You are currently viewing ମଣ୍ଡି ବ୍ଯବସ୍ଥା ଫେଲ୍ : ବେଗୁନିଆପଡ଼ା ବ୍ଳକ ଘେରାଉ କଲା ବିଜେପି କୃଷକ ମୋର୍ଚ୍ଚା।
ମଣ୍ଡି ବ୍ଯବସ୍ଥା ଫେଲ୍ : ବେଗୁନିଆପଡ଼ା ବ୍ଳକ ଘେରାଉ କଲା ବିଜେପି କୃଷକ ମୋର୍ଚ୍ଚା।

ବେଗୁନିଆପଡ଼ା ( ୨୭/୧୨ /୨୦୨୨)
ଧାନମଣ୍ଡି ସମସ୍ଯାକୁ ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବର୍ତ୍ତମାନ ୮୦ ପ୍ରତିଶତ ଧାନ ଅମଳ ଶେଷ ହୋଇଯାଇଥିବା ବେଳେ ଏଯାବତ ଧାନମଣ୍ଡି ଖୋଲା ଯାଇନାହିଁ। ତୁରନ୍ତ ୪୮ ଘଣ୍ଟା ମଧ୍ୟରେ ଧାନମଣ୍ଡି ଖୋଲାଯିବା ସହ ମଣ୍ଡି ସମସ୍ଯାର ସମାଧାନ ଦାବି ନେଇ ମଙ୍ଗଳବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଘେରାଉ କରିଛି ବିଜେପି କୃଷକ ମୋର୍ଚ୍ଚା। ବିଜେପି ରାଜ୍ୟ ଉପସଭାପତି ଅନୀତା ଶୁଭଦର୍ଶନୀ, ରାଜ୍ୟ ପରିଷଦ ସଦସ୍ୟ ପ୍ରତାପ ନାୟକଙ୍କ ନେତୃତ୍ବରେ ଆୟୋଜିତ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ରଞ୍ଜନ ମଗଂରାଜ, କୋଷାଧ୍ୟକ୍ଷ ବିଶ୍ବଜିତ ସ୍ବାଇଁ, ମିଡିଆ ସେଲ୍ ରାଜ୍ୟ ଉପସଭାପତି ପ୍ରଦୀପ କୁମାର ସାହୁଙ୍କ ସହ ୫ ଶହରୁ ଉର୍ଦ୍ଧ୍ବ କୃଷକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବେଗୁନିଆପଡ଼ା ସିଦ୍ଧେଶ୍ଵର ମନ୍ଦିର ଠାରୁ ଶୋଭାଯାତ୍ରା ବାହାରି ବେଗୁନିଆପଡ଼ା ବ୍ଳକ ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ଗର୍ଜିଥିଲେ ବିଜେପି ନେତା। ଏହାପରେ ବିଜେପି ନେତା ମାନେ ବ୍ଲକ ଫାଟକରେ ଧସେଇ ପଶି ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ବିଡିଓ ପ୍ରଜ୍ଞା ପ୍ରିୟଦର୍ଶିନୀ କାର୍ଯ୍ୟାଳୟକୁ ଆସିବା ପରେ ଦୀର୍ଘ ସମୟ ଧରି ବିଡିଓଙ୍କ ସହ ମଣ୍ଡି ସମସ୍ଯା ଉପରେ ଯୁକ୍ତି ତର୍କ ହୋଇଥିଲା। ଧାନମଣ୍ଡିକୁ ନେଇ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ ବିଡିଓ ଏବଂ ଯୋଗାଣ ଅଧିକାରୀ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ମଣ୍ଡି ଖୋଲା ନଗଲେ ଆନ୍ଦୋଳନ ବ୍ଯାପକ କରାଯିବ ବୋଲି ଚେତାବନୀ ଦେଇଛି ବିଜେପି କୃଷକ ମୋର୍ଚ୍ଚା। ବେଗୁନିଆପଡ଼ା ବ୍ଳକରେ ମାତ୍ର ୨ ଟି ମଣ୍ଡି ଖୋଲିଥିଲା ବେଳେ ଏଯାବତ କୌଣସି ଧାନ କିଣା ଯାଇନି। ସେପଟେ ଏଭଳି ସ୍ଥିତିର ସୁଯୋଗ ନେଇ ଆନ୍ଧ୍ର ବେପାରୀ କମ୍ ଦାମରେ ଚାଷୀଙ୍କ ଠାରୁ ଧାନ ନେଇ ଯାଉଛନ୍ତି। ଯାହାକୁ ନେଇ ଏବେ କୃଷକ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।