ବାଲିଗୁଡ଼ା, ୧୬/୧୧: (ସଞ୍ଜୟ କୁମାର ପାଣିଗ୍ରାହୀ,): ସାଧାରଣ ଲୋକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ପ୍ରଶାସନ କେତେ ସଚେତନ, ତାହାର ଏକ ନଗ୍ନ ଉଦାହରଣ ପାଲଟିଛି ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ ନମ୍ବର ୱାର୍ଡ ଅନ୍ତର୍ଗତ ଗୁଳିମରା ସାହିରେ ଥିବା ପୋଖରୀ। ଦୀର୍ଘଦିନ ଧରି ରକ୍ଷଣାବେକ୍ଷଣ ଓ ସଫେଇ ଅଭାବରୁ ଏହି ପୋଖରୀ ଏବେ ଏକପ୍ରକାର ଅବହେଳିତ ଜଳାଶୟରେ ପରିଣତ ହୋଇଛି। ପୋଖରୀ ସାରା ଅନାବନା ଗଛଲତା ଓ ଜଳଦଳରେ ଭର୍ତ୍ତି ହୋଇ ରହିଥିବାବେଳେ ଏହା ସ୍ଥାନୀୟ ଲୋକଙ୍କ ପାଇଁ ବିପଦର କାରଣ ପାଲଟିଛି। ବାଲିଗୁଡ଼ା ଜେଲ୍ ପଛପାଖରେ ଥିବା ଏହି ସାହିରୁ ଜିମାର ଗାଁକୁ ଯାଇଥିବା ରାସ୍ତା ପାର୍ଶ୍ୱରେ ରହିଛି ଉକ୍ତ ପୋଖରୀ। ଏହାର ଅବସ୍ଥା ଏତେ ଶୋଚନୀୟ ହୋଇପଡ଼ିଛି ଯେ ପାଣି ଓ ଜଳଦଳ ମଧ୍ୟରେ ଫରକ ଜାଣିବା କଷ୍ଟକର ହୋଇପଡ଼ିଛି। ଏହା କେବଳ ପରିବେଶକୁ ଦୂଷିତ କରୁନାହିଁ, ବରଂ ମଶା ମାଛିଙ୍କ ବଂଶବୃଦ୍ଧି ସହ ବିଭିନ୍ନ ଚର୍ମରୋଗ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ମଧ୍ୟ ସୃଷ୍ଟି କରୁଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, କିଛିଦିନ ପୂର୍ବରୁ ଏହି ସାହିର ଜଣେ ଯୁବକ ପୋଖରୀର ଦଳ ମଧ୍ୟରେ ଛନ୍ଦି ହୋଇ ମୃତ୍ୟୁବରଣ କରିଥିବା ଘଟଣା ସାମ୍ନାକୁ ଆସିଥିଲା। ଏଭଳି ଦୁଃଖଦ ଘଟଣା ପରେ ମଧ୍ୟ ପୋଖରୀର ସଫେଇ ଓ ସୁରକ୍ଷା ବ୍ୟବସ୍ଥାରେ ଆଖିଦୃଶିଆ ପରିବର୍ତ୍ତନ ହୋଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଆଗକୁ ଆଉ କୌଣସି ଅଘଟଣ ଘଟିଲେ ଏଥିପାଇଁ ଦାୟୀ କିଏ ରହିବ ବୋଲି ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ବାଲିଗୁଡ଼ା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇଙ୍କୁ ପଚାରିବାରୁ, ଘଟଣାଟି ତାଙ୍କ ଦୃଷ୍ଟିକୁ ଆସିଥିବା ସ୍ୱୀକାର କରିବା ସହ ପରିସ୍ଥିତି ଅନୁଧ୍ୟାନ କରି କର୍ମଚାରୀ ପଠାଇ ପୋଖରୀ ସଫା କରିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ତେବେ କେବଳ ଆଶ୍ୱାସନା ନୁହେଁ, ତୁରନ୍ତ ପୋଖରୀରୁ ଜଳଦଳ ଓ ଅନାବନା ଗଛଲତା ସଫା କରିବା, ଚାରିପାଖରେ ସୁରକ୍ଷା ବ୍ୟବସ୍ଥା କରିବା ସହ ନିୟମିତ ରକ୍ଷଣାବେକ୍ଷଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଜଣେ ଯୁବକଙ୍କ ମୃତ୍ୟୁ ପରେ ମଧ୍ୟ ଯଦି ପ୍ରଶାସନର ଚେତା ପଶୁନାହିଁ, ତେବେ ଆଉ କେଉଁ ଅଘଟଣକୁ ଅପେକ୍ଷା କରିଛି ସ୍ଥାନୀୟ ପ୍ରଶାସନ ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

