ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସହଦେବ ଟିକରପଡା ଗ୍ରାମରେ ଗତ ମାର୍ଚ୍ଚ ୨୪ ତାରିଖରେ ହୋଇଥିବା ଦୁଇଗୋଷ୍ଠୀ ଆକ୍ରମଣ ପ୍ରତି ଆକ୍ରମଣ ମାମଲାରେ ତୋଫାନ ଗୈାଡ ନାମକ ଜଣେ ଯୁବକର ମୃତ୍ୟୁ ହୋଇଥିଲା । ଏ ସଂକ୍ରାନ୍ତରେ କେ . ନୂଆଗାଁ ଥାନା ପୋଲିସ ଉଭୟ ଗୋଷ୍ଠୀର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ତୋଫାନ ହତ୍ୟା ମାମଲାରେ ପୋଲିସ ମୁଖ୍ୟ ହତ୍ୟାକାରୀଙ୍କୁ ଗିରଫ କରିନଥିବା ନେଇ ସୋମବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଇଂ . ଉତ୍ତମ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି । ଖବରନୁଯାୟୀ , ୨୪ ତାରିଖ ରାତି ୮ ଘଣ୍ଟା ସମୟରେ ଦୁଇଗୋଷ୍ଠୀ ମଧ୍ୟରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି କାଳୁ ଗୈାଡ ଓ ଟୁକୁନା ଗୈାଡଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ପରେ ଆକ୍ରମଣ ଓ ପ୍ରତି ଆକ୍ରମଣର ରୂପ ନେଇଥିଲା । ଏଥିରେ ଅଭିଯୁକ୍ତ ଟୁକୁନା ଓ ତାଙ୍କ ସହଯୋଗୀ ମାନେ କାଳୁ ଗୌଡ ଓ ତାଙ୍କ ଭଉଣୀ ଜ୍ଯୋତ୍ସ୍ନା ଗୌଡ ଏବଂ ପ୍ରତିମା ଗୌଡଙ୍କ ଉପରେ ଆକ୍ରମଣ କରିଥିଲେ । ସେହିଭଳି କାଳୁ ଗୌଡ ଓ ତାଙ୍କ ସହଯୋଗୀ ମିଶି ଟୁକୁନାଙ୍କ ଗୋଷ୍ଠି ଉପରେ ଆକ୍ରମଣ କରିଥିଲେ। ଘଟଣାରେ ତୋଫାନ ଗୌଡ ନାମକ ଜଣେ ବ୍ଯକ୍ତିଙ୍କ ଦିଗପହଣ୍ଡି ମେଡିକାଲରେ ମୃତ୍ୟୁ ହୋଇଥିବା ବେଳେ କାଳୁ ଗୌଡ ଓ ତାଙ୍କ ଦୁଇ ଭଉଣୀ ଗୁରୁତର ଆହତ ହୋଇଥିଲେ । ତେବେ ପୋଲିସ ପ୍ରତିମା ଗୈାଡ , ବିଜୟ ଗୈାଡ , ଟୁକୁନା ଗୌଡ, ସିମାଞ୍ଚଳ ଗୌଡଙ୍କୁ ଗିରଫ କରିପାରିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିନଥିବା ଶ୍ରୀ ପାଣିଗ୍ରାହୀ କହିଥିଲେ । ପୋଲିସ ଏହି ହତ୍ୟାକାଣ୍ଡ ଘଟଣାର ଅଧିକ ତଦନ୍ତ କରି ମୁଖ୍ୟ ହତ୍ୟାକାରୀକୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଜ ବକ୍ତବ୍ୟ ରଖିବା ସହ ଆଗାମୀ ଦିନରେ ହତ୍ୟାକାରୀଙ୍କୁ ଯଦି ପୋଲିସ ଗିରଫ ନ କରିବ ତେବେ ଏସ୍ ପି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଦୃଢ ଚେତାବନୀ ଦେଇଛନ୍ତି। ରିପୋର୍ଟ କିରଣ କୁମାର ବେହେରା
