ବାଲିଗୁଡ଼ା, ୨୦/୦୯: (ସଞ୍ଜୟ କୁମାର ପାଣିଗ୍ରାହୀ): ଦୀର୍ଘଦିନ ଧରି ଚାଲିଥିବା ପୂଜା ଓ ଉତ୍ସବର ଅନ୍ତିମ ପର୍ଯ୍ୟାୟରେ ବାଲିଗୁଡ଼ା ସହର ତଥା ଆଖପାଖ ଅଞ୍ଚଳରେ ଗଣେଶ ଓ ବିଶ୍ୱକର୍ମା ଦେବଙ୍କ ପ୍ରତିମା ବିସର୍ଜନ ରବିବାର ସନ୍ଧ୍ୟା ରେ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଭିନ୍ନ ପୂଜାମଣ୍ଡପରୁ ଆକର୍ଷଣୀୟ ଶୋଭାଯାତ୍ରା ବାହାରିଥିଲା। ଢୋଲ, ମହୁରୀ, ବାଜା ଓ ଡିଜେର ତାଳେ ତାଳେ ଶ୍ରଦ୍ଧାଳୁମାନେ ନାଚିବା ସହ ‘ଗଣପତି ବାପ୍ପା ମୋରିଆ’ ଓ ବିଶ୍ୱକର୍ମା ଦେବଙ୍କ ଜୟଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। ବିଭିନ୍ନ ସାହି ଓ ଅନୁଷ୍ଠାନ ପକ୍ଷରୁ ସୁସଜ୍ଜିତ ମେଢ଼ ସହ ଶୋଭାଯାତ୍ରା କରାଯାଇଥିଲା। ବିସର୍ଜନ ପୂର୍ବରୁ ପୂଜାମଣ୍ଡପରେ ବିଶେଷ ପୂଜାର୍ଚ୍ଚନା ଓ ଆଳତି କରାଯାଇଥିଲା। ପରେ ଶ୍ରଦ୍ଧାଳୁମାନେ ଭକ୍ତି ଓ ଉତ୍ସାହର ସହ ପ୍ରତିମାଗୁଡ଼ିକୁ ବିସର୍ଜନ ସ୍ଥଳକୁ ନେଇଥିଲେ। ଏହି ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଗଣେଶ ଓ ବିଶ୍ୱକର୍ମା ପୂଜାର ଅବସାନରେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିବାବେଳେ, ଆସନ୍ତା ବର୍ଷ ପୁଣି ଧୁମଧାମରେ ପୂଜା ପାଳନ କରିବାର ଆଶା ନେଇ ଭକ୍ତମାନେ ଦେବଦେବୀଙ୍କୁ ବିଦାୟ ଦେଇଥିଲେ।

