ଚୋରି ହୋଇଥିବା ୧୯ ଦୁଇଚକିଆ ଯାନ ଉଦ୍ଧାର, ୧୭ ଫେରିପାଇଲେ ମାଲିକ
ବ୍ରହ୍ମପୁର, ୨୦/୯/୨୬: ହଜିଯାଇଥିବା ଓ ଚୋରି ହୋଇଥିବା ୧୨୧ଟି ମୋବାଇଲ ଫୋନ୍ ଉଦ୍ଧାର କରିଛି ବ୍ରହ୍ମପୁର ସାଇବର ଅପରାଧ ଥାନା ପୁଲିସ। ଏଥିମଧ୍ୟରୁ ୧୦୨ଟି ମୋବାଇଲ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ବଡ଼ବଜାର ଥାନା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏସ୍ପି ଡା. ସର୍ବଣା ବିବେକ ଏମ୍ଙ୍କ ଉପସ୍ଥିତିରେ ମାଲିକମାନଙ୍କୁ ମୋବାଇଲ ଫେରାଇ ଦିଆଯାଇଥିଲା। ଅବଶିଷ୍ଟ ୧୯ଟି ମୋବାଇଲର ମାଲିକାନା ଚିହ୍ନଟ ପ୍ରକ୍ରିୟା ଚାଲିଛି।ସେହିପରି ବଡ଼ବଜାର ଥାନା ପୁଲିସ ଦୁଇଟି ମାମଲାର ତଦନ୍ତ ସମୟରେ ୧୯ଟି ଚୋରି ଦୁଇଚକିଆ ଯାନ ଉଦ୍ଧାର କରିଛି। ଏଥିମଧ୍ୟରୁ ୧୭ଟି ମୋଟରସାଇକେଲ ଓ ସ୍କୁଟର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି।କାର୍ଯ୍ୟକ୍ରମରେ ଏସ୍ପି ସାଇବର ଅପରାଧରୁ ସତର୍କ ରହିବା ସହ ଓଟିପି, ପିନ୍, ଆଧାର ଓ ବ୍ୟାଙ୍କ ସମ୍ପର୍କିତ ଗୋପନୀୟ ତଥ୍ୟ କାହା ସହ ଆଦାନପ୍ରଦାନ ନକରିବାକୁ ପରାମର୍ଶ ଦେଇଥିଲେ।

ହଜିଥିବା ମୋବାଇଲ ପାଇଁ ଆଇଏମ୍ଇଆଇ ନମ୍ବର, କ୍ରୟ ପ୍ରମାଣପତ୍ର ଓ ପରିଚୟପତ୍ର ସହ ସାଇବର ଅପରାଧ ଥାନାରେ ଯୋଗାଯୋଗ କରିବାକୁ ପୁଲିସ ପକ୍ଷରୁ କୁହାଯାଇଛି।

