ପୁରୀ,୮/୭- ଆଷାଢ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନବେଦିରୁ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ ହୋଇ ବଡଦାଣ୍ଡରେ ଘର ଘର ନାଦ କରି ରଥ ଗଡିବ । ଏଥିପାଇଁ ବଡଦାଣ୍ଡ ସ୍ଥିତ ଶ୍ରୀମନ୍ଦିର କାର୍ଯ୍ଯାଳୟ ସମ୍ମୁଖ ରଥଖଳା ଚଳଚଞ୍ଚଳ ହୋଇଉଠିଛି । ରଥ ନିର୍ମାଣକାରୀ ସେବକ ମାନେ ତିନିରଥର ନିର୍ମାଣ କାର୍ଯ୍ଯ ଦ୍ରୁତ ଗତିରେ କରୁଛନ୍ତି । ବୁଧବାର ରଥ ନିର୍ମାଣର ୭୯ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଆଉ ୭ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ବୁଧବାର ତିନିରଥର ୩୦ଟି ରଥମୋଡ ଚକଫାଳି ନିର୍ମାଣ ଶେଷ ହୋଇଛି । ବିଳାସପଟି, ଚିକ୍କଣ ଫୁଲ, ଡାଳିଲତା ପକା ଓ ପୋଲ ଚାଦର ସିଲାଇ ଜାରୀ ରହିଛି । ମଙ୍ଗଳବାର ସୁଦ୍ଧା ତିନିରଥରେ ରଙ୍ଗ କାର୍ଯ୍ୟ ଶେଷ ହୋଇଥିବା ୩୨ ଗୋଟି କନ୍ୟା ପଟା ବାଡ଼ିଆ ଯିବା ସହ ପ୍ରଭାରେ ରଙ୍ଗ କାର୍ଯ୍ୟ ସହ ତିନିରଥର ବାହ୍ୟ ଅଂଶ ଏବଂ ଘୋଡ଼ା, ସାରଥୀଙ୍କ ରଙ୍ଗ କାର୍ଯ୍ୟ ଜାରୀ ରହିଥିଲା । ଆଜି ତିନିରଥର ମହାରଣା ସେବକ ମାନେ ୧୦ ଟି ଲେଖାଏଁ ରଥ ମୋଡ ଚକ ଫାଳି ନିର୍ମାଣ ଶେଷ କରିଛନ୍ତି। ରଥ ଗଡି ଦିଗ ହରା ହେଲେ ରଥକୁ ଦିଗ ଦିଆଯିବା ପାଇଁ ଚକ ମୋଡ ଫାଳୀ ର ବିଶେଷ ଆବଶ୍ୟକତା ପଡ଼ିଥାଏ। ଦିଗ ହରା ରଥକୁ ଦିଗ ଦେବା ପାଇଁ ରଥଟଣା ମାର୍ଗଦର୍ଶକଙ୍କ ନିର୍ଦ୍ଦେଶ ପ୍ରକାରେ ଭୋଇ ସେବକ ମାନେ ଏହି ମୋଡା ଚକ ଫାଳୀ କୁ ଉପଯୋଗ କରି ରଥକୁ ଦିଗ ଦେଇଥାନ୍ତି। ଆଜି ମହାରଣା ସେବକ ମାନେ ତିନିରଥର ବେଦୀ ସିଂହାସନ ରେ ବିଜେ ଚକା ସ୍ଥାପନ ପୂର୍ବରୁ ବେଦୀ ପରିସରକୁ ରଞ୍ଜା ମାରି ସଫା କାର୍ଯ୍ୟ ଶେଷ କରିଛନ୍ତି।ଚିତ୍ରକାର ସେବକ ମାନେ ତିନିରଥର ପ୍ରଭା ରେ ଖୋଦେଇ ରୂପରେ ରଙ୍ଗ କାର୍ଯ୍ୟ ର ଶେଷ ସ୍ପର୍ଶ ଦେବା ସହ ପ୍ରଭା ମଧ୍ୟ ଭାଗରେ ଅଙ୍କିତ ଦେବ ବେବୀଙ୍କ ରଙ୍ଗ ଚିତ୍ର କାର୍ଯ୍ୟ ମଧ୍ୟ ଶେଷ ସ୍ପର୍ଶ ଦେଉଛନ୍ତି।ଏଥିସହ ଚିତ୍ରକାର ସେବକ ମାନେ ତିନିରଥର ଚକ, ଦଣ୍ଡା, ଗୁଜ, ରଥ ଉପର ନାହାକା ,ବ୍ରେକ ପୁଲି, ଘୋଡ଼ା, ସାରଥୀ ଇତ୍ୟାଦିର ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।ଦରଜୀ ସେବକ ମାନେ ନନ୍ଦି ଘୋଷ ରଥର ବାକି ରହିଥିବା ବତା କନାରେ ବିଳାସ ପଟି ପକା କାର୍ଯ୍ୟ ଶେଷ କରି ତିନିରଥର ଦୁଆର ବେଢା ଚନ୍ଦ୍ର ଶାଳୀ ରେ ଚିକଣ ଫୁଲ, ଡାଳି ଲତା ପକା କାର୍ଯ୍ୟ ସହ, ଦୁଆର ବେଢ଼ା କନାରେ ପୋଲମୁଦ୍ରା, ପୋଲ ଚାଦର ସିଲାଇ କାର୍ଯ୍ୟ ଜାରୀ ରଖିଛନ୍ତି।ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକ ମାନେ ଜରୁରୀ ପରିସ୍ଥିତି ପାଇଁ କିଛି ଆବଶ୍ୟକ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।ପାହି ମହାରଣା ମାନେ ରଥ ଯାତ୍ରା ରେ ସେବା ପୂଜା ପାଇଁ ସରଞ୍ଜାମ ନିର୍ମାଣ ଶେଷ କରି ଗୁଣ୍ଡିଚା ମନ୍ଦିର ରେ ବ୍ୟବହାର ପାଇଁ ଆବଶ୍ୟକୀୟ କାଠ ସରଂଜାମ ନିର୍ମାଣ ଜାରୀ ରଖିଛନ୍ତି। ତିନିରଥର ମହାରଣା ସେବକ ୭୮ଜଣ ,ଭୋଇ ସେବକ ୭୬ଜଣ ,କରତୀ ସେବକ ୪ଜଣ, ରୂପକାର ସେବକ ୨୧ଜଣ,ଓଝା କମାର ସେବକ ୨୦ଜଣ ,ତୁମ୍ବ ବିନ୍ଧ କାରିଗର ୨ଜଣ,ପାହି ମହାରଣା ୨ଜଣ ଚିତ୍ରକାର ୪୦ଜଣ ଓ ରଥଖଳା ସହାୟକ ୧ ଜଣ ମୋଟ ୨୪୪ ଜଣ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାର୍ଯ୍ଯରେ ନିଷ୍ଠା ଶ୍ରଦ୍ଧା ଓ ଭକ୍ତିର ସହ ନିମଗ୍ନ ରହିଛନ୍ତି ।
