ସୋରଡା,୪/୭/୨୬ : ଚଳିତ ଜୁଲାଇ ପହିଲାରୁ ଆରମ୍ଭ ହୋଇ ସପ୍ତାହ ବ୍ୟାପି ପାଳନ ହେଉଥିବା ୭୭ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ସବୁଠି ପାଳିତ ହେଉଥିବା ବେଳେ ଦକ୍ଷିଣ ଘୁମୁସର ବନଖଣ୍ଡ ,ଭଂଜନଗର ଅନ୍ତର୍ଗତ ବଡଗଡ ବନାଞ୍ଚଳ ପକ୍ଷରୁ ବନମହୋତ୍ସବ ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମଟିକୁ ସୋରଡା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟାଳୟ ସମ୍ମୁଖରେ ଚାରା ବିକ୍ରୟ କେନ୍ଦ୍ର ଓ ଭ୍ରାମ୍ୟମାଣ ସବୁଜ ରଥକୁ ଉଦ୍ଘାଟନ କରିଛନ୍ତି।

କାର୍ଯ୍ୟକ୍ରମ ଅନ୍ତର୍ଗତ ବଡଗଡ ଶିଶୁ ମନ୍ଦିର ପରିସରରେ ବିଭିନ୍ନ ଚାରା ରୋପଣ କରାଯାଇଥିଲା। ତତ୍ପରେ ଶିଶୁମନ୍ଦିର ସଭା କକ୍ଷରେ ବଡଗଡ ବନାଞ୍ଚଳ ତତଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ର ଛାତ୍ରୀ, ମହିଳା ଓ ଜନସାଧାରଣଙ୍କୁ ଅତିଥି ମାନେ ବୃକ୍ଷରୋପଣର ମହତ୍ତ୍ଵ ଓ ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ଇତି ଅବସରରେ ସମ୍ମାନିତ ଅତିଥି ଭାବେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରିଣୀ ବିପଶା ପାରୁଲ, ବଡଗଡ ଥାନା ଅଧିକାରୀ ବିମଲ କୁମାର କହଁର, ସମାଜ ସେବୀ ଭଗବାନ ପାତ୍ର, ଘୁମୁସର ଜିଲ୍ଲା ଉପସଭାପତି ରାଧାମୋହନ ସ୍ୱାଇଁ, ଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ମଞ୍ଚାସୀନ ହୋଇ ଜଳବାୟୁ ପରିବର୍ତ୍ତନକୁ ରୋକିବା ସହ ସୁସ୍ଥ ବାତାବରଣ ସୃଷ୍ଟି ପାଇଁ ବୃକ୍ଷ ରୋପଣ କରାଯାଇ ଜଙ୍ଗଲ ସୃଷ୍ଟି ହେବାରେ ସହାୟକ ହେବାକୁ ଆହ୍ଵାନ ଦେଇଥିଲେ।

କାର୍ଯ୍ୟକ୍ରମଟିକୁ ପରିପୁଷ୍ଟ କରିବାକୁ ଯାଇ ସୋରଡା ସରସ୍ଵତୀ ଶିଶୁମନ୍ଦିର, ବଡଗଡ ହାଇସ୍କୁଲ, ଲୋକମାରି ଆଦି ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କୁ ନେଇ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସୋରଡା ସରସ୍ଵତୀ ଶିଶୁ ମନ୍ଦିର ଛାତ୍ର ଛାତ୍ରୀ ପ୍ରଥମ ହୋଇ ପୁରସ୍କୃତ ହୋଇଛନ୍ତି।

ବଡଗଡ ଶିଶୁମନ୍ଦିର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପ୍ରଦର୍ଶିତ ପରିବେଶ ସମ୍ବନ୍ଧୀୟ ସଂକ୍ଷିପ୍ତ ନାଟକ ବେଶ ଉପଭୋଗ୍ୟ ହୋଇଥିଲା। କାର୍ଯ୍ୟକ୍ରମରେ ବଡଗଡ ଶିଶୁମନ୍ଦିର ଶିକ୍ଷକ ଶିକ୍ଷୟତ୍ରୀ, ବନାଞ୍ଚଳ କର୍ମଚାରୀ ଉପସ୍ଥିତ ରହି ବିଶେଷ ସହାୟତା କରିଥଲେ। ଉପସ୍ଥିତ ସମସ୍ତ ଅତିଥି, ଜନସାଧାରଣ ବଡଗଡ ବାନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକଙ୍କୁ ଜଙ୍ଗଲ ସୁରକ୍ଷା ତଥା କାଠ ମାଫିଆଙ୍କ ବିରୁଦ୍ଧରେ ନିଆଯାଉଥିବା କାର୍ଯ୍ୟପନ୍ଥା ପାଇଁ ଭୂୟସୀ ପ୍ରଂଶସା କରଯାଇଥିଲା।

