You are currently viewing ପିତାମ୍ବରପୁର ବଇଦ ହତ୍ୟା ମାମଲାର ପର୍ଦ୍ଦାଫାଶ : ୬ ଗିରଫ
ପିତାମ୍ବରପୁର ବଇଦ ହତ୍ୟା ମାମଲାର ପର୍ଦ୍ଦାଫାଶ : ୬ ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ପଞ୍ଚାୟତ ଅନ୍ତର୍ଗତ ପିତାମ୍ବରପୁର ଗ୍ରାମରେ ଗତ ଫେବୃଆରୀ ୧୭ ତାରିଖରେ ଗୁଣି ଗାରେଡ଼ି ସନ୍ଦେହରେ ବଙ୍ଗାଳୀ ସେଠୀ ନାମକ ଜଣେ ବୃଦ୍ଧ ବଇଦଙ୍କୁ ହତ୍ୟା ମାମଲାର ଶୁକ୍ରବାର ଦିନ ପର୍ଦ୍ଦାଫାଶ କରିଛି ଦିଗପହଣ୍ଡି ପୋଲିସ । ଗିରଫ ମାନଙ୍କ ମଧ୍ୟରେ ପିତାମ୍ବରପୁର ଗ୍ରାମ ମୃତକ ବଙ୍ଗାଳୀଙ୍କ ପୁତୁରା ପ୍ରସନ୍ନ ସେଠୀ , ତାଙ୍କ ପତ୍ନୀ କବିତା ସେଠୀ , କବିତାଙ୍କ ଭାଇ ପୁଡୁଙ୍ଗି ଗ୍ରାମର ପ୍ରତାପ ସେଠୀ , କବିତାଙ୍କ ପୁତୁରା ହିଞ୍ଜିଳିକାଟୁ ସିନେମା ସାହିର ଅରୁଣ ସେଠୀ , ଅରୁଣଙ୍କ ସାଙ୍ଗ ଆଦେଶ ମହାପାତ୍ର ଏବଂ ଜରଡା ଥାନା ପାତ୍ରପୁର ଗ୍ରାମର ସନ୍ତୋଷ ନାୟକ ବୋଲି ଜଣାପଡ଼ିଥିବା ବେଳେ ସନ୍ତୋଷ ବର୍ତ୍ତମାନ ବ୍ରହ୍ମପୁର ସହରରେ ରହୁଥିଲେ। ଖବରନୁଯାୟୀ , ମୃତ ବଙ୍ଗାଳୀ ଦୀର୍ଘ ୧୫ ବର୍ଷ ଧରି ଗ୍ରାମରେ ନିଦ୍ରାବତୀ ଠାକୁରାଣୀ ପୂଜା କରିବା ସହ ଝଡାଫୁଙ୍କା କରି ଆୟୁର୍ବେଦ ଔଷଧ ଦେଇ ଆସୁଥିଲେ । ତେବେ କୈାଣସି ସୁଫଳ ନ ମିଳିବାରୁ ପ୍ରସନ୍ନ ନିିିଜ ଦାଦା
ବଙ୍ଗାଳୀ ପାଖକୁ ଯାଇଥିଲେ । ଏପରିକି ଔଷଧ ସେବନ ପରର ଦିନକ ପରେ ୭ ବର୍ଷ ବୟସରେ ଝିଅର ଅକାଳ ମୃତ୍ୟୁ ହୋଇଥିଲା । ଯାହାଫଳରେ ଏହାକୁ ନେଇ ଦାଦା ଓ ପୁତୁରାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସେହିପରି ଗତ ତିନିମାସ ତଳେ ଅଭିଯୁକ୍ତ କବିତାଙ୍କୁ ଭାଉଜ ତଥା ପ୍ରତାପଙ୍କ ପତ୍ନୀ ପିଙ୍କିଙ୍କ ମଧ୍ୟ ବିୟୋଗ ଘଟିଥିଲା । ଯାହାଫଳରେ ଉଭୟ ପରିବାର ମିଶି ବଙ୍ଗାଳୀ ତନ୍ତ୍ର ସାଧନା କରି ଆମ ପରିବାରକୁ ମାରୁଛି ବୋଲି ସନ୍ଦେହ କରି ବଙ୍ଗାଳୀଙ୍କୁ ମାରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ପରବର୍ତ୍ତୀ ସମୟରେ କବିତା , ପ୍ରସନ୍ନ , ପ୍ରତାପ ଓ ଅରୁଣ ମିଶି ଆପୋଷ କଥାବାର୍ତ୍ତା କରିବା ପରେ ଆଦେଶକୁ ଜଣାଇଥିଲେ। ଏହାପରେ ସନ୍ତୋଷ ନାୟକଙ୍କୁ ମଧ୍ୟ ଜଣାଇବା ସହ ମାରିବା ପାଇଁ କହିଥିଲେ । ଯାହାଫଳରେ ଅଭିଯୁକ୍ତ ସନ୍ତୋଷ ଭୁବନେଶ୍ୱରରେ ମନୋଜ ବେହେରା ନାମକ ଜଣେ ଦୁର୍ଦାନ୍ତ ଅପରାଧୀ ଓ ସୁପାରିକିଲର ସହ ମୋ ପରିଚୟ ରହିଥିବା କହିଥିଲେ । ମନୋଜ ବେହେରାଙ୍କ ସୁପାରିଶ କ୍ରମେ ଗତ ଫେବୃଆରୀ ୧୬ ତାରିଖ ଦିନ ମନୋଜ ଓ ବିଷୁ ଦୁଇଜଣ ଆସି ପ୍ରସନ୍ନଙ୍କ ପରିବାର ସହ ଯୋଗାଯୋଗ କରିଥିଲେ। ଏହାପରେ ୧୭ ତାରିଖ ଦିନ ମନୋଜ , ବିଷୁ ବଙ୍ଗାଳୀଙ୍କୁ ଚିହ୍ନିବା ପାଇଁ ଅରୁଣଙ୍କ ସହ ଔଷଧ ନେବା ବାହାନାରେ ଦୁଇଟି ବାଇକରେ ମୃତକଙ୍କ ଘରକୁ ଆସିଥିଲେ। ତେବେ ଔଷଧ ନ ନେଇ ଗ୍ରାମ ଶେଷରେ ଥିବା ଆମ୍ବଗଛ ନିକଟରେ ଯୋଜନାବଦ୍ଧ ରୂପେ ମାରିବା ପାଇଁ ଜଗି ବସିଥିଲେ । ତେବେ ବଙ୍ଗାଳୀ ର ଗତିବିଧିକୁ ଜାଣିଥିଲେ କବିତା ଓ ପ୍ରସନ୍ନ। ସେମାନେ ଜାଣିଥିଲେ ଯେ , ବଙ୍ଗାଳୀ ୪ ଘଣ୍ଟା ସମୟରେ ଚାହା ପିଇବା ପାଇଁ ସାଇକେଲ ଯୋଗେ ଛକକୁ ଯାଇଥାଏ । ତେବେ ପୂର୍ବ ଯୋଜନା ମୁତାବକ ବଙ୍ଗାଳୀ ସାଇକେଲରେ ଯିବା ସମୟରେ ମନୋଜ ଓ ବିଷୁ ଲୁହା ରଡ଼ ସମେତ ବିଭିନ୍ନ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରି ସେଠାରୁ ପଳାଇଥିଲେ । ଗୁରୁତର ଅବସ୍ଥାରେ ବଙ୍ଗାଳୀଙ୍କୁ ଉଦ୍ଧାର କରି ପ୍ରଥମେ ଚିକିତ୍ସା ନିମନ୍ତେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବଇଦଙ୍କ ମୃତ୍ୟୁ ହୋଇଥିଲା । ଘଟଣା ପରଠାରୁ ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ଓ ଦିଗପହଣ୍ଡି ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ପରିବାରର ଏତଲା କ୍ରମେ ମାମଲା ରୁଜୁ କରି ତଦନ୍ତ ଚଳାଇ ଆସୁଥିବା ବେଳେ ଆଜି ସେମାନଙ୍କୁ ଗିରଫ କରିବା ସହ ବ୍ୟବହୃତ ମାରଣାସ୍ତ୍ର ଜବତ କରି ଥାନା ମାମଲା ନଂ ୭୫/୨୩ ପ୍ରକାରେ କୋର୍ଟ ଚାଲାଣ କରିଥିଲା। ତେବେ ଜାମିନ ନାମଂଜୁର ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି।