ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ ବାଉରୀ ଗଣ୍ଡାପଲ୍ଲୀରେ ଜାଲ୍ ଦସ୍ତାବିଜ୍ ବଳରେ ଜଣେ ମହିଳାଙ୍କୁ ଅଙ୍ଗନୱାଡ଼ିରେ ନିଯୁକ୍ତି ଦିଆଯାଇଛି। ଆଇନ କାନୁନ୍ ର ଧଜିଆ ଉଡାଇ ସରକାରଙ୍କ ସମସ୍ତ ନୀତି ନିୟମକୁ ଜଳାଞ୍ଜଳୀ ଦେଇ ରାଜସ୍ବ ବିଭାଗର ପ୍ରମୁଖ ଅଧିକାରୀ ତଥା ଖୋଦ୍ ତହସିଲଦାର ଏଭଳି କାର୍ଯ୍ୟ କରିଥିବା ସୂଚନା ଆଇନ ବଳରେ ଖୁଲାସା ହୋଇଛି। ଗଞ୍ଜାମ ଜିଲ୍ଲା ବୁଢାମ୍ବର ସୂଚନା ଅଧିକାର କର୍ମୀ ପ୍ରଦୀପ କୁମାର ପଲେଇ ଏଭଳି ଏକ ଚଞ୍ଚକତାର ଖୁଲାସା କରି ସୂଚନା କମିଶନରଙ୍କ ଦ୍ବାରସ୍ଥ ହେବା ପରେ ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି ।
ସୂଚନା ଅନୁସାରେ ଗତ ୨୦ ଜୁନ ୨୦୧୭ ରେ ରୁନୁ ନାହାକକଂ ନାମରେ ଏକ ଜାଲ୍ ବାସିନ୍ଦା ପ୍ରମାଣ ପତ୍ର ଖଲ୍ଲିକୋଟ ତହସିଲ କାର୍ଯ୍ଯାଳୟ ପକ୍ଷରୁ ଦିଆଯାଇଛି। ରୁନୁ ନାହାକ ବାଉରୀ ଗଣ୍ଡାପଲ୍ଲୀର ବାସିନ୍ଦା ହୋଇ ନଥିବା ବେଳେ ବିନା କୌଣସି ଆର୍ ଆଇ ତଦନ୍ତରେ ଉକ୍ତ ସାର୍ଟିଫିକେଟ କୁ ମନ୍ଦ ଉଦ୍ଦେଶ୍ୟ ରଖି ଦିଆଯାଇଥିବା ବେଳେ ଅଙ୍ଗନୱାଡ଼ି ନିଯୁକ୍ତି ପାଇଁ ଉକ୍ତ ସାର୍ଟିଫିକେଟ ଦିଆଯାଇଛି। ତେବେ ଏନେଇ ସୂଚନା ଆଇନ ବଳରେ ସୂଚନା ତଥ୍ଯ ମାଗିବା ପରେ ପୁରା ଘଟଣା ପଦାକୁ ଆସିଛି। ସମସ୍ତ ତଥ୍ୟକୁ ଆଧାର କରି ସୂଚନା ଅଧିକାର କର୍ମୀ ସୂଚନା କମିଶନରଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି। ପରେ ଜିଲ୍ଲାପାଳଙ୍କୁ ସମସ୍ତ ଘଟଣା ଜଣାଇ ବିହୀତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସୂଚନା କର୍ମୀ।
ସେପଟେ ବେଆଇନ ତଥା ଜାଲ୍ ଦସ୍ତାବିଜ୍ ବଳରେ ନିଯୁକ୍ତି ପାଇଥିବା ଅଙ୍ଗନୱାଡ଼ି କର୍ମୀଙ୍କୁ ବରଖାସ୍ତ କରାଯାଇ ଯୋଗ୍ଯ ପ୍ରାର୍ଥୀନୀ ଭାବେ ନିଯୁକ୍ତି ଦିଆଯିବାକୁ ଦାବି କରିଛନ୍ତି ବାଦ୍ ପଡି ଯାଇଥିବା ପ୍ରାର୍ଥୀନୀ ପାର୍ବତୀ ଗୌଡୁ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
