ବାଲୁଗାଁ – ୨୯/୦୧/୨୦୨୬- ବାଲୁଗାଁ ମହାବିଦ୍ୟାଳୟର ୪୫ତମ ବାର୍ଷିକ ସାମ୍ବତ୍ସରିକ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ସ୍ତମ୍ଭକାର ପ୍ରଫେସର ଡ଼ଃ ନିରଞ୍ଜନ ପାଢ଼ୀ ଓ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଶ୍ରୀ ଅଶ୍ରୁମୋଚନ ମହାନ୍ତି

ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଛନ୍ତି।ବାଲୁଗାଁ ମହାବିଦ୍ୟାଳୟ ଆମ୍ଭ ଅଞ୍ଚଳକୁ ନିରବଚ୍ଛିନ୍ନ ଭାବେ ଶିକ୍ଷାଲୋକ ବିତରଣ କରି ସମୁଜ୍ଜ୍ଵଳ ପ୍ରତିଭାସମ୍ପନ୍ନ ସୁନାଗରିକ ମାନଙ୍କୁ ସମର୍ପଣ କରି ନିଜକୁ ମହିମାମଣ୍ଡିତ କରିପାରିଛି ଏବଂ ଆଜିର ବିଦ୍ୟାର୍ଥୀ ସମାଜ ମୋବାଇଲ ଓ ସୋସିଆଲ ମିଡିଆର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରିବା ସହ ନିଜର ମାଟି, ଭାଷା ଓ ସଂସ୍କୃତିକୁ ସର୍ବଦା ସମ୍ମାନ ଦେବା ଆବଶ୍ୟକ ଏବଂ

ଛାତ୍ରଛାତ୍ରୀ ମାନେ ଏକାଗ୍ରତା, ସାଧନା କରି ନିଜ ଅଞ୍ଚଳକୁ ଗୌରବାନ୍ବିତ କରିବାକୁ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିବା ସହ ଜୀବନ ବଞ୍ଚିବାର କଳା, ଦାନ କରିବାର କଳା, ଭଲ ପାଇବାର କଳା,ମଣିଷ ପରି ମଣିଷ ହୋଇ ଉଠିବାର କଳା,ସକାରାତ୍ମକ ଚିନ୍ତନର କଳା,କାର୍ଯ୍ୟ କରିବାର କଳା ସମ୍ପର୍କରେ ବିଶଦ ଆଲୋକପାତ କରିଥିଲେ।

ଶିକ୍ଷାର୍ଥୀ ଜୀବନରେ ଶୃଙ୍ଖଳାର ଆବଶ୍ୟକତା ସର୍ବବାଦୀସମ୍ମତ। ଆଜିର ଶୃଙ୍ଖଳିତ ଶିକ୍ଷାର୍ଥୀ ସମାଜ ଆସନ୍ତା କାଲିର ସମୃଦ୍ଧ ରାଷ୍ଟ୍ରଗଠନ ସହାୟକ। ପ୍ରତ୍ୟେକ ଶିକ୍ଷାର୍ଥୀ ନିଜ ଦେଶ,ମାଟି କୁ ସ୍ନେହକରି ଶିଖିବା ଉଚ଼ିତ୍ ବୋଲି ବକ୍ତା ପ୍ରଫେସର ଡ଼ଃ ପାଢ଼ୀ ନିଜ ଅଭିଭାଷଣରେ ଉପସ୍ଥାପନ କରିଥିଲେ।ଅଭିନେତା ଶ୍ରୀ ଅଭିଷେକ ପଣ୍ଡା ନିଜ ଅଭିନୟ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ମହାବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଶୁଭ ଉଦଘାଟନ କରିଥିଲେ।
ଏହି ବର୍ଣ୍ଣାଢ଼୍ୟ ସମାରୋହରେ ବିଶିଷ୍ଟ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ଗୋପବନ୍ଧୁ ଶତ୍ରୁଶଲ୍ୟଙ୍କୁ ଅଧ୍ୟାପକ ଶାନ୍ତନୁ ଦାସ ନାଟ୍ୟ ସମ୍ମାନ-୨୦୨୬ ରେ ସମ୍ମାନିତ କରିବା ସହ ମହାବିଦ୍ୟାଳୟରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଏବଂ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ପୁରସ୍କାର ପାଇଥିବା ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉକ୍ତ ସଭାକୁ ପ୍ରଶାସନିକ ଅଧିକାରୀ ଡ଼ଃ କୈଳାସ ଚନ୍ଦ୍ର ମହାରଣାଙ୍କ ପରିଚାଳନା କରିଥିବା ସ୍ଥଳେ ଯୁକ୍ତ ଦୁଇ ଅଧ୍ୟକ୍ଷ ଶ୍ରୀ ସୁବାସ ଚନ୍ଦ୍ର ଶ୍ରୀଚ଼ନ୍ଦନ ଧନ୍ୟବାଦ୍ ଜ୍ଞାପନ କରିଥିଲେ।

