(କବି ସମ୍ରାଟ ଏବଂ କବିସୂର୍ଯ୍ୟଙ୍କ ସାହିତ୍ୟର ପବିତ୍ର ସନ୍ଧିସ୍ଥଳ ଆସିକା – ମୁଖ୍ୟ ଅତିଥି)
(ଜଗନ୍ନାଥ ଚେତନା ଜାତି,ଧର୍ମ,ବର୍ଣ୍ଣର ସଂକୀର୍ଣ୍ଣତାକୁ ସ୍ବୀକାର କରେ ନାହିଁ – ମୁଖ୍ୟବକ୍ତା)
ଆସିକା ତା ୩୦/୧ : (ଶକ୍ତି ପ୍ରସାଦ କର)ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ନୂଆ-ଓ ର ଅଭିନବ ପରିକଳ୍ପନା ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନାର ଉଦଯାପନୀ ଦିବସ ସମ୍ପର୍ଣ୍ଣ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏବଂ ନୂଆ-ଓ, ନବୀନ ତଥା ଯୁବ ଓଡ଼ିଶା ଯୁକ୍ତ ଦୁଇର ନୋଡ଼ାଲ ଅଫିସର ଡ. ସ୍ମିତାରାଣୀ ପଣ୍ଡାଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମାପନ ହୋଇଯାଇଛି।। ମୁଖ୍ୟ ଅତିଥିରୂପେ ସ୍ବ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅବସର ପ୍ରାପ୍ତ ପ୍ରାଧ୍ୟାପକ ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ, ମୁଖ୍ୟ ବକ୍ତା ରୂପେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟା ଡ. ବିଦ୍ୟୁତପ୍ରଭା ସାହୁ ଯୋଗ ଦେଇଥିଲେ।

ଉଦଯାପନୀ ଅବସରର ପ୍ରାରମ୍ଭରେ କମିଟି ସଦସ୍ୟା ଅଧ୍ୟାପିକା ରଶ୍ମିପ୍ରିୟା କାଲୋ ସମସ୍ତ ଅତିଥିଙ୍କୁ ସ୍ବାଗତ କରିବା ସହ ମଞ୍ଚାସୀନ କରିଥିଲେ। ଆଧ୍ୟାତ୍ମିକବାଦ ସଚ଼େତକ ଧନଞ୍ଜୟ ମହାପାତ୍ରଙ୍କ ବେଦ ପାଠ ଧ୍ବନୀ ଦ୍ବାରା ଅତିଥିଙ୍କ କରକମଳରେ ବିସ୍ମୟ ବିଗ୍ରହ ଜଗନ୍ନାଥଙ୍କ ଚତୁର୍ଦ୍ଧା ମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ।ଓଡ଼ିଆ ଅଧ୍ୟାପିକା ଡ. ସସ୍ମିତା ପାତ୍ର ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ନୋଡାଲ ଅଫିସର ଡ. ପଣ୍ଡା ମହୋଦୟା ଏହି ଉଦଯାପନୀ ଦିବସର ଆଭିମୁଖ୍ୟ ସଂପର୍କରେ ମତ ରଖିଥିଲେ। ମୁଖ୍ୟ ଅତିଥି ପ୍ରଫେସର ପ୍ରଧାନ ଆସିକା ଅଞ୍ଚଳର ପବିତ୍ର ମାଟିକୁ କବିସମ୍ରାଟ ଉପେନ୍ଦ୍ର ଭଂଜ ଓ କବିସୂର୍ଯ୍ୟ ବଳଦେବ ରଥଙ୍କ ଓଡ଼ିଆ ଭାଷା ସାହିତ୍ୟର ସଂନ୍ଧିସ୍ଥଳ ବୋଲି ବିବେଚ଼ନା କରିଛନ୍ତି।

ଏହି ଦୁଇ ମହାନ୍ କବିଙ୍କ ପ୍ରଚେଷ୍ଟାରେ ଓଡ଼ିଆ କାବ୍ୟ ସାହିତ୍ୟରେ ଏକ ଅଫୁରନ୍ତ ସମ୍ଭାର ଓ ପରିଚୟ ସୃଷ୍ଟି ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ। ଜଗନ୍ନାଥଙ୍କ ଦିବ୍ୟ ତଥା ଭବ୍ୟ ବାଣୀ ଉପସ୍ଥାପନ କରିଥିଲେ। ମୁଖ୍ୟବକ୍ତା ଡ. ସାହୁ ଜଗନ୍ନାଥ ଚେତନା କହିଲେ କ’ଣ ବୁଝାଏ ? କେଉଁଥି ପାଇଁ ଏହା ଅନନ୍ୟ ଓ ସ୍ବତନ୍ତ୍ର ? ଏପରି ଜଗନ୍ନାଥ ସଂସ୍କୃତି ମହତ୍ତ୍ବର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ ଏବଂ ଜଗନ୍ନାଥ ଚେତନା କେବେ ହେଲେ ଜାତି ଧର୍ମ ବର୍ଣ୍ଣର ସଂକୀର୍ଣ୍ଣତାକୁ ସ୍ବୀକାର କରେନାହିଁ, ତେଣୁ ମହାପ୍ରଭୁ ଜଗନ୍ନାଥ ନିଜ ଭାଇ ଭଉଣୀଙ୍କୁ ନେଇ ସ୍ବୟଂ ଲକ୍ଷ ଲକ୍ଷ ଭକ୍ତମାନଙ୍କ ଗହଣକୁ ରଥରେ ଯାତ୍ରା କରି ଓହ୍ଲାଇ ଆସନ୍ତି ବୋଲି କହିଥିଲେ। ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପିକା ଡ. ସସ୍ମିତା ପାତ୍ର ୩୨ ଥର ଜଗନ୍ନାଥଙ୍କ ରଥଯାତ୍ରା କାହିଁକି ସମ୍ଭବପର ହୋଇପାରି ନଥିଲା ତାହାର ସଂପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ। ଅଧ୍ୟକ୍ଷ ଡ. ତ୍ରିପାଠୀ ଅଧ୍ୟକ୍ଷ ଭାଷଣରେ ଜଗନ୍ନାଥ ସସ୍କୃତିର ଅବଧାରଣାକୁ କିମ୍ବଦନ୍ତି ମାଧ୍ୟମରେ ଉପସ୍ଥାପନ କରିଥିଲେ।

ପ୍ରଚ୍ଛଦପଟରେ ମୁଖ୍ୟ କର୍ମକର୍ତ୍ତା ରୂପେ ଅଧ୍ୟାପକ ଡ. ଅଜିତ୍ କୁମାର ମୁନୀ ସମସ୍ତ କାର୍ଯ୍ୟକୁ ସୁପରିଚାଳନା କରିଥିଲେ।ଏହି ଅବସରରେ ଓଡ଼ିଆ ଭାଷା ଓ ଜଗନ୍ନାଥ ଚ଼େତନାକୁ ଉଦ୍ଜିବୀତ କରୁଥିବା ଏବଂ ପର୍ଯ୍ୟାୟକ୍ରମେ ଯୁକ୍ତ ଦୁଇ ଓ ତିନି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୬ ଡିସେମ୍ବର ୨୦୨୩ ତାରିଖରୁ ଶ୍ରୀଗଣେଶ ହୋଇଥିବା କବିତା ଲିଖନ, ଗଳ୍ପ ଲିଖନ, କବିତା ପାଠ, ଓଡ଼ିଆ ଗୀତ ଓ ଭଜନ, ସ୍ଳୋଗାନ, ପ୍ରଶ୍ନୋତ୍ତରୀ, ହସ୍ତାକ୍ଷରୀ, ଏକକ ଅଭିନୟ, ଲୋକନୃତ୍ୟ, ସାହିତ୍ୟ ତଥା ଚଳଚିତ୍ର ପ୍ରଦର୍ଶନୀ ଇତ୍ୟାଦି ପ୍ରତିଯୋଗିତା ଗୁଡିକର କୃତି ଛାତ୍ରଛାତ୍ରୀମାନଙ୍କୁ
ମଞ୍ଚାସୀନ ଅତିଥିଙ୍କ କରକମଳରେ ପ୍ରମାଣପତ୍ର ସହ ପୁରସ୍କାର ବିତରଣ କରାଯାଇଥିଲା। କାର୍ଯ୍ୟକାରୀ ସଦସ୍ୟ ରୂପେ ଅଧ୍ୟାପକ ରାଜେଶ୍ କୁମାର ସାହୁ, ସରୋଜ କୁମାର ପଣ୍ଡା, ସୁଧୀର କୁମାର ସାହୁ, ଅଧ୍ୟାପିକା କୁନିକା ଦାଶ ଏବଂ ସମସ୍ତ ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ। ସ୍ବେଚ୍ଛାସେବୀ ଛାତ୍ର ହୃଷିକେଶ୍, କମଳ ଲୋଚନ, ଦୀପକ, ସନ୍ଦୀପ, ହିମାଂଶୁ, ପବନ କୁମାର, ସ୍ମୃତି ରଞ୍ଜନ, ଦୀପକ, ଛାତ୍ରୀ ପୂଜା ସଂଚିତା ଆଦି ମଧ୍ୟ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।
ପରିଶେଷରେ କାର୍ଯ୍ୟକାରୀ ସଦସ୍ୟ ଅଧ୍ୟାପକ ପ୍ରିୟବ୍ରତ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
