ଚିକିଟି — ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ ସି ଏଚ. ଟିକରପଡ଼ା ଗ୍ରାମରେ ବେଆଇନ ଜୁଆ ଖେଳ ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରିଛି। ଏହି ଚଢ଼ାଉରେ ଜୁଆ ଖେଳୁଥିବା ୯ ଜଣଙ୍କୁ ପୋଲିସ କାବୁ କରିବା ସହ ନଗଦ ୧ ଲକ୍ଷ ୫୫ ହଜାର ୬୦ ଟଙ୍କା ଜବତ କରିଛି।
ପୋଲିସ ସୂଚନା ଅନୁଯାୟୀ, ଗତ ୨୧ ତାରିଖ ରାତି ପ୍ରାୟ ୧୧ ଘଣ୍ଟା ୩୦ ମିନିଟ ରେ ରାତ୍ରି କାଳୀନ ପେଟ୍ରୋଲିଂ ସମୟରେ ସି ଏଚ. ଟିକରପଡ଼ା ଗ୍ରାମରେ ଜୁଆ ଖେଳ ଚାଲିଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂଚନା ମିଳିଥିଲା। ଏହାପରେ କେ.ନୂଆଗାଁ ଥାନା ପୋଲିସ ଟିମ୍ ସଦଳ ବଳେ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଜୁଆ ଖେଳରେ ସମ୍ପୃକ୍ତ ବ୍ୟକ୍ତିମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ୯ ଜଣଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା। ଘଟଣାସ୍ଥଳରୁ ନଗଦ ୧,୫୫,୦୬୦ ଟଙ୍କା, ୬ ପ୍ୟାକେଟ ତାସ, ୬ ଟି ମୋବାଇଲ୍ ଫୋନ, ଗୋଟିଏ ନାଲି ରଙ୍ଗର ଟର୍ଚ୍ଚ ଓ ଗୋଟିଏ ନାଲି ରଙ୍ଗର ତାରପୋଲିନ ଜବତ କରାଯାଇଛି। ଏହି ଘଟଣାରେ କେ. ନୂଆଗାଁ ଥାନାରେ କେସ୍ ନଂ ୨୪୦/ ୨୧.୧୦.୨୦୨୬ ରୁଜୁ ହୋଇଛି। ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୧୧୨(୨) ଏବଂ ଓଡ଼ିଶା ଜୁଆ ନିରୋଧୀ ଆଇନର ଧାରା ୩ ଅନୁଯାୟୀ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

