You are currently viewing ଓଡ଼ିଶା ସିଏସ୍ଆର୍ ଆଣ୍ଡ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ-୨୦୨୪ରେ ଟିପିଏସ୍ଓଡିଏଲ୍ ସମ୍ମାନିତ
ଓଡ଼ିଶା ସିଏସ୍ଆର୍ ଆଣ୍ଡ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ-୨୦୨୪ରେ ଟିପିଏସ୍ଓଡିଏଲ୍ ସମ୍ମାନିତ

— କର୍ମଚାରୀ ସ୍ବେଚ୍ଛାସେବା କ୍ଷେତ୍ରରେ ଉତ୍କର୍ଷତା ପାଇଁ ମିଳିଛି ପୁରସ୍କାର

ବ୍ରହ୍ମପୁର : ଆସୋଚାମ୍ ଓଡ଼ିଶା ରାଜ୍ୟ ଉନ୍ନୟନ ପରିଷଦ ପକ୍ଷରୁ ଟିପି ଦକ୍ଷିଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍)କୁ ସମ୍ମାନଜନକ ଓଡ଼ିଶା ସିଏସ୍ଆର୍ ଆଣ୍ଡ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ-୨୦୨୪ରେ ସମ୍ମାନିତ କରାଯାଇଛି। ସ୍ୱେଚ୍ଛାସେବୀ ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀ ବିକାଶରେ ଉଲ୍ଲେଖନୀୟ ଅବଦାନ ଏବଂ ସାମାଜିକ ଦାୟିତ୍ୱ ଦିଗରେ କମ୍ପାନୀର ପ୍ରତିବଦ୍ଧତାକୁ ସ୍ଵୀକୃତି ମିଳିଛି। “କର୍ମଚାରୀ ସ୍ୱେଚ୍ଛାସେବାରେ ଉତ୍କର୍ଷତା” ବର୍ଗରେ କମ୍ପାନୀ ଏହି ପୁରସ୍କାର ପାଇଛି।

ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିଲେ। ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ମାନ୍ୟବର ଉପମହାନିର୍ଦ୍ଦେଶକ ଶ୍ରୀ ଏ.ଟି.ମିଶ୍ର ଏହି ପୁରସ୍କାର ପ୍ରଦାନ କରିଥିଲେ ଏବଂ କମ୍ପାନୀ ତରଫରୁ ଟିପିଏସଓଡିଏଲର ସିଏସଆର ଟିମ୍ ପୁରସ୍କାର ଗ୍ରହଣ କରିଥିଲେ।

ଟିପିଏସଓଡିଏଲ୍ ଦୀର୍ଘ ଦିନ ଧରି ଏହାର ପରିସରଭୁକ୍ତ ଗୋଷ୍ଠୀ ସମୁଦାୟରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିଆସୁଛି। କମ୍ପାନୀର କର୍ମଚାରୀମାନେ ଶିକ୍ଷାଗତ ସହାୟତା କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ଶିବିର, ପରିବେଶ ସଂରକ୍ଷଣ ପଦକ୍ଷେପ ଏବଂ ବୃଦ୍ଧାଶ୍ରମ ପରିଦର୍ଶନ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ କାର୍ଯ୍ୟରେ ସକ୍ରିୟ ଭାବରେ ଅଂଶଗ୍ରହଣ କରନ୍ତି । ଏହି ପଦକ୍ଷେପଗୁଡ଼ିକ ଦକ୍ଷିଣ ଓଡ଼ିଶାର ହଜାର ହଜାର ବ୍ୟକ୍ତି ତଥା ଗୋଷ୍ଠୀ ସମୁଦାୟଙ୍କ ଜୀବନକୁ ସକାରାତ୍ମକ ଭାବେ ପ୍ରଭାବିତ କରିଛି।

ଟିପିଏସଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଏହି ପୁରସ୍କାର ଆମ କର୍ମଚାରୀଙ୍କ ନିଷ୍ଠା ଏବଂ କଠିନ ପରିଶ୍ରମର ପ୍ରମାଣ। ସେମାନେ ନିଃସ୍ୱାର୍ଥପର ଭାବରେ ସ୍ଥାନୀୟ ଗୋଷ୍ଠୀରେ ପରିବର୍ତ୍ତନ ଆଣିବା ପାଇଁ ସେମାନଙ୍କର ସମୟ ଏବଂ ଦକ୍ଷତାକୁ ସ୍ୱେଚ୍ଛାକୃତ ଭାବରେ ନିବେଶ କରିଛନ୍ତି । ଟିପିଏସଓଡିଏଲରେ ଆମେ ସମାଜକୁ ପ୍ରତିବଦଳରେ କିଛି ଦେବାରେ ବିଶ୍ୱାସ କରୁ ଏବଂ ନିରନ୍ତର ବିକାଶ ଓ ଗୋଷ୍ଠୀ ସଶକ୍ତିକରଣ ଦିଗରେ ପ୍ରତିଶ୍ରୁତିବଦ୍ଧ। ଏହି ସ୍ୱୀକୃତି ଆମକୁ ସମାଜରେ ଏକ ସକାରାତ୍ମକ ଏବଂ ସ୍ଥାୟୀ ପ୍ରଭାବ ସୃଷ୍ଟି କରିବା ପାଇଁ ମିଶନ ଜାରି ରଖିବାକୁ ପ୍ରେରଣା ଦିଏ।”

କର୍ପୋରେଟ୍ ସାମାଜିକ ଦାୟିତ୍ବ କ୍ଷେତ୍ରରେ ଉଦାହରଣମୂଳକ ନେତୃତ୍ବ ଓ ଅଭିନବତା ପ୍ରଦର୍ଶନ କରିଥିବା ସଂସ୍ଥାଗୁଡ଼ିକୁ ଓଡ଼ିଶା ସିଏସ୍ଆର୍ ଆଣ୍ଡ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ପକ୍ଷରୁ ସମ୍ମାନିତ କରାଯାଏ। ସ୍ୱେଚ୍ଛାସେବୀ ବର୍ଗରେ ଟିପିଏସଓଡିଏଲର ବିଜୟ, ଏହାର ବ୍ୟବସାୟ ମଡେଲରେ ସାମାଜିକ ଦାୟିତ୍ୱବୋଧକୁ ସମନ୍ୱିତ କରିବା ପାଇଁ କମ୍ପାନୀର ରଣନୈତିକ ଆଭିମୁଖ୍ୟ ଏବଂ କର୍ମଚାରୀଙ୍କ ମଧ୍ୟରେ ସ୍ୱେଚ୍ଛାସେବୀ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏହାର ନିରନ୍ତର ପ୍ରୟାସକୁ ଦର୍ଶାଏ।