ପୁରୀ,୨୮/୫- ମହାପ୍ରଭୁଙ୍କ ଆଗରେ ପାରମ୍ପରିକ ମାହାରୀ ନୃତ୍ଯକୁ ବଡଦାଣ୍ଡ ଓ ମଞ୍ଚରେ ପ୍ରଦର୍ଶିତ କରାନଯାଉ ବୋଲି ପୁରୀ ପରମ୍ପରା ସୁରକ୍ଷା ମଞ୍ଚର ସାଂଗଠନିକ ବୈଠକରେ ଏହି ନୃତ୍ଯ ବନ୍ଦ ପାଇଁ ଦାବି କରାଯାଇଛି । ଶ୍ରୀମନ୍ଦିରରେ ବହୁବର୍ଷ ତଳେ ଦେବଦାସୀ ପ୍ରଥା ଓ ମାହାରୀ ନୃତ୍ଯ ପରମ୍ପରା ରହିଥିଲା । ଶ୍ରୀମନ୍ଦିର ପ୍ରଶାସନ ଦେବଦାସୀ ନିଯୁକ୍ତି ପାଇଁ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାରୁ କୋର୍ଟରେ ମାମଲା ହୋଇଥିଲା । ସୁପ୍ରିମକୋର୍ଟ ଏହି ନିଯୁକ୍ତିକୁ ବନ୍ଦ କରିଥିଲେ । ଶ୍ରୀଜଗନ୍ନାଥଙ୍କ ଏହି ଗୁପ୍ତ ନୃତ୍ଯ ସେବା ବିଶ୍ବବ୍ୟାପୀ ପ୍ରଚାରିତ ହେବାରୁ ଏହା ଶ୍ରୀଜଗନ୍ନାଥଙ୍କ ଧର୍ମ ପରମ୍ପରାକୁ କୁଠାରଘାତ କରୁଛି । ସମୁଦ୍ରକୂଳ ଲାଇଟହାଉସ ନିକଟରେ ଥିବା ପ୍ରଭୁପାଦ ହୋଟେଲ ସଭାଗୃହରେ ଅଚ୍ୟୁତାନ୍ତୁ ଟ୍ରଷ୍ଟ ପକ୍ଷରୁ ପୁରୀ ପରମ୍ପରା ସୁରକ୍ଷା ମଞ୍ଚର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଟ୍ରଷ୍ଟର ଅଧ୍ୟକ୍ଷା ରୋମା ଦାସମହାପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରମ୍ପରାରେ ବିଭ୍ରାଟ ଘଟୁଛି । ନାରୀ ଓ ଝିଅମାନେ ଖୋଲା ବଡଦାଣ୍ଡ ଓ ରଥ ଆଗରେ ନୃତ୍ଯ କରିବା ପାରମ୍ପରିକ ବିରୋଧୀ । ବର୍ଷକୁ ଗୋଟିଏ ଥର ଚତୁର୍ଦ୍ଧାମୂର୍ତ୍ତି ଭକ୍ତ ମାନଙ୍କ ପାଇଁ ରତ୍ନ ସିଂହାସନ ଛାଡି ବଡଦାଣ୍ଡ ରଥ ଉପରେ ବିଜେ ହୋଇଥାନ୍ତି । ଲକ୍ଷ ଲକ୍ଷ ଲୋକ ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତିପୂତ ଭାବେ ଚାହିଁ ରହିଥାନ୍ତି । ଭକ୍ତଙ୍କ ଭକ୍ତିରେ ଏହି ନୃତ୍ଯ ବାଧା ସୃଷ୍ଟି କରୁଛି । ପୂର୍ବରୁ ପ୍ରଭୁଙ୍କ ଆଗରେ ପୁରୁଷ ନୃତ୍ଯ ପରିବେଷଣ କରୁଥିଲେ । ଏହି ପାରମ୍ପରିକ ବିରୋଧୀ ନୃତ୍ଯ ଶିଳ୍ପୀଙ୍କୁ କିଏ ପାଉଣା ଦେଉଛି ତାକୁ ନେଇ ପ୍ରଶ୍ନ ଉଠୁଛି । ନାରୀ ମାନଙ୍କ ସମ୍ମାନକୁ ଏପରି ଦାଣ୍ଡରେ ପଡି ଘାଟରେ ନିଲାମ କରାନଯାଉ ବୋଲି ଆଲୋଚନା ହୋଇଥିଲା । ଏ ସମ୍ପର୍କରେ ଟ୍ରଷ୍ଟ ପକ୍ଷରୁ ଜିଲାପାଳ,ସଂସ୍କୃତି ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ମାଧ୍ୟମରେ ଜଣାଇବେ ବୋଲି ଆଲୋଚନା ହୋଇଥିଲା ।ଏହି ବୈଠକରେ ବରିଷ୍ଠ ଅଙ୍ଗଲାଗି ସେବକ ଗୌରୀଶଙ୍କର ସିଂହାରୀ, ଓଡିଶୀନୃତ୍ଯ ଶିଳ୍ପୀ ଗାୟତ୍ରୀ ଖୁଣ୍ଟିଆ, ରାଜଲକ୍ଷ୍ମୀ ଦାସ,ଶଙ୍ଖମିତ୍ର ସିଂହାରୀ, ଜଗନ୍ନାଥ ଷଡଙ୍ଗୀ,ଚନ୍ଦ୍ରଶେଖର କର, ସନ୍ଦିପ କର୍ମକାର, ନିରୋଦ ବେଉରିଆ,ରୋହନ କୁମାର ପଣ୍ଡା ଓ ଦିଲ୍ଲୀପ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।
