You are currently viewing ଓଡିଆ ଲୋକକଳା ମଧ୍ୟରେ ଆମ ଅସ୍ମିତା ସଂଗୋପିତ : ମହାସଚିବ
ଓଡିଆ ଲୋକକଳା ମଧ୍ୟରେ ଆମ ଅସ୍ମିତା ସଂଗୋପିତ : ମହାସଚିବ

ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ମଞ୍ଜୁଷା ମଣ୍ଡଳ ଅନ୍ତର୍ଗତ ଖିଲୋଇ ଗ୍ରାମ ଠାରେ ପବିତ୍ର ବିନାୟକ ପୂଜା ଅବସରରେ ଆନ୍ଧ୍ରପ୍ରଦେଶ ଓଡିଆ କଳାକାର ମହାସଂଘ ତରଫରୁ ଗଣେଶ ମୂର୍ତ୍ତି ବିସର୍ଜନ ଉପଲକ୍ଷେ ଏକ ଲୋକକଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାସଂଘ ସଭାପତି ସୀମାନ୍ତ ନଟରାଜ ଡା. ତିରୁପତି ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଓଡିଆ ଲୋକକଳା ମଧ୍ୟରେ ଆମ ଅସ୍ମିତା ସଂଗୋପିତ । ଯହୁଁ ଯହୁଁ ଆମ ଲୋକକଳାର ବିକାଶ ଓ ପ୍ରସାର ହେବ ତହୁଁ ତହୁଁ ଆମ ଜାତୀୟ ମହନୀୟତା ପ୍ରକଟିତ ହେବ ବୋଲି ମତବ୍ୟକ୍ତ କରିଥିଲେ। ଏହିପରିପ୍ରେକ୍ଷୀରେ ସ୍ଥାନୀୟ ସରପଞ୍ଚ କୁମାର ଚନ୍ଦ୍ର ବାବୁ, ବରିଷ୍ଠ ସମାଜସେବୀ କୁରା ଗୌଡ, ବରିଷ୍ଠ ଶିକ୍ଷାବିତ୍ ନୀଳକଣ୍ଠ ନାଲ୍ଲା, ନାଟ୍ୟକାର ଯୁଦ୍ଧିଷ୍ଠୀର ଭଞ୍ଜ ସାମନ୍ତ, ସ୍ବର-ବିବୁଧ ରମେଶ ଚନ୍ଦ୍ର ସ୍ବାଇଁ, ସୁନାମଧନ୍ୟ ଚିକିତ୍ସକ ଡା. ସୁରେଶ ଚୌଧୁରୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଓଡିଆ ଜାତୀୟତାର ମହନୀୟ ବିଭବର ଅବତାରଣା କରିଥିଲେ। ଲୋକକଳା ନିର୍ଦ୍ଦେଶକ ଯୁଦ୍ଧିଷ୍ଠୀର ନାହାକ ଓ ମହିଳା ଦ୍ବାରୀ ଜାନକୀ ପଣ୍ଡାଙ୍କ ସମେତ ସଂପ୍ରୁକ୍ତ ଦଳର ଯନ୍ତ୍ରସଙ୍ଗୀତ ଶିଳ୍ପୀମାନଙ୍କୁ ମାନପତ୍ର, ଉପାୟନ ଓ ସ୍ମାରକୀ ଫଳକ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା।

ଗଞ୍ଜାମର ପୁଟବଗଡ ସ୍ଥିତ ମା’ ସନ୍ତୋଷୀ ନାଟ୍ୟ ସଂସଦ ପକ୍ଷରୁ ଯୁଦ୍ଧିଷ୍ଠୀର ନାହାକ ନିର୍ଦ୍ଦେଶିତ ଲୋକ ନାଟକ ଲକ୍ଷ୍ମୀ ପୁରାଣ ଏବଂ ଜାନକୀ ପଣ୍ଡା ଓ ସାଥୀଙ୍କ ଭାରତଲୀଳା ଜନମାନସ ଦ୍ବାରା ବିଶେଷ ଆଦ୍ରୁତି ଲାଭ କରିଥିବା ପରିଲକ୍ଷିତ। କାର୍ଯ୍ୟକ୍ରମ ପରିଚାଳନାରେ ଖିଲୋଇ ଗ୍ରାମସ୍ଥ ଗଣେଶ ପୂଜା କମିଟୀ କର୍ମକର୍ତ୍ତାମାନେ ସହଯୋଗ କରିଥିବା ବେଳେ ପରିଶେଷରେ ସୁଶାନ୍ତ ପଣ୍ଡିତ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।