ବେଲଗୁଣ୍ଠା, 06/01, ଗତ ଡିସେମ୍ବର ମାସ ତେର ତାରିଖରେ ଖାରୀଗୁଡ଼ାରୁ ବଡ଼ବୋର୍ସିଂ ରାସ୍ତାରେ କାଳିଆଗୁଡା ଗ୍ରାମର ଡ଼ାକ୍ତର ରାଉତଙ୍କ ପୁଅ ଅମର ରାଉତଙ୍କୁ ଆକ୍ରମଣ କରି ହତ୍ୟା କରିବା ଘଟଣାରେ ପୂର୍ବରୁ ଗାଙ୍ଗପୁର ପୋଲିସ୍ ତିନିଜଣଙ୍କୁ କୋର୍ଟଚାଲାଣ କରିଥିବା ବେଳେ ଆଜି ଆଉ ତିନି ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି I ଆଜି କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତମାନେ ହେଲେ ବିକାଶ୍ ବିଷୋୟୀ, ରୋହିତ୍ ସ୍ୱାଇଁ ଏବଂ ଜଗନ୍ନାଥ ସ୍ୱାଇଁ I ପୂର୍ବରୁ ପୋଲିସ୍ ଏହି ମାମଲାରେ ବଡ଼ ବୋର୍ସିଂ ଗ୍ରାମର ସୌମ୍ୟରଞ୍ଜନ ମହାପାତ୍ର ଓରଫ ରାଜା ମାଳି(30), ଦୀପକ୍ କୁମାର ପ୍ରଧାନ ଓରଫ ପିଣ୍ଟୁ (29) ଏବଂ ସୁରେଶ କୁମାର ଭୋଳ ଓରଫ ମୁନା ଗିରଫ କରି କୋର୍ଟଚାଲାଣ କରିଥିଲା I ସୂଚନା ଥାଉ କି ଗତ ଡ଼ିସେମ୍ବର ମାସ ତେର ତାରିଖ ରାତିରେ କାଳିଆଗୁଡ଼ା ଗ୍ରାମର ଡ଼ାକ୍ତର ରାଉତଙ୍କ ପୁଅ ଅମର ରାଉତ ଏବଂ ଅମରର ସାଙ୍ଗ ଶିବରାମ ପ୍ରଧାନଙ୍କୁ କିଛି ଯୁବକ ଘରୁ ଡାକି ନେଇ ଖାରୀଗୁଡା-ବଡ଼ବୋର୍ସିଂ ରାସ୍ତାରେ ମରଣାନ୍ତକ ଆକ୍ରମଣ କରିଥିଲେ I ଏହି ଆକ୍ରମଣ ଘଟଣାରେ ଅମର ମୃତ୍ୟୁ ବରଣ କରିଥିବା ବେଳେ ଶିବରାମ ଗୁରୁତର ଆହତ ହୋଇଥିଲେ I ଏନେଇ ଅମରଙ୍କ ବାପା ଡ଼ାକ୍ତରଙ୍କ ଅଭିଯୋଗ ପ୍ରକାରେ ଗାଙ୍ଗପୁର ପୋଲିସ୍ 606/22 ରେ ଏକ ମାମଲା ରୁଜୁ କରିବା ସହ ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ଘଟଣାର ତଦନ୍ତ ଆରମ୍ଭ କରିଥିଲେ I ଏନେଇ ପୋଲିସ୍ ଘଟଣାରେ ସମ୍ପୃକ୍ତ ସୌମ୍ୟରଞ୍ଜନ,ଦୀପକ ଏବଂ ସୁରେଶ୍ କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଦୁଇଟି ମୋଟରସାଇକେଲ୍ ଏବଂ ହତ୍ୟାରେ ବ୍ୟବହୃତ ଲୁହା ଜ୍ଯାକ୍ ରଡ୍ ଓ କାଠ ଖଣ୍ଡ ଜବତ କରିଥିଲା I ଆଜି ପୁଣି ପୋଲିସ୍ ବିକାଶ୍, ରୋହିତ୍ ଏବଂ ଜଗନ୍ନାଥକୁ ଗିରଫ କରି ଆସିକା କୋର୍ଟଚାଲାଣ କରିଛି I ଏହାସହିତ ଘଟଣାରେ ସମ୍ପୃକ୍ତି ନେଇ ଗତ 2015 ମସିହାରେ ଧରାକୋଟ ଅଞ୍ଚଳରେ ଏକ ହତ୍ୟାକାଣ୍ଡ ମାମଲାରେ ଆସିକା ଜେଲ୍ ରେ ସଜା କାଟୁଥିବା ଜିତୁ ଜେନାକୁ ରିମାଣ୍ଡରେ ଆଣି ପଚରାଉଚୁରା କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ପ୍ରକାଶ କରିଛନ୍ତି I
ରିପୋର୍ଟ-ଶିବରାମ ଚୌଧୁରୀ
