You are currently viewing ବ୍ରହ୍ମପୁର ଓ ଗୋପାଳପୁର ବାସୀଙ୍କ ପାଇଁ ଡ୍ରିଙ୍କ ଫ୍ରମ ଟ୍ୟାପ କାର୍ଯ୍ୟକ୍ରମର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ।
ବ୍ରହ୍ମପୁର ଓ ଗୋପାଳପୁର ବାସୀଙ୍କ ପାଇଁ ଡ୍ରିଙ୍କ ଫ୍ରମ ଟ୍ୟାପ କାର୍ଯ୍ୟକ୍ରମର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ।

ବ୍ରହ୍ମପୁର , ୨୧/୧୨ – ( ଅମିତ୍ ସାହୁ ) -:- ବ୍ରହ୍ମପୁର ଓ ଗୋପାଳପୁର ବାସୀଙ୍କ ପାଇଁ ଆଜି ଡ୍ରିଙ୍କ ଫ୍ରମ ଟ୍ୟାପ କାର୍ଯ୍ୟକ୍ରମର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି । ସହରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଖେଳପଡ଼ିଆ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଡ୍ରିଙ୍କ ଫ୍ରମ ଟେପ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପିତ କରିଥିଲେ । ଡ୍ରିଙ୍କ ଫ୍ରମ ଟେପ ହେଉଛି ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି କାର୍ଯ୍ୟକ୍ରମ ଦ୍ୱାରା ପାଣି ଯୋଗାଣ ସମୟରେ ହେଉଥିବା ଲିକେଜ ସମସ୍ୟା ରହିବ ନାହିଁ, ଲୋକେ ସ୍ବଚ୍ଛ ପାଣି ପାଇପାରିବେ, ସମୟାନୁକ୍ରମେ ମଧ୍ୟ ଲୋକେ ପାଣି ପାଇପାରିବେ । ଏହା କାର୍ଯ୍ୟକ୍ରମକୁ ୱାଟକୋ କାର୍ଯ୍ୟକାରୀ କରୁଛି । ବର୍ତ୍ତମାନ ବ୍ରହ୍ମପୁର ସହରର ୭ଟି ୱାର୍ଡରେ ଡ୍ରିଙ୍କ ଫ୍ରମ ଟେପ ଆରମ୍ଭ ହୋଇଥିବା ବେଳେ ୯ଟି ୱାର୍ଡରେ ପରୀକ୍ଷାମୂଳକ ଭାବେ ଚାଲୁ ରହିଛି । ଆଉ ୬ ମାସ ମଧ୍ୟରେ ସହରର ସମସ୍ତ ୱାର୍ଡରେ ଡ୍ରିଙ୍କ ଫ୍ରମ ଟେପ ଜରିଆରେ ଜଳ ଯୋଗାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା । ବ୍ରହ୍ମପୁର ସହରରେ ଗ୍ରୀଷ୍ମ ସମୟ ଆରମ୍ଭ ହେବା କ୍ଷଣି ପାଣି ସମସ୍ୟା ଲାଗି ରହୁଥିଲା । ଯାହାଫଳରେ ପାଣି ମାଠିଏ ପାଇଁ ସହରବାସୀଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା । କିନ୍ତୁ ଆସନ୍ତା ଗ୍ରୀଷ୍ମ ଦିନରେ ଆଉ ସହରବାସୀଙ୍କୁ ପାଣି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ପ୍ରତି ଘରକୁ ପାଣି ଡ୍ରିଙ୍କ ଫ୍ରମ ଟେପ ଜରିଆରେ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ଓ ମେୟର । ସେହିପରି ଗୋପାଳପୁର ସହରକୁ ମଧ୍ୟ ଆଜି ଠାରୁ ଡ୍ରିଙ୍କ ଫ୍ରମ ଟେପ ଜରିଆରେ ଜଳ ଯୋଗାଣ କରାଯାଇଛି । ୨୪ ଘଣ୍ଟା ଲୋକଙ୍କୁ ପାଣି ଯୋଗାଇବାରେ ଗୋପାଳପୁର ଦେଶର ଦ୍ବିତୀୟ ସହର । ପୂର୍ବରୁ ଗୋପାଳପୁରରେ ଅଧିକାଂଶ ସମୟରେ ଲୁଣି ପାଣି ମିଳୁଥିଲା । କିନ୍ତୁ ଏବେ ଲୁଣି ପାଣି ପରିବର୍ତ୍ତେ ସ୍ବଚ୍ଛ ଓ ମିଠା ପାଣି ମିଳିବ । ଏହି ଡ୍ରିଙ୍କ ଫ୍ରମ ଟେପ ଯୋଗୁଁ ଲୋକଙ୍କୁ ୨୪ ଘଣ୍ଟିଆ ପାଣି ମିଳିଥିବା ଯୋଗୁଁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ବିଧାୟକ, ମେୟରଙ୍କ ସହ ଡେପୁଟି ମେୟର, ସମସ୍ତ କର୍ପୋରେଟର ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ସାମିଲ ଥିଲେ ।