ୱ ଓ ସ୍ପର୍ଶକାତର ହୋଇଥିବାରୁ ଏକାଧିକ ପୋଲିସ ଟିମ ନିୟୋଜିତ ହୋଇଥିଲେ । ପୋଲିସ ବିଭିନ୍ନ ସ୍ଥାନରେ ରେଡ କରିଥିଲା । ଶେଷରେ ୭ ଜଣକୁ ଗିରଫ କରି ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି । ଏହି ଅଭିଯୁକ୍ତ ମାନେ ନରସିଂହପାଟଣାର ଅମୀୟ ମାଣିଆ (୧୯),ମଣ୍ଟୁ ଦାସ(୧୯), ଦିବାକର ଦାସ(୨୨), ଶାନ୍ତନୁ ଭୋଇ (୨୪),ପ୍ରଶାନ୍ତ ସେଠୀ (୨୨),ରାକେଶ ବେହେରା (୧୯) ଓ ସନ୍ତୋଷ କୁମାର ଦାସ (୨୭) ।ଘଟଣା ସ୍ଥଳରୁ ଅଭିଯୁକ୍ତମାନଙ୍କ ଠାରୁ ୧ଟି ଛୁରୀ,୧ଟି ଲୁହାରଡ, ୨ଟି ବିଅର ବୋତଲ, ୧ଟି କାଠ ବାଡି, ୩ଟି ମୋବାଇଲ ଫୋନ ଓ ୬ଟି ମଟରସାଇକେଲ ଜବତ କରାଯାଇଛି । ଏ ସମ୍ପର୍କରେ ଏସପି ପ୍ରତୀକ ସିଂଙ୍କ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ କହିଛନ୍ତି ପୁରୀ ଜିଲ୍ଲାରେ ଅପରାଧ ଘଟାଉଥିବା ଅଭିଯୁକ୍ତଙ୍କୁ ଦୃଢ ହସ୍ତରେ ଦମନ କରାଯିବ । ଯେଉଁ ମାନେ ଶାନ୍ତି ଶୃଙ୍ଖଳା ଭଙ୍ଗ କରିବେ ସେମାନଙ୍କୁ ଛଡା ଯିବନାହିଁ ।

