You are currently viewing ଭୂଦାନ କର୍ମୀ ଲକ୍ଷ୍ମଣ ପାତ୍ରଙ୍କ ତିରୋଧାନ ଦିବସ ଓ ବିନୋବା ଭାବେଙ୍କ ଜୟନ୍ତୀ ପାଳିତ
ଭୂଦାନ କର୍ମୀ ଲକ୍ଷ୍ମଣ ପାତ୍ରଙ୍କ ତିରୋଧାନ ଦିବସ ଓ ବିନୋବା ଭାବେଙ୍କ ଜୟନ୍ତୀ ପାଳିତ


ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ନିକଟସ୍ଥ ରାଜସ୍ୱ ବିଭାଗ କନଫରେନ୍ସ ହଲ୍‌ଠାରେ ଆଜି ସକାଳ ୧୦ଟାରେ ଭୂଦାନ କର୍ମୀ, ସମାଜସେବୀ ତଥା ଗାନ୍ଧୀବାଦୀ ଲକ୍ଷ୍ମଣ ପାତ୍ରଙ୍କ ତିରୋଧାନ ଦିବସ ସହିତ ଆଚାର୍ଯ୍ୟ ବିନୋବା ଭାବେଙ୍କ ଜୟନ୍ତୀ ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତହୋଇଥିଲା।
ସଭାରେ ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତି, ଗ୍ରୀନ୍ ନୋବେଲ ବିଜେତା ତଥା ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାୟ, କର୍ମଯୋଗୀ ଡ. ବିଜୟ କୁମାର ରଥ, ସେବା ସମାଜ, ଗୁଣୁପୁରର ସମ୍ପାଦିକା ରାଜେଶ୍ୱରୀ ଦଳାଇଙ୍କ ସମେତ ଅନେକ ବରେଣ୍ୟ ବ୍ୟକ୍ତିତ୍ୱ ସଭାକୁ ସମ୍ବୋଧିତ କରାଯାଇଥିଲା ।
ଅତିଥି ଭାବେ ସ୍ତମ୍ଭକାର, ସୁଲେଖକ ତଥା ସମ୍ପାଦକ ସ୍ୱମେନ୍ଦ୍ର ଜେନା, କଳିଙ୍ଗ ଟିଭିର ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ‘ନବୀନ ବ୍ରହ୍ମପୁର’ର ସମ୍ପାଦକ ରବି ରଥ ଏବଂ ପ୍ରଫେସର ଡ. ବିଶ୍ୱଜିତ୍ ରାୟ ପ୍ରମୁଖ ଯୋଗଦେଇଥିଲେ।
ସଭାରେ ଲକ୍ଷ୍ମଣ ପାତ୍ରଙ୍କ ପରିବାରବର୍ଗ, ବନ୍ଧୁ-ପରିଜନ, ଓଡ଼ିଶାର ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି, ସମାଜସେବୀ, ଗାନ୍ଧୀବାଦୀ ଚିନ୍ତକ ଓ ଶୁଭେଚ୍ଛୁମାନେ ଯୋଗଦେଇ ତାଙ୍କ ସ୍ମୃତିଚାରଣ କରିଥିଲେ। ରଶ୍ମିତା ସାମଲ, ସମେତ ଅନେକ ସହଯୋଗୀ ଓ ଶୁଭେଚ୍ଛୁଙ୍କ ଉପସ୍ଥିତି ସଭାକୁ ଅଧିକ ଅର୍ଥପୂର୍ଣ୍ଣ କରିଥିଲା।


ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଡ. ପ୍ରତାପ ଜେନା ଲକ୍ଷ୍ମଣ ପାତ୍ରଙ୍କ ସ୍ମୃତିରେ ପ୍ରସ୍ତୁତ ଫେଲିସିଟେସନ୍ କପି ପାଠ କରି ତାଙ୍କୁ ସମ୍ମାନ ଜଣାଇଥିଲେ।
ଭୂଦାନ ଆନ୍ଦୋଳନରେ ଲକ୍ଷ୍ମଣ ପାତ୍ରଙ୍କ ଅବଦାନ
ବକ୍ତାମାନେ କହିଥିଲେ ଯେ ଗଜପତି ଜିଲ୍ଲାର ଗୁରାଣ୍ଡି ଅଞ୍ଚଳର ଲକ୍ଷ୍ମଣ ପାତ୍ର ଭୂଦାନ ଆନ୍ଦୋଳନର ଜଣେ ନିଷ୍ଠାବାନ୍ ଓ ଅଗ୍ରଣୀ କର୍ମୀ ଥିଲେ। ସେ ଗୁରାଣ୍ଡି ଗ୍ରାମ ପଞ୍ଚାୟତର ⁷ସରପଞ୍ଚ ପଦ ଛାଡ଼ି ଭୂଦାନ ଆନ୍ଦୋଳନରେ ନିଜକୁ ସମର୍ପିତ କରିଥିଲେ।
