You are currently viewing ମହୁଡା ଗ୍ରାମରେ ଦୁଇ ଯୁବକଙ୍କୁ ହତ୍ୟା : ଅର୍ଦ୍ଧଦଗ୍ଧ ଶବ ଜବତ , ସନ୍ଦେହରେ ୧୫ ଜଣକୁ ଅଟକ
ମହୁଡା ଗ୍ରାମରେ ଦୁଇ ଯୁବକଙ୍କୁ ହତ୍ୟା : ଅର୍ଦ୍ଧଦଗ୍ଧ ଶବ ଜବତ , ସନ୍ଦେହରେ ୧୫ ଜଣକୁ ଅଟକ

ଦିଗପହଣ୍ଡି ଥାନା ଅଞ୍ଚଳରେ ଦିନକୁ ଦିନ ମୁଣ୍ଡ ଗଡିବା ବର୍ତ୍ତମାନ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ପୁଣିଥରେ ଗତକାଲି ବିଳମ୍ବିତ ରାତିରେ ମହୁଡା ଗ୍ରାମରେ ଦୁଇ ଯୁବକଙ୍କୁ ନୃଶଂସ ଭାବେ ହତ୍ୟା ପରେ ପୋଡ଼ି ଦିଆଯାଇଛି । ସେମାନେ ହେଲେ ଦିଗପହଣ୍ଡି ଥାନା ଲାଠି ଗ୍ରାମର ଲିଟୁ ପାଢ଼ୀ ( ପୁରୋହିତ) ଓ ଶିବରାମ ଗୈାଡ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାପରେ ପୋଲିସ ଅର୍ଦ୍ଧଦଗ୍ଧ ଦୁଇଟି ଶବ ଜବତ କରିଥିବା ବେଳେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼. ଶ୍ରବଣ ବିବେକ ଏମ୍ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଥିବା ସୂଚନା ମିଳିପାରିଛି । ଖବରପ୍ରକାରେ , ଲାଠି ଗ୍ରାମର ଦୁଇ ଯୁବକ ଜଣକ ଅପରାଧ ଶ୍ରେଣୀର ଲୋକ ହୋଇଥିବା ବେଳେ ଏମାନଙ୍କ ନାମରେ ବିଭିନ୍ନ ଥାନାରେ ବହୁ ସଙ୍ଗୀନ ମାମଲା ମଧ୍ୟ ରହିଛି । ଏମାନେ ପୂର୍ବରୁ ବିଭିନ୍ନ ସମୟରେ ମହୁଡା ଗ୍ରାମକୁ ଯାଇ ସ୍ଥାନୀୟ ଗ୍ରାମବାସୀଙ୍କ ମାଡଗୋଳ ଲାଗିବା ସହ ଧମକ ଚମକ ମଧ୍ୟ ଦେଇ ଆସୁଥିବା ଫଳରେ ଲୋକଙ୍କ ସହ ଶତ୍ରୁତା ମଧ୍ୟ ରହିଥିବା ବ୍ରହ୍ମପୁର ଏସ୍ ପି ଗଣମାଧ୍ୟମ ଆଗରେ କହିଥିବା ଜଣାପଡିଛି । ତେବେ ଗତକାଲି ମଧ୍ୟ ଲିଟୁ ଓ ଶିବରାମ ଗ୍ରାମକୁ ଯାଇ ଗଣ୍ଡଗୋଳ କରିଥିବା ଗ୍ରାମବାସୀ ମାନେ କହିଛନ୍ତି । ଯାହାଫଳରେ ଉତ୍ୟକ୍ତ ହୋଇ ରାସ୍ତାରୁ ହଟାଇବା ପାଇଁ ସ୍ଥିର କରିଥିବା ବେଳେ ବୁଧବାର ରାତିରେ ମହୁଡା ପୋଖରୀ ହିଡ ରାସ୍ତାରେ ସେମାନଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲେ । ଏହାପରେ ପ୍ରମାଣ ନଷ୍ଟ କରିବା ପାଇଁ ଘଟଣାସ୍ଥଳରେ ହିଁ ଦୁଇଜଣଙ୍କୁ ନିଆଁ ଲଗାଇ ପୋଡି ଦେଇଥିବା ଜଣାପଡିଛି । ରାତି ୧ ଘଣ୍ଟା ସମୟରେ ଦିଗପହଣ୍ଡି ପୋଲିସ ଓ ଚିକିଟି ଏସ୍ ଡିପିଓ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଦୁଇ ଯୁବକଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଶବ ଜବତ କରିଥିଲେ । ଗୁରୁବାର ସକାଳୁ ବ୍ରହ୍ମପୁର ଏସ୍ ପି ସମେତ ଅନୁସନ୍ଧାନୀ କୁକୁର ସହାୟତାରେ ସାଇଣ୍ଟିଫିକ ଟିମ୍ ଘଟଣାର ଖୋଳତାଡ଼ କରୁଥିବା ଜଣାପଡିଛି । ଏନେଇ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ଏତଲାକୁ ଭିତ୍ତିକରି ପୋଲିସ ଥାନା ମାମଲା ନଂ ୨୩୫/୨୩ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି । ଅପରପକ୍ଷରେ ପୋଲିସ ଦୁଇ ଅର୍ଦ୍ଧଦଗ୍ଧ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ବେଳେ ରିପୋର୍ଟ ଆସିବା ପରେ ସତ୍ୟତା ଜଣାପଡିଛି ବୋଲି କହିଛନ୍ତି । ଏପଟେ ଘଟଣାପରେ ପୋଲିସ ୧୫ ଜଣକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି ।

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା