You are currently viewing ତିନିରଥର ଅନ୍ଧାରୀ ତାଗ ବାଡ଼ିଆ ଓବଡ ଥଳ ପୋଟଳର ଝାଞ୍ଜ ସଳଖା କାର୍ଯ୍ୟ ଶେଷ
ତିନିରଥର ଅନ୍ଧାରୀ ତାଗ ବାଡ଼ିଆ ଓବଡ ଥଳ ପୋଟଳର ଝାଞ୍ଜ ସଳଖା କାର୍ଯ୍ୟ ଶେଷ

ପୁରୀ,୧୮/୬-ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଜୁଲାଇ ୧୬ ତାରିଖ । ଏଥିପାଇଁ ଚଳଚଞ୍ଚଳ ରଥଖଳା । ରଥଖଳାରେ ଦ୍ରୁତ ଗତିରେ ଆଗେଇ ଚାଲିଛି ତିନିରଥ ନିର୍ମାଣ କାର୍ଯ୍ଯ । ଗୁରୁବାର ରଥ ନିର୍ମାଣର ୫୯ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ବୁଧବାର ସୁଦ୍ଧା ତିନିରଥର ମୂଳ ଭୂଇଁ ରେ କଇଞ୍ଚି ପଡ଼ିବା ସହ ତିନିରଥ ଉପରେ ତାଗ ବଟନ୍ ବାଡ଼ିଆ ପରେ ପଟା ପଡ଼ିବା ଆରମ୍ଭ ହୋଇଥିଲା ।

ଗୁରୁବାର ମୁଖ୍ୟ ମହାରଣାଙ୍କ ଉପସ୍ଥିତିରେ ତିନିରଥ ସହଯୋଗୀ ମହାରଣା ଏବଂ ଭୋଇ ସେବକ ମାନେ ତିନିରଥର ଦ୍ୱିତୀୟ ଭୂଇଁ ବା ମଝି ଭୂଇଁ ଉଭୟ ପାର୍ଶ୍ୱରେ ଆଗ ଆଣି ପଛ ଆଣି ଅନ୍ଧାରୀ ତାଗ ବାଡ଼ିଆ ସହ ତିନିରଥ ଅଗ ଭୂଇଁ ରେ ସ୍ଥାପିତ ହୋଇଥିବା ବଡ଼ ଥଳ ପୋଟଳ ର ଝାଞ୍ଜ ସଳଖା କାର୍ଯ୍ୟ ଶେଷ କରିଛନ୍ତି। ରଥ ଗଡ଼ିବା ବେଳେ ନିର୍ମାଣ ହୋଇଥିବା ତିନି ଭୂଇଁ ଯେପରି ଆଗକୁ ଝୁଙ୍କି ନଯିବ ବା ଦୋହଲି ନଯିବ ସେଥି ପାଇଁ ଅନ୍ଧାରୀ ତାଗ ବାଡ଼ିଆ ଯାଇଥାଏ । ସେହିପରି ଶେଷ ଭୂଇଁ ଖମ୍ବିରେ ସ୍ଥାପିତ ବଡ଼ ଥଳ ପୋଟଳ କୁ ସଳଖ କରି ରଖିବା ପାଇଁ ଆବଶ୍ୟକ ଦେଖି କଇଁଆ ବାଡ଼ିଆ କାର୍ଯ୍ୟ( ଝାଞ୍ଜ ସଳଖା) କାର୍ଯ୍ୟ ସମ୍ପନ୍ନ ହୋଇଅଛି। ଏଥିସହ ମହାରଣା ସେବକ ମାନେ ତିନି ରଥର କନକ ମୁଣ୍ଡି, ଅଁଳା ପିଣ୍ଡି, ଏବଂ ଛୋଟ କଳସ ପିଣ୍ଡି ନିର୍ମାଣ ଶେଷ କରିଛନ୍ତି। ଆଜି ତିନିରଥର ଦୁଆର ବେଢ଼ା କୁ ଧରି ରଖିବା ପାଇଁ ୪ ଟି ଲେଖାଏଁ ଧ୍ୱଜ ବତାରୁ ଦୁଇଟି ଲେଖାଏଁ ଧ୍ୱଜ ବତାର ଚଉପଟ କାର୍ଯ୍ୟ ଶେଷ ହୋଇଛି। ତିନିରଥର ୨୦ ଫୁଟିଆ ଦୁଇଟି ଲେଖାଏଁ ଘୋଡ଼ା ଇସ ର ଚଉପଟ କାର୍ଯ୍ୟ ପରେ ଆଠ କୋଣିି ଅଂଶ ମରା କାର୍ଯ୍ୟ ସହ ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକ ମାନେ କନ୍ଦର୍ପ ରୂପ ଖୋଦେଇ ଶେଷ ହୋଇଥିବା ୪ ଗୋଟି ଲେଖାଏଁ ନାଟ ଗୋଡ଼ ଗୁଡ଼ିକରେ ରଙ୍ଗ କାର୍ଯ୍ୟ ପାଇଁ ଚିତ୍ରକାର ଚାଳି କୁ ଭୋଇ ସେବକଙ୍କ ସହାୟତାରେ ପଠାଇବା ସହ ବାକି ତିନିରଥର ୪ ଟି ଲେଖାଏଁ ନାଟ ଗୋଡ଼ ଗୁଡ଼ିକରେ କନ୍ଦର୍ପ ରୂପ ଖୋଦେଇ ଜାରୀ ରଖିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନି ଭୂଇଁ ପାଇଁ କଇଞ୍ଛି କଣ୍ଟା ଶେଷ କରି ଦୁଆର ବେଢ଼ା ପାଇଁ କଣ୍ଟା ନିର୍ମାଣ ସହ ରଥ ଉପର ପଟା ବାଡ଼ିଆ ପାଇଁ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।ଦୋଳବେଦୀ ଠାରେ ପାହି ମହାରଣା ମାନେ ଅଣସର ପାଇଁ ମହାପ୍ରଭୁଙ୍କ ପଇତା ଡୋରି ବୋଳିବା ପାଇଁ ପାଟରା ସେବକଙ୍କ ପାଇଁ ଆବଶ୍ୟକ ବାଉଁଶ ନାଲ ୩୦ ଟି ବାଉଁଶ କାଠି ୪୦ ଟି ଏବଂ ବିଜେ ଡୋରି ବୋଳିବା ପାଇଁ ହାତୀ କିଆ,ଦୁଇ ହାତିଆ ଏବଂ ତିନି ହାତିଆ ପାଟ ବୋଳା କିଳା ୨୦ ପିସ୍ ଏଥିସହ ଘଣା ଲାଗି ପାଇଁ ୭ ଫୁଟର ବଡ଼ କାଠ କିଳା ନିର୍ମାଣ ଶେଷ କରି ରଥଯାତ୍ରା ରେ ଠାକୁରଙ୍କ ସେବା ପୂଜା ପାଇଁ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି। ଚିତ୍ରକାର ମାନେ ତିନିରଥର ପାର୍ଶ୍ୱ ଦେବ ଦେବୀ ମାନଙ୍କ ଚିତ୍ର ପ୍ରତିମା ରେ ରଙ୍ଗ କାର୍ଯ୍ୟ ସହ ତିନି ରଥର ଠାକୁରଙ୍କ ଆସ୍ଥାନ ବା ଶିଖର ଡମ୍ବରୁ,ଅଁଳା,ଓଲଟ ଶୁଆ , ନାଟ ଗୋଡ଼ରେ ରଙ୍ଗ କାର୍ଯ୍ୟ ସହ ତିନିରଥ ର ବାହ୍ୟ ଅଂଶ ଗୁଡ଼ିକର ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି। ତିନିରଥ ର ମହାରଣା ସେବକ ୭୬ଜଣ, ଭୋଇ ସେବକ ୭୫ଜଣ , ରୂପକାର ସେବକ ୨୧ଜଣ , କରତୀ ସେବକ ୪ଜଣ ,ଓଝା କମାର ସେବକ ୨୦ଜଣ ,ତୁମ୍ବ ବିନ୍ଧ କାରୀଗର ୨ଜଣ ,ପାହି ମହାରଣା ୨ଜଣ ,ଚିତ୍ରକାର ୨୦ଜଣ , ରଥଖଳା ସହାୟକ ୧ଜଣ ମୋଟ ୨୨୧ ଜଣ ସେବକ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାର୍ଯ୍ଯରେ ନିମଗ୍ନ ରହିଛନ୍ତି ।