ପୁରୁଷୋତ୍ତମପୁର,ରାଜ୍ୟ ସରକାରଙ୍କ “ନୂଆ ଓଡିଶା” କାର୍ଯ୍ୟକ୍ରମ ଅନ୍ତର୍ଗତ “ସାମାଜିକ କର୍ମ ଓ ଗତିବିଧି”ର ଅଂଶ ଭାବେ ତାରା ତାରିଣୀ ମହାବିଦ୍ୟାଳୟ ତରଫରୁ ଏନ୍.ଏ.ସି କାର୍ଯ୍ୟାଳୟ ପରିସରରେ ଏକ “ସ୍ଵଚ୍ଛ ଅଭିଯାନ” କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ସୀମାଞ୍ଚଳ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ବାସୁଦେବ ମହାପାତ୍ର ସଭାପତିତ୍ବ କରିଥିଲେ l

ଏହି କାର୍ଯ୍ୟକ୍ରମରେ ପୁରୁଷୋତ୍ତମପୁର ଏନ୍.ଏ.ସିର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିଯାନକୁ ଉଦଘାଟନ କରିଥିଲେ I ଶ୍ରୀଯୁକ୍ତ ମିଶ୍ର ନିଜର ବକ୍ତବ୍ୟ ମାଧ୍ୟମାରେ ସରକାରଙ୍କ ଏହି ପ୍ରୟାସକୁ ପ୍ରଶଂସା କରିବା ସହ ସ୍ଵଚ୍ଛତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପଟ୍ଟନାୟକ ନିଜର ବକ୍ତବ୍ୟ ମାଧ୍ୟମାରେ “ସ୍ଵଚ୍ଛତା ଅଭିଯାନ” ପାଳନ କରିବାର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ତାର ଉପକାରିତା ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ I

କାର୍ଯ୍ୟକ୍ରମରେ ଚାରି ନଂ ୱାର୍ଡର କାଉନସିଲର ଶ୍ରୀଯୁକ୍ତ ଅଶୋକ କୁମାର ମହାକୁଡ଼, ଯୁବ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ଡ଼କ୍ଟର ପ୍ରବୀର କେଶରୀ ପ୍ରଧାନ, ସାମାଜିକ କାର୍ଯ୍ୟକଳାପ ଶାଖା ଅଧିକାରୀ ଶ୍ରୀଯୁକ୍ତ ଏନ୍ ମୋହନ, ସହଯୋଗୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାୟକ, ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର, ଓଡ଼ିଆ ବିଭାଗର ଅଧ୍ୟାପକ ଡକ୍ଟର ବିପ୍ଳବ ରଞ୍ଜନ ପ୍ରଧାନ, ଆଦି ସମ୍ମାନିତ ଅତିଥିବୃନ୍ଦ ସ୍ଵଚ୍ଛତା ସମ୍ପର୍କରେ ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ଦେଇଥିଲେ I

ପ୍ରଥମେ ଛାତ୍ରଛାତ୍ରୀମାନେ ଏନ୍.ଏ.ସି କାର୍ଯ୍ୟାଳୟ ପରିସରରୁ ଆରମ୍ଭ କରି କନକା ଠାକୁରାଣୀ ଏବଂ ଏନ୍.ଏ.ସି. ଉଦ୍ୟାନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରି, ହାତରେ ପ୍ଲାଗ କାର୍ଡ ଧରି ସ୍ଲୋଗାନ ଦେଇ ପୁରୁଷୋତ୍ତମପୁର ସହରର ଗାନ୍ଧୀ ଛକ, ଗଡ଼ ସାହି ଓ କନକା ସାହି ପରିକ୍ରମା କରିବା ସହ ଘର ଘର ବୁଲି ସ୍ଵଚ୍ଛତା ସମ୍ପର୍କରେ ସଚେତନତା ବାର୍ତ୍ତା ବାଣ୍ଟି ଥିଲେ I ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା “ଝାଡୁ ମାରିଲେ କି ହେବ ସ୍ଵଚ୍ଛ ଭାରତ….” ଏବଂ “ସ୍ଵଚ୍ଛ ଭାରତ ମୋ…” ଦୁଇଟି ସଚେତନ ଧର୍ମୀ ସଙ୍ଗୀତରେ ନୃତ୍ୟ ଏବଂ “ସ୍ଵଚ୍ଛ ଭାରତ” ସମ୍ପର୍କରେ ଏକ ନାଟକ ପରିବେଷଣ କରାଯାଇଥିଲା I

ଏହି ସଭାରେ ସମସ୍ତ ଗ୍ରାମବାସୀବୃନ୍ଦ, ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ଯୋଗଦାନ କରି ସଭାକୁ ସଫଳ କରିଥିଲେ । ପରିଶେଷରେ ଶ୍ରୀଯୁକ୍ତ ଏନ୍ ମୋହନ ଧନ୍ୟବାଦ ଅର୍ପଣ କରିଥିଲେ I
ରିପୋର୍ଟ:ପ୍ରସନ୍ନ କୁମାର ଦାସ
