ବାଲିଗୁଡ଼ା, ୧୪/୧୧:,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଚଢ଼ାଉ ଜୋରଦାର କରାଯାଇଥିବା ବେଳେ କାଠ ମାଫିଆଙ୍କ ବେଆଇନ କାରବାର ଉପରେ ପୁଣି ଏକ ବଡ଼ ଧରଣର ଆଘାତ ଲାଗିଛି। କୋଟଗଡ଼ ବନାଞ୍ଚଳ ଅଧୀନ ଲାସେରୀ ଜଙ୍ଗଲରୁ ଶାଳ କାଠ ଚୋରାଚାଲାଣ ହେଉଥିବା ସମୟରେ ବନ ବିଭାଗ ଚଢ଼ାଉ କରି ୯୨ ଖଣ୍ଡ ଶାଳ କାଠ ସହ ଏକ ମହିନ୍ଦ୍ରା ମ୍ୟାକ୍ସ ବୋଲେରୋ ପିକ୍ଅପ୍ ଗାଡ଼ିକୁ ଜବତ କରିଛି। ଜବତ କାଠର ଆନୁମାନିକ ବଜାର ମୂଲ୍ୟ ୧ ଲକ୍ଷ ୩୪ ହଜାର ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ଜଣାପଡ଼ିଛି। ସୂଚନା ଅନୁଯାୟୀ, ବାଲିଗୁଡ଼ା ବନଖଣ୍ଡ ଅଧୀନ କୋଟଗଡ଼ ବନାଞ୍ଚଳର ସୁପାମାହା ବିଟ୍ ଅନ୍ତର୍ଗତ ଲାସେରୀ ଜଙ୍ଗଲରୁ ଏକ ପିକ୍ଅପ୍ ଗାଡ଼ି ଯୋଗେ ଶାଳ କାଠ ଚାଲାଣ ହେଉଥିବା ନେଇ ବନ ବିଭାଗକୁ ଗୁପ୍ତ ସୂଚନା ମିଳିଥିଲା। ଏହାପରେ ବନ ବିଭାଗର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା। ବନ କର୍ମଚାରୀଙ୍କୁ ଦେଖି ଗାଡ଼ି ଚାଳକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଫଳରେ ବନ ବିଭାଗ କାଠ ବୋଝେଇ ଗାଡ଼ିକୁ ଜବତ କରିବାରେ ସଫଳ ହୋଇଥିଲା। ଜବତ ଗାଡ଼ିର ନମ୍ବର ଓଡ଼ି-୦୨-ଡିଇ-୭୨୦୯ ବୋଲି ଜଣାପଡ଼ିଛି। ଗାଡ଼ିରୁ ମୋଟ ୯୨ ଖଣ୍ଡ ଶାଳ କାଠ ଜବତ କରାଯାଇଛି। ଏହି କାଠଗୁଡ଼ିକର ଆକାର ଓ ମାପ ଯାଞ୍ଚ କରାଯିବା ସହ ଚୋରାଚାଲାଣ ପଛରେ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ତଦନ୍ତ ଜାରି ରହିଛି। ଏହି ଚଢ଼ାଉରେ ଲାସେରୀ ଫରେଷ୍ଟର ରବି ମୋହନ ନାୟକ, ଦୀପକ ପଟ୍ଟନାୟକ ଓ ଜୟାନନ୍ଦ ସେଠୀ ପ୍ରମୁଖ ବନ କର୍ମଚାରୀ ସାମିଲ ଥିଲେ। ଏନେଇ ବନ ବିଭାଗ ପକ୍ଷରୁ ୯/୨୦୨୬-୨୭ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି। କୋଟଗଡ଼ ବନାଞ୍ଚଳ ଅଧିକାରୀ ବାଳଗୋପାଳ ବେହେରା ଏହି ସୂଚନା ଦେଇଛନ୍ତି।ତେବେ ଏହି ଘଟଣା ପୁଣିଥରେ ଜଙ୍ଗଲ ସମ୍ପଦର ସୁରକ୍ଷା ଓ ବେଆଇନ କାଠ ଚାଲାଣ ରୋକିବା ଦିଗରେ ବନ ବିଭାଗର ନିୟମିତ ନଜରଦାରି ଏବଂ କଡ଼ା ପଦକ୍ଷେପର ଆବଶ୍ୟକତାକୁ ସାମ୍ନାକୁ ଆଣିଛି।
