You are currently viewing ପୁରୀ ଜିଲ୍ଲାର କୃଷ୍ଣାଞ୍ଜନପୁର ଗ୍ରାମବାସୀଙ୍କ ସହ ଭାବବିନିମୟ କଲେ ରାଜ୍ୟପାଳମହିଳା ଉଦ୍ୟମିତା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ
ପୁରୀ ଜିଲ୍ଲାର କୃଷ୍ଣାଞ୍ଜନପୁର ଗ୍ରାମବାସୀଙ୍କ ସହ ଭାବବିନିମୟ କଲେ ରାଜ୍ୟପାଳମହିଳା ଉଦ୍ୟମିତା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

ପୁରୀ,୧/୧ -ଇଂରାଜୀ ନୂଆବର୍ଷର ପ୍ରଥମ ଦିନରେ ଆଜି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ପୁରୀ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୃଷ୍ଣାଞ୍ଜନପୁର ଗ୍ରାମ ଗସ୍ତ କରି ଗ୍ରାମବାସୀଙ୍କ ସହ ଭାବ ବିନିମୟ କରିବା ସହିତ ମହିଳାମାମାନେ ବିଭିନ୍ନ ସରକାରୀ ଯୋଜନା ଅଧୀନରେ ଋଣ ନେବା ସହ ଉଦ୍ୟୋଗପତି ହେବାକୁ ପ୍ରୋତ୍ସାହିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରାୟ ୮୦ ପ୍ରତିଶତରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ । ରାଜ୍ୟପାଳ ‘ମୁଦ୍ରା’ ଯୋଜନାର ଗୁରୁତ୍ୱ ଉପରେ ଆଲୋକପାତ କରି ମହିଳାମାନଙ୍କୁ ଏହି ଯୋଜନାର ସୁବିଧା ନେଇ ଆର୍ଥିକ ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଇଥିଲେ। ମହିଳାମାନଙ୍କ ଉତ୍ସାହଜନକ ଅଂଶଗ୍ରହଣରେ ରାଜ୍ୟପାଳ ଖୁସି ପ୍ରକଟ କରିବା ସହ ନୂଆବର୍ଷର ଶୁଭେଚ୍ଛା ଜଣାଇ ଥିଲେ ଏବଂ ଆଗାମୀ ଦିନରେ ଅଧିକ ସଂଖ୍ୟକ ମହିଳା ଉଦ୍ୟୋଗୀ ଦେଖିବାକୁ ସେ ଇଚ୍ଛା ପ୍ରକାଶ କରିଥିଲେ।
ପାରମ୍ପରିକ ଘୋଡ଼ା ନାଚ ଓ ଓଡ଼ିଶୀ ନୃତ୍ୟ ପରିବେଷଣ ମାଧ୍ୟମରେ ରାଜ୍ୟପାଳଙ୍କୁ ସ୍ୱାଗତ କରାଯାଇଥିଲା । ଏହା ପରେ ରାଜ୍ୟପାଳ ପ୍ରାୟ ୫୦ ଜଣ ମହିଳା ଅଂଶଗ୍ରହଣକାରୀଙ୍କୁ କମ୍ବଳ, ଶାଢ଼ୀ, କ୍ୟାଲେଣ୍ଡର ଓ ମିଠା ସମ୍ବଳିତ କିଟ୍ ବଣ୍ଟନ କରିଥିଲେ ।
ଗ୍ରାମବାସୀଙ୍କ ସହ ବ୍ୟକ୍ତିଗତ ଭାବ ବିନିମୟ କରି ରାଜ୍ୟପାଳ ପିଏମଏସବିୱାଇ, ପିଏମଜେଜେୱାଇ, ସୁଭଦ୍ରା ଯୋଜନା, ପିଏମଏୱାଇ, ଅଟଳ ପେନସନ ଯୋଜନା ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ଭଳି ସରକାରୀ ଯୋଜନାରୁ ଗ୍ରାମବାସୀ କେତେ ଲାଭବାନ ହୋଇ ପାରିଛନ୍ତି ତାହା ପଚାରି ବୁଝିଥିଲେ। ସାମାଜିକ ସୁରକ୍ଷା ଯୋଜନାରେ କମ ପଞ୍ଜୀକରଣ ହୋଇଥିବାରୁ ରାଜ୍ୟପାଳ ଚିନ୍ତା ପ୍ରକଟ କରି ସ୍ଥାନୀୟ ବ୍ୟାଙ୍କ ଅଧିକାରୀମାନଙ୍କୁ ଜନହିତକର ଯୋଜନା ବିଷୟରେ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟିକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ। ଏତତବ୍ୟତୀତ ଗ୍ରାମବାସୀଙ୍କ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟପାଳ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡ଼. ସମ୍ବିତ ପାତ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପୁରୀ କୋଣାର୍କ ବିକାଶ ପ୍ରାଧିକରଣର ସଚିବ ଦିଲୀପ କୁମାର ମହାରଣା ଏବଂ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ, ପୂର୍ବରୁ ରାଜ୍ୟପାଳ ଲୋକ ଭବନରେ ଡ଼. ସମ୍ବିତ ପାତ୍ରଙ୍କ ସହ ଆଲୋଚନା ବେଳେ ନୂଆବର୍ଷର ପ୍ରଥମ ଦିବସରେ ପୁରୀ ଯିବାର ଇଚ୍ଛା ପ୍ରକାଶ କରିଥିଲେ।

କିନ୍ତୁ ଶ୍ରୀ ଜଗନ୍ନାଥ ମନ୍ଦିରରେ ବିପୁଳ ସଂଖ୍ୟାରେ ଭକ୍ତଙ୍କ ସମାବେଶ ଏବଂ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ଭକ୍ତମାନଙ୍କୁ ଅସୁବିଧା ହେବାର ଆଶଙ୍କା କରି ରାଜ୍ୟପାଳ ମନ୍ଦିର ଦର୍ଶନରେ ନ ଯାଇ କୃଷ୍ଣାଞ୍ଜନପୁର ଗ୍ରାମରେ ଗ୍ରାମବାସୀଙ୍କ ସହ ମତ ବିନିମୟ କରିବାକୁ ରାଜ୍ୟପାଳ ସ୍ଥିର କରିଥିଲେ।