You are currently viewing ମାନସିକ ସୁସ୍ଥତାର ବାର୍ତ୍ତା ନେଇ ଟାଙ୍ଗୀରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ
ମାନସିକ ସୁସ୍ଥତାର ବାର୍ତ୍ତା ନେଇ ଟାଙ୍ଗୀରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ଛାତ୍ରଛାତ୍ରୀଙ୍କୁ ମାନସିକ ସ୍ୱାସ୍ଥ୍ୟ ନେଇ ସଚେତନ କଲେ ଏମ୍ସ ବିଶେଷଜ୍ଞ

ଟାଙ୍ଗୀ, ଖୋର୍ଦ୍ଧା: ଶାରୀରିକ ସୁସ୍ଥତା ସହ ମାନସିକ ସୁସ୍ଥତା ମଧ୍ୟ ଏକ ସୁସ୍ଥ ଜୀବନର ଅପରିହାର୍ଯ୍ୟ ଅଂଶ। ଏହି ବାର୍ତ୍ତା ନେଇ ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଟାଙ୍ଗୀଠାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ୯୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଆରଏଚଟିସି ଟାଙ୍ଗୀ ଏମ୍ସ ଭୁବନେଶ୍ୱର ଏବଂ ବିଦ୍ୟାଳୟର ଏନସିସି ଓ ଯୁବ ରେଡକ୍ରସ ୟୁନିଟ୍‌ର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବାବେଳେ ଏନସିସି ଓ ଯୁବ ରେଡକ୍ରସ ଅଧିକାରୀ ରଞ୍ଜନ କୁମାର ମହାପାତ୍ର ଏହାକୁ ପରିଚାଳନା କରିଥିଲେ।

ଏମ୍ସ ଭୁବନେଶ୍ୱରର ମାନସିକ ରୋଗ ବିଭାଗର ବିଶେଷଜ୍ଞ ଡାକ୍ତରୀ ଦଳ ଛାତ୍ରଛାତ୍ରୀଙ୍କୁ ମାନସିକ ଚାପ, ଉଦ୍‌ବେଗ ଏବଂ ଦୈନନ୍ଦିନ ଜୀବନରେ ମାନସିକ ସୁସ୍ଥତା ବଜାୟ ରଖିବାର ଉପାୟ ସମ୍ପର୍କରେ ବୁଝାଇଥିଲେ। ମାନସିକ ସମସ୍ୟାକୁ ଲୁଚାଇ ନ ରଖି ଠିକ୍ ସମୟରେ ପରିବାର, ଶିକ୍ଷକ ଓ ବିଶେଷଜ୍ଞଙ୍କ ସହ ଆଲୋଚନା କରିବା ଏବଂ ଆବଶ୍ୟକ ପରାମର୍ଶ ନେବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ।

ଏହି ଡାକ୍ତରୀ ଦଳରେ ଡା. ଫରହତ ରଫିକ, ଡା. ବିପ୍ଳବ ତାୱଡିଆ, ଡା. ସନ୍ଧ୍ୟାଦୀପା ଦରି, ଡା. ଶ୍ଳେଷା ସାହୁ, ଡା. ସାୟନ ଭୌମିକ, ଡା. ସାକ୍ଷୀନ୍ ଏସ୍‌, ଡା. ସଜଲ ଶୀଟ୍‌, ହେଲ୍ଥ ଏଜୁକେଟର ଶ୍ୱେତାଲିନା ଆଚାର୍ଯ୍ୟ ଏବଂ ମେଡିକାଲ ସୋସିଆଲ ୱାର୍କର ବର୍ଣା ଦାସ ଯୋଗଦେଇଥିଲେ।

କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ପ୍ରତି ସକାରାତ୍ମକ ମନୋଭାବ ସୃଷ୍ଟି କରିବା ସହ ଏ ସମ୍ପର୍କିତ ସଙ୍କୋଚ ଦୂର କରିବା ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇବା ନେଇ ସଚେତନତା ସୃଷ୍ଟି କରାଯାଇଥିଲା।