You are currently viewing ଭିଜିଲାନ୍ସ ଜାଲରେ କୁତ୍ରା ସିଡିପିଓ, ଅଂଗନୱାଡି କର୍ମୀଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ସିଡିପିଓ ଜୟଶ୍ରୀ ପଟ୍ଟନାୟକ
ଭିଜିଲାନ୍ସ ଜାଲରେ କୁତ୍ରା ସିଡିପିଓ, ଅଂଗନୱାଡି କର୍ମୀଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ସିଡିପିଓ ଜୟଶ୍ରୀ ପଟ୍ଟନାୟକ

ରାଜଗାଙ୍ଗପୁର: 02/09/2024 (ଅବଦୁଲ ରଜାକ ଖାନ) :-ସୁନ୍ଦରଗଡ ଜିଲ୍ଲା କୁତ୍ରା ଠାରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ କାର୍ଯ୍ୟରତ ସିଡିପିଓ ଆଜି ନିଜ କାର୍ଯ୍ୟାଳୟରେ ଜଣେ ଅଂଗନୱାଡି କର୍ମୀଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି।

ଘଟଣାରୁ ଜଣାପଡିଛି ଯେ ସିଡିପିଓ ଜୟଶ୍ରୀ ପଟ୍ଟନାୟକ ୨ ବର୍ଷ ହେବ କୁତ୍ରା ଆଇସିଡିଏସ କାର୍ଯ୍ୟାଳୟର ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। କିଛି ଦିନ ପୂର୍ବରୁ ତେଲିଘଣା ଗଉନ୍ତିଆ ପଡା ଅଂଗନୱାଡି କେନ୍ଦ୍ରକୁ ପରିଦର୍ଶନରେ ଯାଇଥିବା ବେଳେ ସେଠାରେ କାର୍ଯ୍ୟରତ ଅଂଗନୱାଡି କର୍ମୀ କ୍ଲୋଷ୍ଟିକା ଖାଲଖୋ କୁତ୍ରା କାର୍ଯ୍ୟାଳୟକୁ ମିଟିଂ କାର୍ଯ୍ୟରେ ଯାଇଥିବାରୁ ଉପସ୍ଥିତ ନଥିବା ସହ ଅଂଗନୱାଡିରେ ପଢୁଥିବା ପ୍ରିସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥାନ ସେଦିନ କମ ଥିବା ଦେଖି ଏଥିପାଇଁ ପରେ ଅଂଗନୱାଡି କର୍ମୀଙ୍କୁ କାର୍ଯ୍ୟାଳୟକୁ ଡାକି ବିଭିନ୍ନ ଆଳରେ ଭୟ ଦେଖାଇ ୫ ହଜାର ଟଙ୍କା ତଥା ହେକ୍ଟର ସୁପରଭାଇଜର ମଧ୍ୟ ୨ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ନେଇ ଅଂଗନୱାଡି କର୍ମୀ କ୍ଲୋଷ୍ଟିକା ପ୍ରକାଶ କରିଛନ୍ତି।

ହେଲେ ସେ ଗରିବ ହୋଇଥିବାରୁ ୫ ହଜାର ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ଶେଷରେ ୨ ହଜାର ଟଙ୍କା ନେବାପାଇଁ ସିଡିପିଓ ରାଜି ହୋଇଥିବା ବେଳେ ଟଙ୍କା ପରେ ଆଣିଦେବି ବୋଲି କହିଥିଲେ। ଏନେଇ ରାଉରକେଲା ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ସେ ଅଭିଯୋଗ କରିବା ପରେ ଆଜି ଅପରାହ୍ନ ସାଢେ଼ ଚାରିଟା ସମୟରେ ଯୋଜନା ମୁତାବକ ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରଲେପ ଦିଆଯାଇଥିବା ୨ ହଜାର ଟଙ୍କା ସଂପୃକ୍ତ ଅଂଗନୱାଡି କର୍ମୀ ସିଡିପିଓ ଜୟଶ୍ରୀ ପଟ୍ଟନାୟକଙ୍କୁ ଦେଇଥିଲେ। ଏହି ସମୟରେ ଅପେକ୍ଷାରତ ଭିଜିଲାନ୍ସ ବିଭାଗ ଡିଏସପି ମାନସ ପ୍ରଧାନଙ୍କ ନେତୃତ୍ୱରେ ୬ ଜଣିଆ ଟିମ ସିଡିପିଓ ନେଇଥିବା ଲାଂଚ ଟଙ୍କା ସହ ଧରିଥିଲେ।ପରେ ତାଙ୍କୁ ରାଉରକେଲା ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇ ଅଧିକ ତଦନ୍ତ ଚାଲିଥିବା ବେଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ସିଡିପିଓ ଜୟଶ୍ରୀ ପଟ୍ଟନାୟକଙ୍କ ରାଜଗାଙ୍ଗପୁର ଲିପଲୋଇ ସ୍ଥିତ ପୈତୃକ ବାସଭବନରେ ଚଢ଼ାଉ ଜାରି ରହିଛି।

ଏହି ଚଢାଉ ସମୟରେ ସେଠାରୁ ନଗଦ ୪୨ ହଜାର ଟଙ୍କା, ଲକ୍ଷାଧିକ ଟଙ୍କାର ସୁନାଗହଣା,ପାସବୁକ ଆଦି ଭିଜିଲାନ୍ସ ହାତରେ ଲାଗିଥିବା ଜଣାପଡିଛି। ଖବର ଲେଖା ହେବା ବେଳକୁ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ ଜାରି ରଖିଛି।