ବାଲିଗୁଡ଼ା, ୧୬/୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଧ୍ୟାତ୍ମିକ ଭାବଧାରା, ଭକ୍ତି ଓ ଧାର୍ମିକ ଚେତନାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ବାଲିଗୁଡ଼ା ନିକଟସ୍ଥ ମହାଶିଙ୍ଗି ଗ୍ରାମରେ ଆୟୋଜିତ ହେବାକୁ ଯାଉଛି ଶ୍ରୀମଦ୍ ଭାଗବତ ବାସୁଦେବ ପୂଜା ସହ ଅଷ୍ଟପ୍ରହର ଜ୍ଞାନଯଜ୍ଞ, ଭାଗବତ ପ୍ରବଚନ, ନାମଯଜ୍ଞ ଓ ଘୃତଯଜ୍ଞ। ମହାଶିଙ୍ଗି ଗ୍ରାମର ଆରାଧ୍ୟ ଦେବୀ ମା’ ବରାଳଦେବୀଙ୍କ ପୀଠ ପ୍ରାଙ୍ଗଣରେ ନଭେମ୍ବର ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଏହି ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମହାଆଡ଼ମ୍ବରରେ ଅନୁଷ୍ଠିତ ହେବ। ମହାଶିଙ୍ଗି ଗ୍ରାମ ଭାଗବତ ପୂଜା କମିଟି ପକ୍ଷରୁ ଏଥିନିମନ୍ତେ ବ୍ୟାପକ ଆୟୋଜନ କରାଯାଉଛି। ନଭେମ୍ବର ୧୯ ତାରିଖ ଗୁରୁବାର ଠାରୁ ୨୩ ତାରିଖ ସୋମବାର ପର୍ଯ୍ୟନ୍ତ ଜ୍ଞାନଯଜ୍ଞ ଓ ଭାଗବତ ପ୍ରବଚନ କାର୍ଯ୍ୟକ୍ରମ ଚାଲିବ। ୨୩ ତାରିଖ ସୋମବାର ଅପରାହ୍ନ ୨ଟା ୩୦ ମିନିଟ୍ରେ ପବିତ୍ର କଳସ ଯାତ୍ରା ଅନୁଷ୍ଠିତ ହେବ। ସେହିପରି ନଭେମ୍ବର ୨୪ ତାରିଖ ମଙ୍ଗଳବାର ସକାଳ ୧୧ଟା ୩୦ ମିନିଟ୍ରେ ନାମଯଜ୍ଞ ଆରମ୍ଭ ହେବ। ୨୫ ତାରିଖ ବୁଧବାର ସକାଳ ୧୦ଟା ୩୦ ମିନିଟ୍ରେ ଯଜ୍ଞର ପୂର୍ଣ୍ଣାହୁତି ଏବଂ ସକାଳ ୧୧ଟା ୩୦ ମିନିଟ୍ରେ ନାମଯଜ୍ଞ ସମାପନ ହେବ। ଏହାପରେ ଦିବା ୧୨ଟା ୩୦ ମିନିଟ୍ରେ ଦଧିଭାଣ୍ଡ ଭଞ୍ଜନ କାର୍ଯ୍ୟକ୍ରମ ରହିଥିବା ବେଳେ ଅପରାହ୍ନ ୧ଟାରେ ଆନନ୍ଦ ବଜାରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଉତ୍ସବର ଶେଷ ଦିନ ସନ୍ଧ୍ୟାରେ ଆକର୍ଷଣୀୟ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବ। ଏହି ଅବସରରେ ଅଞ୍ଚଳର ଭକ୍ତ, ଶ୍ରଦ୍ଧାଳୁ ଓ ଧର୍ମପ୍ରେମୀ ଜନସାଧାରଣଙ୍କ ଉପସ୍ଥିତିରେ ମା’ ବରାଳଦେବୀଙ୍କ ପୀଠ ଭକ୍ତିମୟ ଓ ଉତ୍ସବମୁଖର ହୋଇଉଠିବ ବୋଲି ଆୟୋଜକ କମିଟି ପକ୍ଷରୁ ଆଶା ପ୍ରକାଶ କରାଯାଇଛି। ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଏହି ପବିତ୍ର ଆଧ୍ୟାତ୍ମିକ ମହୋତ୍ସବରେ ଯୋଗ ଦେଇ ପ୍ରଭୁଙ୍କ କୃପାଲାଭ କରିବାକୁ କମିଟି ପକ୍ଷରୁ ନିମନ୍ତ୍ରଣ କରାଯାଇଛି।

