ବିଜେପି ଗଡରେ ବିଜେଡିର ମିଶ୍ରଣ ପର୍ବ।
ପାତ୍ରପୁର,୨୭/୦୮/୨୬, ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଚିକିଟୀ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବଢ଼ୁଥିବା ବେଳେ ବୁରାତାଳ ପଞ୍ଚାୟତରେ ଘଟିଛି ଏକ ଚର୍ଚ୍ଚିତ ରାଜନୈତିକ ଦଳବଦଳ। ବିଜେପିର ଗଡ଼ ଭାବେ ପରିଚିତ ବୁରାତାଳରୁ ୪ ଜଣ ସକ୍ରିୟ କର୍ମୀ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଥିବା ଜଣାପଡ଼ିଛି।
ଗୁରୁବାର ଚିକିଟୀ ରାଜବାଟୀ ପରିସରରେ ଆୟୋଜିତ ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଓ ଯୁବ ନେତା ଶ୍ରୀରୂପ ଦେଓଙ୍କ ଉପସ୍ଥିତିରେ ବୁରାତାଳ ପଞ୍ଚାୟତର ବାବୁଲା ସବର, ସରତ ବଡ଼ମୁଣ୍ଡି, ରମେଶ ଭୁଆଁ ଓ ଜିତୁ ନାମକ ଚାରିଜଣ ଆଗ ଧାଡିର କର୍ମୀ ବିଜେଡିରେ ସାମିଲ ହୋଇଥିବା ଦଳୀୟ ସୂତ୍ରରୁ କୁହାଯାଇଛି। ନୂତନ ଭାବେ ଯୋଗଦେଇଥିବା କର୍ମୀଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା। ଦଳବଦଳ ପରେ ବାବୁଲା ସବର କହିଛନ୍ତି ଯେ, ବିଜେପିର ଦଳୀୟ ଅବହେଳା, ଶୃଙ୍ଖଳାହୀନତା ଓ କାର୍ଯ୍ୟଶୈଳୀରେ ସେମାନେ ଅସନ୍ତୁଷ୍ଟ ଥିଲେ। ଅଞ୍ଚଳର ସର୍ବାଙ୍ଗୀଣ ବିକାଶ ପାଇଁ ଉଷା ଦେବୀଙ୍କ ନେତୃତ୍ୱ ଉପରେ ଭରସା କରି ସେମାନେ ବିଜେଡିରେ ଯୋଗଦେଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଉଷା ଦେବୀ ନୂତନ କର୍ମୀଙ୍କୁ ସ୍ୱାଗତ କରି କହିଛନ୍ତି ଯେ, ବିଜେଡିର ବିକାଶମୂଳକ ନୀତି ଓ ଆଭିମୁଖ୍ୟ ଉପରେ ଲୋକଙ୍କ ବିଶ୍ୱାସ ରହିଛି। ସକ୍ରିୟ କର୍ମୀଙ୍କ ଯୋଗଦାନ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବ ବୋଲି ସେ କହିଛନ୍ତି।
ବିଶେଷ କରି ବାବୁଲା ସବରଙ୍କ ଦଳବଦଳକୁ ନେଇ ବୁରାତାଳ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ସେ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ୨୦୨୨ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ପାଇଁ ସଂଗଠନାତ୍ମକ ଭୂମିକା ନେଇଥିବା ତାଙ୍କ ସମର୍ଥକମାନେ କହିଛନ୍ତି।
ତେଣୁ ବାବୁଲାଙ୍କ ସମେତ ୪ ଜଣ କର୍ମୀଙ୍କ ବିଜେଡିରେ ଯୋଗଦାନକୁ ନେଇ ବୁରାତାଳରେ ବିଜେପିର ସଂଗଠନ ଉପରେ ଏହାର ପ୍ରଭାବ ପଡ଼ିବ କି ନାହିଁ, ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
ତେବେ ବିଜେଡି ପକ୍ଷରୁ ଆଗାମୀ ଦିନରେ ଆହୁରି କିଛି ନେତା ଓ ସକ୍ରିୟ କର୍ମୀ ଦଳରେ ଯୋଗଦେବା ନେଇ ଦାବି କରାଯାଉଛି। ଏହି ଦଳବଦଳ ଆଗାମୀ ପଞ୍ଚାୟତ ନିର୍ବାଚନରେ ବୁରାତାଳର ରାଜନୈତିକ ଚିତ୍ରକୁ କେତେଦୂର ପ୍ରଭାବିତ କରିବ, ତାହା ନିର୍ବାଚନ ଫଳାଫଳ ପରେ ହିଁ ସ୍ପଷ୍ଟ ହେବ ବୋଲି ମତ ପ୍ରକାଶ ପାଇଛି।ଆଜିର ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ପାତ୍ରପୁର ବିଜେଡି ଯୁବ ସଭାପତି ଜେ ଧର୍ମା ରେଡି,ସରୋଜ କୁମାର ପଣ୍ଡା, ଚନ୍ଦ୍ରଶେଖର ପ୍ରଧାନ,ନାଗମା ରାଓ ଓ ଜ୍ୟୋତି ରେଡ୍ଡୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।
