You are currently viewing କୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର : କୁମ୍ଭୀର ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର ନେଇ ବନବିଭାଗ ଉପରେ ତାତିଲେ ଗ୍ରାମବାସୀ
କୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର : କୁମ୍ଭୀର ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର ନେଇ ବନବିଭାଗ ଉପରେ ତାତିଲେ ଗ୍ରାମବାସୀ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଖମ୍ବାରୀ ଗାଁ ରେ ଗତ କିଛି ଦିନର ବ୍ୟବଧାନ ପରେ ପୁଣି ସେହି କୁମ୍ଭୀର ଆକ୍ରମଣରେ ଜଣେ ରାଜମିସ୍ତ୍ରୀ ଭାବେ କାମ କରୁଥିବା ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ହେଲେ ଗୈାଡ ଗାଁ ପଞ୍ଚାୟତ ଦାଉଣୀ ଗ୍ରାମର ଟୁକୁନା ବେହେରା (୨୭) । ଏନେଇ ଗ୍ରାମବାସୀ ବାରମ୍ବାର ବନବିଭାଗ ନିକଟରେ ଘୋଡାହଡ ଜଳଭଣ୍ଡାର ସମେତ ଆଖପାଖ ନଦୀଗଣ୍ଡ ଓ ପୋଖରୀରୁ କୁମ୍ଭୀର ଉଦ୍ଧାର କରାଯାଇ ଅନ୍ୟତ୍ର ସ୍ଥାନାନ୍ତର ନିମନ୍ତେ ଦାବି କରି ଆସୁଥିଲେ ମଧ୍ୟ ବନବିଭାଗର ଅବହେଳା ଯୋଗୁଁ ବାରମ୍ବାର କୁମ୍ଭୀର ଆକ୍ରମଣର ଶିକାର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯାହାଫଳରେ ପୁଣିଥରେ ଆଜି ଏହି ମଣିଷ ଖିଆ କୁମ୍ଭୀର ମାନଙ୍କୁ ଯଥାଶୀଘ୍ର ଏଠାରୁ ଉଦ୍ଧାର କରିବା ପାଇଁ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଖବରପ୍ରକାରେ , ଟୁକୁନା ଆଜି ସକାଳୁ ସାଢେ ୫ ଟା ସମୟରେ ଖମ୍ବାରୀ ଗାଁ ସାଗର ବନ୍ଧରେ ଗାଧୋଇବା ସମୟରେ ଏକ କୁମ୍ଭୀର ଟୁକୁନାଙ୍କ ଗୋଡ଼କୁ ଟାଣି ନେଇଥିଲା । ସୌଭାଗ୍ଯବଶତଃ ଟୁକୁନା କୁମ୍ଭୀର ସହ ଲଢିପାରି ଫେରି ଆସିଥିଲେ ମଧ୍ୟ ନିଶ୍ଚିତ ମରଣ ମୁହଁରୁ ବଞ୍ଚି ଯାଇଛନ୍ତି । ଏହାପରେ ସ୍ଥାନୀୟ ଗ୍ରାମବାସୀ ଓ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ ଟୁକୁନାଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଗତ ଜୁନ୍ ୨୫ ତାରିଖରେ ଖମ୍ବାରୀ ଗାଁ ପଞ୍ଚାୟତର ସେବକ . ଟିକରପଡା ନଦୀଗଣ୍ଡରେ ଗାଧୋଇବା ସମୟରେ କୁମ୍ଭୀର ଆକ୍ରମଣରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ଶୁଭ୍ରାଂଶୁ ଗୈାଡଙ୍କ ମୃତ୍ୟୁ ହୋଇଥିଲା । ଆଜି ପୁଣିଥରେ ଏଠାରେ କୁମ୍ଭୀର ଆକ୍ରମଣକୁ ଗ୍ରାମବାସୀ ଉତ୍ତେଜନା ପ୍ରକାଶ କରିଛନ୍ତି । ଏପରିକି ଗ୍ରାମବାସୀ ବର୍ତ୍ତମାନ ପୋଖରୀ ମାନଙ୍କରେ ଗାଧୋଇବା ପାଇଁ ସୁରକ୍ଷିତ ମନେ କରୁନାହାଁନ୍ତି । ତେବେ ଚଳିତ ବର୍ଷ ଜାତୀୟ କୁମ୍ଭୀର ଗଣନା ଅନୁସାରେ ଘୋଡାହଡ ଜଳଭଣ୍ଡାରରେ ୬୪ ଟି କୁମ୍ଭୀର ରହିଥିବା ବେଳେ ନିକଟସ୍ଥ ପୋଖରୀ ଓ ନଦୀଗଣ୍ଡ ମାନଙ୍କରେ ୧୭ ଟି କୁମ୍ଭୀର ରହିଥିବା ବନବିଭାଗ ପକ୍ଷରୁ ସୂଚନା ରହିଥିଲା । ଅପରପକ୍ଷରେ ଆଗାମୀ ଦିନରେ ଜଳଭଣ୍ଡାର ସମେତ ପୋଖରୀ ଓ ନଦୀଗଣ୍ଡରୁ କୁମ୍ଭୀର ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ନ କରାଯାଏ ତେବେ ଗ୍ରାମବାସୀ ପକ୍ଷରୁ ବନବିଭାଗ କାର୍ଯ୍ୟାଳୟରେ ଗଣ ଧାରଣା ଦିଆଯିବ ବୋଲି ଦୃଢ ଚେତାବନୀ ଦେଇଛନ୍ତି ।

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା