ପାଟପୁର, ଗଞ୍ଜାମ, ୯ ଅକ୍ଟୋବର: ପାଟପୁର ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟର ୨୦୨୬-୨୭ ଶିକ୍ଷାବର୍ଷ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ହୋଇଛି। ଅକ୍ଟୋବର ୯ରେ ପ୍ରକାଶିତ ବିଜ୍ଞପ୍ତି ନଂ ୬୦/ବିଏସ୍ସି/୨୦୨୬ ଅନୁଯାୟୀ, ବିଭିନ୍ନ ପଦବୀ ପାଇଁ ୧୪ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ବୈଧ ଘୋଷଣା କରାଯାଇଛି।
ନିର୍ବାଚନ ନିୟମ ଅନୁସାରେ ସର୍ବାଧିକ ବୟସ ସୀମା ୨୨ ବର୍ଷ ଥିବାରୁ ଏହା ଅତିକ୍ରମ କରିଥିବା ଦୁଇଜଣଙ୍କ ନାମାଙ୍କନ ନାକଚ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ସାଧାରଣ ସମ୍ପାଦକ ଓ ଅନ୍ୟଜଣେ ସହକାରୀ ସାଧାରଣ ସମ୍ପାଦକ ପଦ ପାଇଁ ପ୍ରାର୍ଥୀ ଥିଲେ।
ବୈଧ ପ୍ରାର୍ଥୀ ତାଲିକାରେ ସଭାପତି ପଦ ପାଇଁ ଚନ୍ଦନ ପୁରୋହିତ ଓ ପ୍ରଣମ ପ୍ରଧାନ, ଉପସଭାପତି ପାଇଁ ଛାତ୍ରୀ କ୍ରିଷ୍ଣା ସ୍ୱାଇଁ ଓ ରୋସନୀ ସାହୁ ଏବଂ ସାଧାରଣ ସମ୍ପାଦକ ପାଇଁ ଜଗନ୍ନାଥ ନାହାକ ଓ ପ୍ରବୀଣ କୁମାର ପାଢ଼ୀ ରହିଛନ୍ତି। ଆଥଲେଟିକ୍ ସମ୍ପାଦକ, ସହକାରୀ ଆଥଲେଟିକ୍ ସମ୍ପାଦକ, ଡ୍ରାମାଟିକ୍ ସୋସାଇଟି ସମ୍ପାଦକ ଓ ସହକାରୀ ସମ୍ପାଦକ ଏବଂ କମନ୍ ରୁମ୍ ପ୍ରତିନିଧି ପଦ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରାଯାଇଛି।
ଅଧ୍ୟକ୍ଷ ତଥା ନିର୍ବାଚନ ଅଧିକାରୀ ଶ୍ରୀ ଅଶ୍ବିନୀ କୁମାର ରଥଙ୍କ ବିଜ୍ଞପ୍ତିରେ ସମସ୍ତ ବୈଧ ପ୍ରାର୍ଥୀଙ୍କୁ ନିର୍ବାଚନ ନିୟମ ଓ ଆଚରଣବିଧି ପାଳନ କରିବାକୁ କୁହାଯାଇଛି। ଲିଙ୍ଗଦୋହ କମିଟିର ସୁପାରିସ ଏବଂ ଉଚ୍ଚଶିକ୍ଷା ବିଭାଗ ଓ ମହାବିଦ୍ୟାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟା ହେବ। ନିର୍ବାଚନ କମିଟି ମୁଖ୍ୟ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ଙ୍କ ପରିଚାଳନାରେ ଏବଂ ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡ. କୈଳାଶ ଚନ୍ଦ୍ର ସ୍ୱାଇଁ, ଓଡ଼ିଆ ବିଭାଗ ମୁଖ୍ୟ ଡ. ସୁରେନ୍ଦ୍ର ଶବର, ଭୌତିକ ବିଜ୍ଞାନ ମୁଖ୍ୟ ପ୍ରଦୀପ ବୈଠାରୁ, ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ସଞ୍ଜୟ ଭୁୟାଁ, ଅଧ୍ୟାପକ ତ୍ରିଲୋଚନ ଦାସ, କେଶବ ହାଁସଦା, ଦେବେନ୍ଦ୍ର ରେଡ୍ଡୀ, ଅଧ୍ୟାପିକା ଡ. ଓଁକାରଶ୍ରୀ ପଣ୍ଡାଙ୍କ ଦ୍ୱାରା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଏବଂ ଯାଞ୍ଚ ହୋଇଥିଲା। ଏହି ଅଫ୍ଲାଇନ୍ରେ ସମ୍ପନ୍ନ ହୋଇଥିବା ନାମାଙ୍କନ ଦାଖଲ ଓ ଯାଞ୍ଚ ପ୍ରକ୍ରିୟାର ବିବରଣୀ ଉଚ୍ଚଶିକ୍ଷା ବିଭାଗର HIMS ପୋର୍ଟାଲ୍ରେ ମଧ୍ୟ ଅପ୍ଡେଟ୍ କରାଯାଇଛି। ଅତିରିକ୍ତ ତହସିଲାର ଦିଲ୍ଲୀପ କୁମାର ଜେନା ନୋଡାଲ ଅଧିକାରୀ ଭାବରେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ପର୍ଯ୍ୟବେକ୍ଷଣ କରିଥିଲେ ଏବଂ ପାଟପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ପୋଲିସ୍ ଅଧିକାରୀ ଏସ୍ କେ ଇମାଦାଦ ତରଫଦାର୍, ଟୁକୁନା ସେଠୀ ସମ୍ପୂର୍ଣ୍ଣ ପ୍ରକ୍ରିୟା ରେ ଉପସ୍ଥିତ ଥିଲେ।
ନିର୍ବାଚନକୁ ନେଇ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିବାବେଳେ, ପରବର୍ତ୍ତୀ ପ୍ରକ୍ରିୟା ଉପରେ ସମସ୍ତଙ୍କ ନଜର ରହିଛି।