ଆନ୍ଦୋଳନରେ ଯୋଗଦେବା ପରେ ସେ ଓଡ଼ିଶାର ବିଭିନ୍ନ ଆଦିବାସୀ ଅଞ୍ଚଳରେ ବୁଲି ବୁଲି ଲୋକମାନଙ୍କୁ ଭୂଦାନ ଆନ୍ଦୋଳନ ସହିତ ଯୋଡ଼ିଥିଲେ। ତାଙ୍କ ଡାଏରୀରୁ ଜଣାପଡ଼େ ଯେ ସେ ପ୍ରତିଦିନ ୧୦ ରୁ ୧୫ କିଲୋମିଟର କିମ୍ବା ତା’ଠାରୁ ଅଧିକ ରାସ୍ତା ପାଦରେ ଚାଲି ଚାଲି ଆଦିବାସୀ ଲୋକଙ୍କ ନିକଟକୁ ପହଞ୍ଚୁଥିଲେ। ସେମାନଙ୍କ ସହିତ ରହି, ସେମାନଙ୍କ ଜୀବନକୁ ବୁଝି ଏବଂ ଭୂଦାନର ଆଦର୍ଶ ପ୍ରତି ଲୋକଙ୍କୁ ପ୍ରେରିତ କରିବାରେ ସେ ଅସାଧାରଣ ଭୂମିକା ନେଇଥିଲେ।
ଆଚାର୍ଯ୍ୟ ବିନୋବା ଭାବେଙ୍କ ଓଡ଼ିଶା ଗସ୍ତ ସମୟରେ ଲକ୍ଷ୍ମଣ ପାତ୍ର ତାଙ୍କ ସହିତ ରହି ଭୂଦାନ ଆନ୍ଦୋଳନରେ କାର୍ଯ୍ୟ କରିଥିଲେ। ତାଙ୍କର ନିଷ୍ଠା, ତ୍ୟାଗ ଓ କର୍ମନିଷ୍ଠାରେ ବିନୋବା ଭାବେ ମଧ୍ୟ ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ। ବିନୋବା ଭାବେ ନିଜ ଲେଖାରେ ଲକ୍ଷ୍ମଣ ପାତ୍ରଙ୍କୁ ହନୁମାନଙ୍କ ସହିତ ତୁଳନା କରିଥିବା ଉଲ୍ଲେଖ ମିଳେ। ଏହା ତାଙ୍କ ପ୍ରତି ବିନୋବାଙ୍କ ଗଭୀର ଆସ୍ଥା ଓ ସ୍ନେହର ପ୍ରମାଣ।
ସଭାରେ ଲକ୍ଷ୍ମଣ ପାତ୍ରଙ୍କ ଜୀବନ ଓ ଭୂଦାନ ଆନ୍ଦୋଳନ ପ୍ରତି ତାଙ୍କର ଅବଦାନ ଉପରେ ଗବେଷଣା କରିଥିବା ଡ. ବାୟମନ୍ଜରଙ୍କ ଗବେଷଣାକାର୍ଯ୍ୟର ମଧ୍ୟ ଉଲ୍ଲେଖ କରାଯାଇଥିଲା।
ପୂଜ୍ୟ ଭୂଦାନ କମିଟି ଓ ଲକ୍ଷ୍ମଣ ପାତ୍ର ସ୍ମୃତି କମିଟିର ସହ-ସମ୍ପାଦକ ସଞ୍ଜୟ ରାଉତ ସଂଗଠନର ଆଗାମୀ ଆଭିମୁଖ୍ୟ ସମ୍ପର୍କରେ ମତ ରଖିଥିଲେ। ଲକ୍ଷ୍ମଣ ପାତ୍ରଙ୍କ ଜୀବନ ଓ ଭୂଦାନ ଆନ୍ଦୋଳନର ଆଦର୍ଶକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବା ପାଇଁ ଡିଜିଟାଲ ମାଧ୍ୟମର ସର୍ବାଧିକ ଉପଯୋଗ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ସ୍ୱମେନ୍ଦ୍ର ଜେନା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇ କହିଥିଲେ ଯେ କେବଳ ଏକ ବଡ଼ ଜୀବନୀ ଲେଖିଦେଲେ ହେବ ନାହିଁ; ଲକ୍ଷ୍ମଣ ପାତ୍ରଙ୍କ ଜୀବନ, ତାଙ୍କ ତ୍ୟାଗ ଓ ଭୂଦାନ ଆନ୍ଦୋଳନର ଆଭିମୁଖ୍ୟକୁ ଜୀବନ୍ତ ରଖିବା ପାଇଁ ଛୋଟ ଛୋଟ ଲେଖା, ଭିଡିଓ ଓ ଦୃଶ୍ୟମାଧ୍ୟମରେ ତାଙ୍କ କାହାଣୀକୁ ଆଜିର ଯୁବପିଢ଼ି ପାଖରେ ପହଞ୍ଚାଇବା ଆବଶ୍ୟକ। ଏପରି ପ୍ରୟାସ ଦ୍ୱାରା ନୂଆ ପିଢ଼ି ଲକ୍ଷ୍ମଣ ପାତ୍ରଙ୍କ ଆଦର୍ଶରୁ ପ୍ରେରଣା ନେଇପାରିବେ।
ସମଗ୍ର କାର୍ଯ୍ୟକ୍ରମରେ ଲକ୍ଷ୍ମଣ ପାତ୍ରଙ୍କ ଜୀବନ, ତ୍ୟାଗ, ସେବା ଓ ଭୂଦାନ ଆନ୍ଦୋଳନ ପ୍ରତି ତାଙ୍କର ଅବିସ୍ମରଣୀୟ ଅବଦାନକୁ ସ୍ମରଣ କରାଯାଇଥିଲା। ତାଙ୍କ ଭଳି ନିଷ୍ଠାବାନ୍ ସମାଜସେବୀଙ୍କ ଜୀବନାଦର୍ଶକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ।