ଖୋର୍ଦ୍ଧା: ବାଲୁଗାଁ ଥାନା ପକ୍ଷରୁ ଆଜି ବାଲୁଗାଁ ସ୍ଥିତ ଗୋପୀନାଥ ପୁର ଓ ଆଙ୍କୁଲା ଉଚ୍ଚ ବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ ଓ ସାଇବର ସୁରକ୍ଷା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି ଅବସରରେ ବାଲୁଗାଁ ଥାନା ଅଧିକାରୀଣୀ ଛାତ୍ରଛାତ୍ରୀମାନଙ୍କୁ ନିଶା ସେବନ ଦ୍ୱାରା ଶରୀର, ପରିବାର ଓ ସମାଜ ଉପରେ ପଡୁଥିବା କୁପ୍ରଭାବ ସମ୍ପର୍କରେ ସଚେତନ କରିଥିଲେ। ନିଶାଠାରୁ ଦୂରେଇ ରହି ଏକ ସୁସ୍ଥ, ସୁନ୍ଦର ଓ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା।

ସେହିପରି ବର୍ତ୍ତମାନ ସମୟରେ ବଢ଼ୁଥିବା ସାଇବର ଅପରାଧ ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ମୋବାଇଲ ଫୋନର ଅପବ୍ୟବହାର, ଅନଲାଇନ୍ ଠକେଇ, ସୋସିଆଲ ମିଡିଆରେ ଫଟୋ ଓ ବ୍ୟକ୍ତିଗତ ତଥ୍ୟ ସେୟାର କରିବା ସମୟରେ କିପରି ସତର୍କ ରହିବେ, ସେନେଇ ବିସ୍ତୃତ ଭାବେ ବୁଝାଯାଇଥିଲା। କୌଣସି ଅଜଣା ଲିଙ୍କରେ କ୍ଲିକ୍ ନକରିବା ଏବଂ କାହା ସହିତ ମଧ୍ୟ OTP କିମ୍ବା ବ୍ୟାଙ୍କ ସମ୍ବନ୍ଧୀୟ ଗୋପନୀୟ ତଥ୍ୟ ସେୟାର ନକରିବାକୁ ପରାମର୍ଶ ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଛାତ୍ରଛାତ୍ରୀମାନେ ନିଶାମୁକ୍ତ ଭାରତ ଗଠନ ପାଇଁ ଶପଥ ଗ୍ରହଣ କରିଥିଲେ।


