You are currently viewing ଆନ୍ଧ୍ର ମୁହାଁ ହେଉଛନ୍ତି ଲୋକେ ? ବର୍ଷକୁ ୩୬୫ ଦିନରୁ ମାତ୍ର ୬୫ ଦିନ କରେଣ୍ଟ
ଆନ୍ଧ୍ର ମୁହାଁ ହେଉଛନ୍ତି ଲୋକେ ? ବର୍ଷକୁ ୩୬୫ ଦିନରୁ ମାତ୍ର ୬୫ ଦିନ କରେଣ୍ଟ

ପାତ୍ରପୁର — ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ବୁରାତାଲ ପଞ୍ଚାୟତର ବାତ୍ରା ଗ୍ରାମରୁ ଆସିଛି ବିଭାଗୀୟ ଅବହେଳାର ଚରମ ଚିତ୍ର। ନିଜ ଭିଟାମାଟିରେ ମୌଳିକ ସୁବିଧା ନପାଇ ଏବେ ଓଡ଼ିଶା ଛାଡ଼ି ପଡ଼ୋଶୀ ଆନ୍ଧ୍ର ମୁହାଁ ହେଉଛନ୍ତି ଗରିବ ଆଦିବାସୀ ପରିବାର। ଏହା କ’ଣ ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ ନୁହେଁ କି।ବୁରାତାଲ ପଞ୍ଚାୟତର ଦୁର୍ଗମ ବାତ୍ରା ଗ୍ରାମରେ ବର୍ଷର ୩୬୫ ଦିନରୁ ମାତ୍ର ୬୫ ଦିନ ବିଜୁଳି ଦେଖିବାକୁ ମିଳୁଛି। ବାକି ୩୦୦ ଦିନ ଲୋକେ ଡିବି ଓ ଲଣ୍ଠନ ଆଲୁଅରେ କାଳାତିପାତ କରୁଛନ୍ତି। ଏ ନେଇ ଗ୍ରାମବାସୀ ବାରମ୍ବାର ବିଦ୍ୟୁତ ବିଭାଗର ଦ୍ୱାରସ୍ଥ ହୋଇ ଗୁହାରି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଅଭିଯୋଗ କଲେ କେବଳ ମିଳୁଛି ମିଛ ପ୍ରତିଶ୍ରୁତି।ଗ୍ରାମବାସୀଙ୍କ ଏହି ଦୁର୍ଦ୍ଦଶା ଦେଖିବାକୁ ନାଁ କୌଣସି ଜୁନିୟର ଇଞ୍ଜିନିୟର (JE) ପହଞ୍ଚୁଛନ୍ତି, ନାଁ କୌଣସି ଲାଇନ୍ କର୍ମଚାରୀଙ୍କ ଦେଖା ମିଳୁଛି। କରେଣ୍ଟ ଦେବା ବେଳକୁ ବିଭାଗ ନିରବ, କିନ୍ତୁ ବିଲ୍ ଆଦାୟ ବେଳକୁ ଚାଲିଛି ମନମାନୀ। ଟଙ୍କାଟିଏ ବିଲ୍ ବାକି ରହିଲେ ଲାଇନ୍ କାଟିବାର ଧମକ ଦିଆଯାଉଥିବା ବେଳେ ଅନ୍ଧାରରେ ରଖି ଲୋକଙ୍କ ପକେଟ୍ କାଟିବାକୁ ବିଭାଗ ପଛଘୁଞ୍ଚା ଦେଉନାହିଁ।
ପ୍ରଶାସନର ଏଭଳି ଚରମ ଅବହେଳା ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। ଶେଷରେ ଉପାୟଶୂନ୍ୟ ହୋଇ ଗାଁର ଆଦିବାସୀ ପରିବାରମାନେ ଓଡ଼ିଶା ଛାଡ଼ି ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ଚାଲିଯିବାକୁ ବାଧ୍ୟ ହେଉଛନ୍ତି।
ଗ୍ରାମବାସୀଙ୍କ ଗୁହାରି ପରେ ବି କାହିଁକି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପାତ୍ରପୁର ବିଦ୍ୟୁତ ବିଭାଗ ? କେବେ ବାତ୍ରା ଗାଁକୁ ମିଳିବ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ତାହା ଦେଖିବାକୁ ରହିଲା ?