You are currently viewing ପୀତବାସ ହତ୍ୟା ମାମଲା; ଅଭିଯୁକ୍ତଦେଖାଇଲେ ଡେମୋ
ପୀତବାସ ହତ୍ୟା ମାମଲା; ଅଭିଯୁକ୍ତଦେଖାଇଲେ ଡେମୋ

ବ୍ରହ୍ମପୁର (ଲଡୁ କିଶୋର ପାତ୍ର )ଆଇନଜୀବୀ ପୀତବାସ ହତ୍ୟା ମାମଲାର ୬ ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ନେଇଛି। ଗତକାଲି ଗିରଫ ହୋଇଥିବା ଉମା ବିଷୋୟୀ ଓ କୁରୁପତି ଭୂୟାଁଙ୍କୁ ରାତାରାତି ରିମାଣ୍ଡରେ ନିଆଯାଇଥିଲା। ଆଜି ସକାଳେ ଆଉ ୪ ଜଣଙ୍କୁ ରିମାଣ୍ଡରେ ନିଆଯାଇଛି। ସେମାନେ ହେଲେ ତ୍ୟାକାଣ୍ଡ ସମୟରେ ବାଇକ ଚଳାଉଥିବା ଚିଣ୍ଟୁ ପ୍ରଧାନ, ସୁଟର ଯୋଗାଡ଼ କରିଥିବା ଯୋଗୀ ରାଉତ ସହ ସୁପାରି ଟଙ୍କା ଦେଇଥିବା ମଦନ ଦଳେଇ ଓ କର୍ପୋରେଟର ମଳୟ ବିଷୋୟୀ।

ଏମାନଙ୍କୁ ୨ଦିନିଆ ରିମାଣ୍ଡରେ ନେଇ ଅଧିକ ପ୍ରମାଣ ଯୋଗାଡ଼ କରିବାକୁ ପୁଲିସ ଲକ୍ଷ୍ୟ ରଖିଛି।ଅନ୍ୟପାଖେ ଆଜି ଅପରାହ୍ନରେ ପୁଲିସ ଚିଣ୍ଟୁ ଓ କୁରୁପତିକୁ ଧରି କ୍ରାଇମ୍‌ ସ୍ପଟ୍‌ରେ ପହଞ୍ଚିଥିଲା। ବୈକୁଣ୍ଠନଗର ପ୍ରଥମ ଗଳିର ଯେଉଁଠାରେ ପୀତବାସଙ୍କୁ ଗୁଳିମାଡ଼ ହୋଇଥିଲା ସେଠାରେ ଅଭିଯୁକ୍ତମାନେ ଡେମୋ ଦେଖାଇଥିଲେ। ପୀତବାସ ସ୍କୁଟିରେ ଆସିବା ପୂର୍ବରୁ ଚିଣ୍ଟୁ ଓ କୁରୁପତି ଆଗୁଆ ସେଠାରେ ପହଞ୍ଚିଥିଲେ।

ପୀତବାସ ଆସିବା କ୍ଷଣି କୁରୁପତି ବାଇକ୍‌ରୁ ଓହ୍ଲାଇ ତାଙ୍କୁ ‘ପଣ୍ଡା ବାବୁ ନମସ୍କାର’ ବୋଲି କହିଥିଲା। ପୀତବାସ ‘କିଏ’ ବୋଲି ପଚାରିବା ପରେ କୁରୁପତି ଗୁଳି ଚଳାଇଥିଲା। ଗୁଳିଟି ପୀତବାସଙ୍କ ଛାତିରେ ବାଜିବା କ୍ଷଣି ସେ ତଳେ ପଡ଼ି ଯାଇଥିଲେ। ସ୍କୁଟି ବି ପାଖରେ ପଡ଼ି ଯାଇଥିଲା। ତଥାପି ଜୀବନ ବଞ୍ଚାଇବାକୁ ସେ କିଛି ପାଦ ଦୌଡ଼ିଥିଲେ ବି ଯାଇ ପାରିନଥିଲେ। ସେଠାରେ ପଡ଼ି ନିଶ୍ଚେଜ ହୋଇ ଯାଇଥିଲେ।