ପୁରୀ,୧୩/୯-ପୁରୀ ମହାନଗର ନିଗମ ଅନ୍ତର୍ଗତ ୱାଟର ୱାର୍କସ ରୋଡ ଠାରେ ଥିବା ପୁରାତନ ଓଡିଶା ବେକାରୀ ଫ୍ଯାକ୍ଟରୀର ରିଟେଲ କାଉଣ୍ଟରରେ ଫିମ୍ପି ମରା ପେଟିସ୍ ( ପେଷ୍ଟ୍ରି) ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଅବିନାଶ ପରିଡା ନାମକ ଜଣେ ଯୁବକ ରବିବାର ଦିନ ସକାଳେ ଏହି କାଉଣ୍ଟର ରୁ ୨ଟି ପେଟିସ୍ କିଣି ନେଇଥିଲେ । ଘରକୁ ଯାଇ ପଲିଥିନ୍ ରୁ ଖୋଲିବା ପରେ ଦୁର୍ଗନ୍ଧ ବାହାରିଥିଲା । ପେଟିସ ର ଚାରିପଟେ ଫିମ୍ପି ଲାଗିଯାଇଥିଲା । ସେଥିରେ ଲାଗିଥିବା ମିଠା ସକ୍ସ ମଧ୍ଯ ଝାଳେଇ ଯାଇଥିଲା । ଏହା ପରେ ଅବିନାଶ ସେହି ପେଟିସ କୁ ନେଇ ଫେରାଇ ଟଙ୍କା ମାଗିବାରେ କାଉଣ୍ଟର କର୍ମଚାରୀ ଦେଇନଥିଲେ । ପ୍ରମାଣ ନଷ୍ଟ କରିବା ପାଇଁ କାଉଣ୍ଟର ବସିଥିବା କର୍ମଚାରୀ ଜଣକ ଏହାକୁ ଖାଇ ଦେଇଥିଲେ । ଯୁବକଙ୍କୁ କୌଣସି ରସିଦ ବିଲ ଓ ଏକ୍ସପାରୀ ତାରିଖ ସମ୍ପର୍କରେ ଲେଖା ଦେଇନଥିଲେ । ଏବେ ଲଘୁଚାପ ଜନିତ ବର୍ଷା ଯୋଗୁ ଅନେକ ସ୍ଲୁଲର ଛାତ୍ରଛାତ୍ରୀ ଏହି ବେକାରୀରୁ ପାଉଁରୁଟି ନେଉଥିବା ଦେଖିବାକୁ ମିଳିଛି । ନିକଟରେ ଥିବା ଡିଏଭି ସ୍ଲୁଲର ଛାତ୍ରଛାତ୍ରୀ ମାନେ ଏହି ଖୁଚୁରା ବେକାରୀ ଷ୍ଟଲରୁ ବିଭିନ୍ନ ବିସ୍କୁଟ ଓ କେକ୍ ଖାଉଥିବା ଦେଖିବାକୁ ମିଳୁଛି । ସେହି ବାଟଦେଇ ଚକ୍ରତୀର୍ଥ ରୋଡରୁ ଆସୁଥିବା ପର୍ଯ୍ୟଟକ ମାନେ ଏଠାରୁ କେକ୍ ଓ ବିସ୍କୁଟ ନେଉଛନ୍ତି । ସିଡିଏମଓ କାର୍ଯ୍ୟାଳୟରେ ଥିବା ଖାଦ୍ଯ ନିରାପତ୍ତା ଅଧିକାରୀ କିମ୍ବା ମହାନଗର ନିଗମର ସ୍ବାସ୍ଥ୍ୟ ଅଧିକାରୀ ଏହାକୁ ଯାଞ୍ଚ କରୁନଥିବା ଅଭିଯୋଗ ହେଉଛି । ଯୁବକଙ୍କୁ କାଉଣ୍ଟର ମ୍ଯାନେଜର ଓ କର୍ମଚାରୀ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି । ଅସ୍ବାସ୍ଥ୍ୟକର ପରିବେଶ ଓ ନିମ୍ନ ମାନର କଞ୍ଚାମାଲ ବ୍ଯବହାର ଯୋଗୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନା ହେଉଛି ।

