ମୁନିଗୁଡ଼ା:ତା୧୭-୧୦ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସଦର ମହକୁମା ଭୈରବ ଗଡ ଛକ,ସିନେମା ହଲ ରୋଡର ପ୍ରବେଶ ପଥ ସମ୍ପ୍ରସାରଣ ପାଇଁ ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇ ପାରିନାହିଁ।ସୂଚନା ଅନୁଯାୟୀ ଏହାର ପ୍ରବେଶ ପଥ ସଙ୍କୁଚିତ ଅବସ୍ଥାରେ ଥିବା କାରଣରୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ମାନ ଏହି ରାସ୍ତାରେ ଘଟୁଥିବା ଦେଖିବାକୁ ମିଳୁଛି।ଏହି ସଙ୍କୁଚିତ ପ୍ରବେଶ ପଥ ଦେଇ ଏଫସିଆଇ ଗୋଦାମକୁ ବଡ଼ ବଡ଼ ଟ୍ରକରେ ଚାଉଳ ନେବା ଆଣିବା ହେଉଥିବା ସହିତ ଏହି ରାସ୍ତାର କିଛି ଦୂର ପାର୍ଶ୍ବରେ ଅନେକ ଧାନ କଳ ଅଛି।ଗୃହ ନିର୍ମାଣ ପାଇଁ ଏହି ରାସ୍ତା ଦେଇ ଅନେକ ବାଲି,ମେଟାଲ ବୋଝେଇ ଟ୍ରକ,ଟ୍ରାକ୍ଟର ପ୍ରତ୍ୟହ ମୁନିଗୁଡ଼ା ସହର ମଧ୍ୟକୁ ଯାଆସ କରିଥାନ୍ତି।ଛକରୁ ମାତ୍ର ଅଧ କିଲୋମିଟର ମଧ୍ୟରେ ରାସ୍ତା ପାର୍ଶ୍ବରେ ସିନେମା ହଲ,ରିଲିଆନ୍ସ ସପିଙ୍ଗ ମଲ୍,ହୋଣ୍ଡା ସୋରୁମ୍,ଗ୍ରସରି ଗୋଦାମ,

ଅନେକ ବ୍ୟବସାୟିକ ପ୍ରତିଷ୍ଠାନ,ସରକାରୀ ବେସରକାରୀ ବିଦ୍ୟାଳୟ,ଗ୍ୟାରେଜ,ଲଜ,
ଗ୍ୟାସ ଡିପୋ,ବିଦେଶୀ ମଦ ଦୋକାନ,
ହୋଟେଲ ଆଦି ଥିବା ବେଳେ ପ୍ରତ୍ୟହ ସାତଟି ପଞ୍ଚାୟତର ଲୋକମାନେ ସରକାରୀ ବେସରକାରୀ ବସ ଯୋଗେ ବିଭିନ୍ନ କାର୍ଯ୍ୟରେ ମୁନିଗୁଡ଼ା ଯିବା ଆସିବା କରିଥାନ୍ତି।ମୁନିଗୁଡ଼ା ବାଲିଗୁଡା ରାଜ୍ୟ ସଡକର ଭୈରବ ଗଡ ଛକ ନିକଟରୁ କୁମୁଡ଼ା ବାଲି,ଜଗଦଲପୁର ଦେଇ ବେଲଘର ଯାଏ ଲମ୍ବିଥିବା ଏହି ରାସ୍ତାର ପ୍ରବେଶ ପଥ ସଙ୍କୁଚିତ କାରଣରୁ ବଡ଼ ବଡ଼ ମାଲ ବୋଝେଇ ଭାରିଜାନ ଗୁଡ଼ିକ ଏହି ସ୍ଥାନରେ ବିପଦ ସଙ୍କୁଳ ଅବସ୍ଥାରେ ଟର୍ଣିଂ କରୁଥିବା ଦେଖିବାକୁ ମିଳିଥାଏ।

