You are currently viewing ଟିପିଏସ୍ଓଡିଏଲର ଦୃଢ଼ ପ୍ରସ୍ତୁତି; ବାତ୍ୟା ମୋନ୍ଥାର ସଫଳ ମୁକାବିଲା
ଟିପିଏସ୍ଓଡିଏଲର ଦୃଢ଼ ପ୍ରସ୍ତୁତି; ବାତ୍ୟା ମୋନ୍ଥାର ସଫଳ ମୁକାବିଲା

ବ୍ରହ୍ମପୁର, ଅକ୍ଟୋବର ୨୯, ୨୦୨୫: ବାତ୍ୟା ମୋନ୍ଥା ପ୍ରଭାବରେ ସମଗ୍ର ଦକ୍ଷିଣ ଓଡ଼ିଶାରେ ପବନ ଏବଂ ବର୍ଷା ଦେଖିବାକୁ ମିଳିଥିଲା। ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ଅଧୀନରେ ଅନେକ ଅଞ୍ଚଳରେ ଏଥିପାଇଁ ସାମୟିକ ଭାବରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିଲା । ଏଭଳି ଏକ ଆହ୍ବାନମୂଳକ ସ୍ଥିତିରେ ଟିପିଏସ୍ଓଡିଏଲର ଅସାଧାରଣ ପ୍ରସ୍ତୁତି ଏବଂ ଦୃତ ପଦକ୍ଷେପ ଯୋଗୁଁ ସଫଳତାର ସହ ଏହି ସ୍ଥିତିର ମୁକାବିଲା ହୋଇପାରିଛି। ପ୍ରଭାବିତ ହୋଇଥିବା ମୋଟ ୯ଲକ୍ଷ ୮୮ହଜାର ୨୫୩ଜଣ ଉପଭୋକ୍ତାଙ୍କ ମଧ୍ୟରୁ ୯ଲକ୍ଷ ୫୦ହଜାରରୁ ଅଧିକ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଣ ସ୍ୱାଭାବିକ ହୋଇ ପାରିଛି। ବାତ୍ୟା ମୋନ୍ଥାର ପ୍ରକୋପ ସତ୍ତ୍ୱେ ମାତ୍ର ୧୮ଘଣ୍ଟାରେ ୯୮ପ୍ରତିଶତ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି।

ଏ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଆମ ଟିମ୍ ବିଭିନ୍ନ ସ୍ଥାନରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ କାର୍ଯ୍ୟରତ ଅଛନ୍ତି। ୯୮ ପ୍ରତିଶତ ଉପଭୋକ୍ତାଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯିବା ସହିତ, ଅତ୍ୟାବଶ୍ୟକୀୟ ସେବା କ୍ଷେତ୍ରଗୁଡ଼ିକୁ ମାତ୍ର ୧୮ ଘଣ୍ଟା ମଧ୍ୟରେ ବିଦ୍ୟୁତ ସେବା ଶତ ପ୍ରତିଶତ ଯୋଗାଇ ଦିଆଯାଇଛି। ଦୃଢ଼ ପ୍ରସ୍ତୁତି, ସମସ୍ତ ବୈଷୟିକ କୌଶଳକୁ ଉପଯୋଗ କରି ସମ୍ପୂର୍ଣ୍ଣ ସ୍ଥିତିର ସ୍ଥିରତା ଏବଂ ସ୍ଥିତି ସ୍ୱାଭାବିକ କରିବା ଯାଏଁ ଆମେ ସତର୍କ ଅଛୁ” ।

ଭାରତୀୟ ପାଣିପାଗ ବିଭାଗ ତରଫରୁ କିଛି ଅଞ୍ଚଳରେ ବର୍ଷା ଓ ପବନ ପାଇଁ ସତର୍କତା ଜାରି କରାଯାଇଛି। ଏଥିପାଇଁ ଟିପିଏସ୍ଓଡିଏଲ୍ ଜିଲ୍ଲା ପ୍ରଶାସନସହିତ ସମନ୍ୱୟ ରଖି ସମସ୍ତ ପ୍ରସ୍ତୁତି ଶେଷ କରିଛି।‌ କମ୍ପାନୀ ତରଫରୁ ଉପଭୋକ୍ତାଙ୍କୁ ଅନୁରୋଧ କରାଯାଇଛି ଛିଣ୍ଡା ବିଜୁଳି ତାର, ଭଙ୍ଗା ଖୁଣ୍ଟ ଠାରୁ ସୁରକ୍ଷିତ ଦୂରତା ଅବଲମ୍ବନ କରିବା ପାଇଁ। ଏଥିସହିତ ଯେକୌଣସି ବିଦ୍ୟୁତ ସମ୍ବନ୍ଧୀୟ ସମସ୍ୟା ଉପୁଜିଲେ ତୁରନ୍ତ ଦେୟମୁକ୍ତ ନମ୍ବର ୧୮୦୦୨୦୨୬ କିମ୍ବା ୧୯୧୨ରେ ସମ୍ପର୍କ କରି ଜଣାଇବାକୁ କୁହାଯାଇଛି।

ଟିପିଏସ୍ଓଡିଏଲ୍ ଭରସାଯୋଗ୍ୟ, ସୁରକ୍ଷିତ ଏବଂ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ ତାର ପ୍ରତିବଦ୍ଧତାକୁ ଦୋହରାଉଛି। ଏଥିସହିତ ପୁନରୁଦ୍ଧାର ସମୟରେ ଉପଭୋକ୍ତା ଏବଂ ଜନସାଧାରଣଙ୍କ ଧୈର୍ଯ୍ୟ ଏବଂ ସହଯୋଗ ପାଇଁ ସାଧୁବାଦ ଜଣାଉଛି।