You are currently viewing ସହକାରୀ ଭେଷଜ ନିୟନ୍ତ୍ରକଙ୍କୁ ପିଏଚଡ଼ି ସମ୍ମାନ
ସହକାରୀ ଭେଷଜ ନିୟନ୍ତ୍ରକଙ୍କୁ ପିଏଚଡ଼ି ସମ୍ମାନ

ଭୁବନେଶ୍ୱର – ଡ଼ା. ଲଲିତ କୁମାର ସାହୁଙ୍କୁ ତାଙ୍କର ଗବେଷଣା ପ୍ରବନ୍ଧ “ଆଣ୍ଟିଡାଇବେଟିକ୍ ଔଷଧ ପାଇଁ ନୂତନ ଗୁଣବତ୍ତା ପରୀକ୍ଷା ପଦ୍ଧତିର ବିକାଶ” ପାଇଁ ଶିକ୍ଷା ‘ଓ’ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ, ଭୁବନେଶ୍ୱର ତରଫରୁ ଫାର୍ମାସିଉଟିକାଲ ସାଇନ୍ସରେ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି। ପ୍ରଫେସର ସୁଦାମ୍ ସୀ ଙ୍କ ତତ୍ବାବଧାନରେ ତାଙ୍କ ଗବେଷଣାକାର୍ଯ୍ୟ ମାଲେସିଆର ଆଇଏମୟୁ ବିଶ୍ୱବିଦ୍ୟାଳୟର ଡିନ୍ ପ୍ରଫେସର ଓଙ୍ଗ ଚିନ୍ ଏଙ୍ଗ୍ ଏବଂ ଦିଲ୍ଲୀ ଫାର୍ମାସିଉଟିକାଲ ସାଇନ୍ସ ଏଣ୍ଡ୍ ରିସର୍ଚ୍ଚ ୟୁନିଭର୍ସିଟିର ପ୍ରଫେସର ଶରଦ୍ ୱାକୋଡେ ଙ୍କ ଦ୍ୱାରା ପରୀକ୍ଷା ଓ ପ୍ରଶଂସିତ କରାଯାଇଥିଲା।
ଡ଼ା. ସାହୁ ଏବେ ସ୍ୱାସ୍ଥ୍ୟ ଏବଂ ପରିବାର କଳ୍ୟାଣ ବିଭାଗ, ଓଡିଶା ସରକାରଙ୍କ ଅଧୀନରେ ବ୍ରହ୍ମପୁର ଠାରେ ଦକ୍ଷିଣାଞ୍ଚଳ ସହକାରୀ ଭେଷଜ ନିୟନ୍ତ୍ରକ ଭାବେ କାର୍ଯ୍ୟରତ ଅଛନ୍ତି। ଓଡିଶାରେ ଡ୍ରଗ୍ସ ଆକ୍ଟ କଠୋର ପ୍ରବର୍ତ୍ତନ କରିବାରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଛି ଏବଂ ଏକାଧିକ ବିଜୟୀ ମକଦ୍ଦମା ରାଜ୍ୟ ପାଇଁ ସୁରକ୍ଷିତ କରିବାରେ ସଫଳ ହୋଇଛନ୍ତି।
ଡ଼ା. ସାହୁଙ୍କ ଗବେଷଣା ପ୍ରବନ୍ଧ ୧୫ ରୁ ଅଧିକ ପ୍ରତିଷ୍ଠିତ ଜାତୀୟ ଓ ଅନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶିତ ହୋଇଛି। ସେ ଇଣ୍ଡିଆନ୍ ଫାର୍ମାସି ଗ୍ରାଜୁଏଟ୍ସ୍ ଆସୋସିଏସନ୍ (IPGA) ଓଡ଼ିଶା ଶାଖାର ସଭାପତି, ଓଡ଼ିଶା ଡ୍ରଗ୍ସ କଣ୍ଟ୍ରୋଲ ଅଫିସର୍ସ୍ ଆସୋସିଏସନ୍ ର ପୂର୍ବତନ ସାଧାରଣ ସମ୍ପାଦକ ଓ ଇଣ୍ଡିଆନ୍ ଫାର୍ମାସିୟୁଟିକାଲ ଆସୋସିଏସନ୍ (IPA) ଓ ଡ୍ରଗ୍ସ କଣ୍ଟ୍ରୋଲ ଅଫିସର୍ସ୍ ୱେଲଫେୟାର ଆସୋସିଏସନ୍ (DCOIWA)-ର ଆଜୀବନ ସଦସ୍ୟ ଭାବରେ ମାନ୍ୟତା ପ୍ରାପ୍ତ।

ଡ଼ା. ସାହୁ ନୟାଗଡ଼ ଜିଲ୍ଲାର ଆଡଚେର ଗ୍ରାମର ଶ୍ରୀମତୀ ସୁଷମା ରାଣୀ ସାହୁ ଓ ଶ୍ରୀ ଅରଖିତ ସାହୁଙ୍କ ପୁତ୍ର। ତାଙ୍କର ପତ୍ନୀ ଶ୍ରୀମତୀ ଶୀଲା ରାଣୀ ସାହୁ ଓଡିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗରେ ଆଥିର୍କ ପରାମର୍ଶଦାତା ଭାବରେ କାର୍ଯ୍ୟରତ। ତାଙ୍କ ପୁତ୍ର ସୋହମ୍ ଏହିବର୍ଷ ଆଇଆଇଟି ମୁମ୍ବାଇରେ ଭର୍ତ୍ତି ହୋଇଥିବା ଓଡ଼ିଶାର ବିରଳ ଛାତ୍ର ମାନଙ୍କ ମଧ୍ୟରେ ରହିଛନ୍ତି।