ଏହି ଛକରେ ଅନେକ ଉଠା ପରିବା ଦୋକାନୀ ପେଟ ପାଇଁ ବିପଦ ମଧ୍ୟରେ ଜିବିକାକୁ ଗୁରୁତ୍ବ ଦେଇ ବସିଥାନ୍ତି।ସିନେମା ହଲ ପଟୁ ଆସୁଥିବା ଯାତ୍ରୀମାନେ ମୁଖ୍ୟ ସଡକ ଉପରକୁ ଆସିବାକୁ ହେଲେ କିମ୍ବା ସଡକ ପଟୁ ସିନେମା ହଲ ରାସ୍ତା ଧରିବାକୁ ହେଲେ ସମ୍ମୁଖ ଭାଗରୁ ଆସୁଥିବା ଯାନ ବାହାନ କିମ୍ବା ବ୍ୟକ୍ତି ବିଶେଷ କେହି କାହାକୁ ଦେଖିବା ସମ୍ଭବ ହେଉନାହିଁ।ଫଳରେ ଆଶୁ ଦୁର୍ଘଟଣାକୁ ନେଇ ସାଧାରଣ ମଣିଷ ଭୟରେ ଏହି ଛକରେ ଯାତାୟାତ କରୁଛି।ଏହି ବିଷୟକୁ ନେଇ ପ୍ରଗତି ମଞ୍ଚ ସଭାପତି ଗଣେଶ୍ୱର ରାଓ,
ସମ୍ପାଦକ ସିମାଞ୍ଚଳ ପଣ୍ଡା,ରୋଟାରୀଆନ ସୁଦାମ ଚରଣ ପଣ୍ଡା,ନରେଶ ପାତ୍ର,ପ୍ରେସ କ୍ଲବ ସଭାପତି ରାଜୀବ ଲୋଚନ ଦାସ, ସାମ୍ବାଦିକ ମନୋରଞ୍ଜନ ଦଳାଇ,
ବୁଦ୍ଧିଜୀବୀ କମିଟି ସଭାପତି ପି ସୁଧାକର ପାତ୍ର ପ୍ରମୁଖ ପ୍ରତିକ୍ରିୟାରେ କହିଛନ୍ତି ଏହି ରାସ୍ତାଟି ବହୁ ବର୍ଷ ଧରି ନିର୍ମାଣ ହେଉଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ହେଉନାହିଁ। ଏଥିସହିତ ବହୁ ବ୍ୟସ୍ତ ବହୁଳ ଏହି ରାସ୍ତାର ପ୍ରବେଶ ପଥ ସମ୍ପ୍ରସାରଣ ପାଇଁ ତତ୍କାଳୀନ ଲୋକପ୍ରିୟ ବିଡ଼ିଓ ଦିଲ୍ଲୀପ କୁମାର ବେହେରା,ତହସିଲଦାର ଦେବାଶିଷ ଗୌଡ଼ ଏବଂ ଏସଡିପିଓ ଆକାଶ ଚନ୍ଦ୍ର ସାହୁ ଘଟଣା ସ୍ଥଳ ପରିଦର୍ଶନ କରି ସମ୍ପ୍ରସାରଣର ରୂପରେଖ ପ୍ରସ୍ତୁତ କରିଥିଲେ।କାର୍ଯ୍ୟକାରୀ କରିବା ପୂର୍ବରୁ ମହାମାରୀ କରୋନା ଏବଂ ପରେ ସେମାନଙ୍କ ବଦଳି ହୋଇ ଯାଇଥିଲା।ସେମାନେ ଗଲାପରେ ଏହି ପ୍ରୋଜେକ୍ଟ ଶୀତଳ ଭଣ୍ଡାରରେ ପଡ଼ି ରହିଲା।ଅନେକ ଥର ଅଭିଯୋଗ ଉଠିଥିଲେ ମଧ୍ୟ ପ୍ରଶାସନ ନିରବ ରହିଛି।ସର୍ବ ସାଧାରଣଙ୍କ ଜୀବନ ଜୀବିକା ସୁଗମ ଦୃଷ୍ଟିରୁ ଏହି ପ୍ରବେଶ ପଥ ସମ୍ପ୍ରସାରଣ ଅପରିହାର୍ଯ୍ୟ ହୋଇ ପଡ଼ିଛି।ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳ ବାସୀଙ୍କ ତରଫରୁ ମୁନିଗୁଡ଼ା ପ୍ରଗତି ମଞ୍ଚ,ପ୍ରେସକ୍ଲବ,ଗଣେଶ ନଗର ଯୁବ ସଂସଦ,ବୁଦ୍ଧିଜୀବୀ କମିଟି ତରଫରୁ ଦାବି ହେଉଛି।

