You are currently viewing ଦିଗପହଣ୍ଡି ପଞ୍ଚାୟତ ସମିତିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଅଭିଯୋଗ ଶୁଣାଣୀ
ଦିଗପହଣ୍ଡି ପଞ୍ଚାୟତ ସମିତିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଅଭିଯୋଗ ଶୁଣାଣୀ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ବ୍ରହ୍ମପୁରଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୭୨ ଜଣ ହିତାଧିକାରୀ ନାମ ପଞ୍ଜିକୃତ କରିବା ସହ ସେମାନଙ୍କ ଅଭିଯୋଗ ପ୍ରଶାସନ ନିକଟରେ ଗୁହାରି କରିଥିଲେ । ଖବରପ୍ରକାରେ , ଆଜି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଦିଗପହଣ୍ଡି ଗସ୍ତରେ ଆସି ପ୍ରଥମେ ବମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ମେଡିକାଲ ଅଧିକାରିଣୀ ସହ ଆଲୋଚନା କରିଥିଲେ । ଏହାପରେ ଦିଗପହଣ୍ଡି ଭିଡିଓ କନଫରେନ୍ସ ହଲରେ ବ୍ଳକ ଅଧିନସ୍ଥ ନିର୍ବାଚିତ ପ୍ରତିନିଧିଙ୍କ ସହ ପଞ୍ଚାୟତର ଉନ୍ନୟନ କାର୍ଯ୍ୟକୁ ନେଇ ସମୀକ୍ଷା କରିଥିଲେ । ପରିଶେଷରେ ବ୍ଳକ ସଭାଗୃହରେ ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ସମେତ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ. ଶ୍ରବଣ ବିବେକ ଏମ୍ , ବ୍ରହ୍ମପୁର ଉପ ଜିଲ୍ଲାପାଳ ଆଶୁତୋଷ କୁଲକଣ୍ଣୀ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ , ବ୍ଳକ ଅଧ୍ୟକ୍ଷା ସୁକାନ୍ତି ପ୍ରଧାନ , ତହସିଲଦାର ସିପକ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅଭିଯୋଗ ଶୁଣାଣୀରେ ବ୍ଳକର ୧୭୨ ଗୋଟି ଅଭିଯୋଗ ଶୁଣାଣୀ ଆବେଦନ କରାଯାଇଥିଲା । ଏଥିରେ ପେନସନ , ସ୍ବାସ୍ଥ୍ୟ ସମ୍ପର୍କିତ , ପ୍ରମାଣପତ୍ର ଜନିତ , ରାସନ୍ କାର୍ଡ , ଶିକ୍ଷା ସମ୍ବନ୍ଧୀୟ , ଉପକରଣ ସହାୟତା ସମ୍ପର୍କିତ , କୃଷି , ଜମିଜମା , ଗ୍ରାମ୍ୟ ପାନୀୟଜଳ ସମ୍ପର୍କିତ , ଆବାସ ଯୋଜନା , ମୋ ଘର ଯୋଜନାର ଜନଶୁଣାଣୀ ହୋଇଥିଲା । ପ୍ରଥମେ ଜିଲ୍ଲାପାଳ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କିତ ଅଭିଯୋଗ ଶୁଣାଣୀ କରିଥିବା ବେଳେ ଆରକ୍ଷୀ ଅଧିକ୍ଷକ ଆଇନ ଶୃଙ୍ଖଳା ସମ୍ପର୍କିତ ଅଭିଯୋଗ ଶୁଣାଣୀ କରିଥିଲେ । ଏହି ପରିପ୍ରେକ୍ଷୀରେ ଦିଗପହଣ୍ଡି ଏନ୍ ଏସି ର ଟିକିନା ମେକାପଙ୍କ ସ୍ବାସ୍ଥ୍ୟ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୭ ହଜାର ଟଙ୍କାର ଆର୍ଥିକ ସହାୟତା ଜିଲ୍ଲାପାଳ ପ୍ରଦାନ କରିଥିଲେ । ଏଥିସହ ଦିବ୍ଯାଙ୍ଗଙ୍କ ନିମନ୍ତେ ୩ ଟି ଟ୍ରାଇ ସାଇକେଲ ଓ ୧ ଗୋଟି ହୁଇଲ ଚେୟାର ସହ କିଛି ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ ।

ଶେଷରେ ସହଦେବ ଟିକରପଡା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଜଙ୍ଗଲରେ ବାସ କରୁଥିବା ଅଧିବାସୀଙ୍କ ନିମନ୍ତେ ପାନୀୟ ଜଳର ବ୍ୟବସ୍ଥା ସମେତ ସରକାରୀ ସହାୟତା ସେମାନଙ୍କ ନିକଟରେ କିପରି ସୁବିଧାରେ ପହଞ୍ଚି ପାରିବ ଏବଂ ଲୋକଙ୍କ ଯାତାୟାତ ନିମନ୍ତେ ରାସ୍ତା ସଂପ୍ରସାରଣ ନିମନ୍ତେ ଅଭିଯୋଗ ଶୁଣାଣୀରେ ସମୀକ୍ଷା ହୋଇଥିବା ଜଣାପଡିଛି । ଏଥିରେ ବ୍ଳକ ଅଧିନସ୍ଥ ବିଭିନ୍ନ ବିଭାଗର କର୍ମକର୍ତ୍ତା ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀ , ଗ୍ରାମ ରୋଜଗାର ସେବକ ଓ ଯୋଗାଣ ସହାୟକ କର୍ମଚାରୀ ମାନେ ଅଭିଯୋଗ ପଞ୍ଜୀକରଣ କାର୍ଯ୍ଯରେ ସହଯୋଗ ପ୍ରଦାନ କରିଥିଲେ ।

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା