ଧରାକୋଟ,26/6/24
ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ଧରାକୋଟ ପଞ୍ଚାୟତର ଘୋଡ଼ାପଲି ଗ୍ରାମରେ ଘଟିଛି ପୁଣି ଏକ ଦାଦନ ଦୁଃଖ ଘଟଣା । ଦୀର୍ଘ ଏକ ବର୍ଷ ପୂର୍ବରୁ କେରଳ କୁ ଦାଦନ ଖଟିବାକୁ ଯାଇଥିବା ଘୋଡ଼ାପଲି ଗ୍ରାମର ବିଦେଶୀ ନାୟକ ଗତ ମେ ମାସ 17 ତାରିଖ ରେ କେରଳ ରୁ ନିଜ ଭିଟାମାଟି କୁ ଟ୍ରେନ ଯୋଗେ ଫେରୁଥିବା ବେଳେ ଚେନ୍ନାଇ ଷ୍ଟେସନ ରେ ନିଖୋଜ ହୋଇ ଯାଇଥିବା ଭଳି ଏକ ଦୁଃଖଦ ଖବର ପରିବାର ଲୋକଙ୍କ ନିକଟରେ ପହଞ୍ଚାଇବା ପରେ ପରିବାର ଲୋକେ ସମ୍ପୂର୍ଣ ମାନସିକ ଭାରସାମ୍ୟ ହରାଇଛନ୍ତି ।

ସଂପୃକ୍ତ ଗ୍ରାମର ଭଗବାନ ନାୟକ ଙ୍କ ପରିବାର କହିଲେ ସ୍ତ୍ରୀ ସଞ୍ଜୁ,ବଡ଼ପୁଅ ରାମ,ସାନପୁଅ ବିଦେଶୀ ଓ ଝିଅ ସାବିତ୍ରୀ । ପରିବାର ର ସମସ୍ତ ସଦସ୍ୟ ଦିନ ମଜୁରିଆ । ଆର୍ଥିକ ଅନାଟନ କୁ ଦୂର କରିବା ପାଇଁ ବଡ଼ପୁଅ ଅନ୍ୟତ୍ର ରହୁଥିବା ବେଳେ ସାନପୁଅ ବିଦେଶୀ 28 ଦାଦନ ଖଟିବାକୁ ଗତ ଏକ ବର୍ଷ ପୂର୍ବରୁ କେରଳ କୁ ଯାଇଥିଲେ । ଗତ ମେ ମାସ 16 ତାରିଖ ଦିନ ନିଜ ଫୋନ ରୁ ପରବର୍ତ୍ତୀ ଦିନ 17 ତାରିଖ ରେ ଘରକୁ ଫେରୁଥିବା ଜଣାଇଥିଲେ । ଏଣୁ ପରିବାର ସଦସ୍ୟଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । କିନ୍ତୁ ପୁଣି ଥରେ ଚେନ୍ନାଇ ଷ୍ଟେସନ ରେ ପୁଅ ନିଖୋଜ ହୋଇଯାଇଥିବା ସୂଚନା ମିଳିବା ପରେ ବାପା ଭଗବାନ ଚେନ୍ନାଇ ଯାଇ ଷ୍ଟେସନ ଓ ଏହାର ଆଖ ପାଖ ଅଞ୍ଚଳକୁ ଯାଇ ଖୋଜା ଖୋଜି କରି ନିରାଶ ହୋଇ ଫେରିଥିଲେ । ଏହା ପରେ ବ୍ରହ୍ମପୁର ଜି ଆର ପି ଥାନା,ସଦର ଥାନା,ବିଶାଖା ପାଟଣା ଜି ଆର ପି ଥାନା,ଚେନ୍ନାଇ ଜି ଆର ପି ଥାନା, ଏର୍ଣାକୁଲମ ଜି ଆର ପି ଥାନା ଓ ଗଞ୍ଜାମ ଜିଲ୍ଲାପାଳ,ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କୁ ଚିଠି ଦ୍ବାରା ଅଭିଯୋଗ କରି ନିଜ ହଜିଲା ପୁଅକୁ ଖୋଜିବା ପାଇଁ ଚାହିଁ ବସିଛନ୍ତି । ହେଲେ ପ୍ରଶାସନ ତରଫରୁ କୌଣସି ତତ୍ପରତା ଦେଖାଯାଉ ନଥିବା ଯୋଗୁଁ ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇ ରହିଛନ୍ତି ।

ଆଜି ଭଗବାନ ନାୟକ ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବୀ ପତ୍ର ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କ ଦ୍ଵାରା ପ୍ରଦାନ କରି ବାବୁ ମୋ ପୁଅକୁ ଖୋଜି ଆଣନ୍ତୃ ବୋଲି ଭାବ ବିହ୍ୱଳ ହୋଇ କହିଥିବା ଦେଖାଯାଇଛି ।
