ସାନଖେମୁଣ୍ଡି ୨୪/୮ ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ଡେଙ୍ଗାଓସ୍ତା ଗ୍ରାମରେ ଥିବା ସାହାରା ନର୍ସିଂ ହୋମରେ ଗତ ୧୧ ମଇରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଦ୍ଵାରା ଜଣେ ପ୍ରସୂତି ମହିଳା ଏବଂ ଜନ୍ମିତ ଶିଶୁର ମୃତ୍ୟୁ ଘଟଣାରେ ପୋଲିସ କ୍ଳିନିକ ମାଲିକଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ମାଲିକ ଜଣକ ହେଲେ ଡେଙ୍ଗାଉସ୍ତା ଗ୍ରାମର ମଙ୍ଗୁଳୁ ଚରଣ ପ୍ରଧାନ (୩୫) । ପୋଲିସ ଏହି ଘଟଣାରେ ପୂର୍ବରୁ ଦୁଇ ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରମୋଦିନୀ ଗମାଙ୍ଗ ଏବଂ ମଧୁମିତା ପଟ୍ଟନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଖବରନୁଯାୟୀ , ଡେଙ୍ଗାଓସ୍ତା ଗ୍ରାମ ନିକଟସ୍ଥ ସିଙ୍ଗିପୁର ଗ୍ରାମର ମାଗୁଣି ନାୟକଙ୍କ ଝିଅ ରୋଜି ନାୟକ ହିଞ୍ଜିଳି ଥାନା କରାଖଣ୍ଡି ଗ୍ରାମର ବାବୁ ନାୟକଙ୍କୁ ବିବାହ କରିଥଲେ । ମେ ୧୧ ତାରିଖରେ ରୋଜି ୯ ମାସର ଗର୍ଭବତୀ ଥିବା ବେଳେ ପେଟରେ ଯନ୍ତ୍ରଣା ହେବାରୁ ବାପା ଘର ଲୋକେ ତାଙ୍କୁ ଗ୍ରାମ ନିକଟସ୍ଥ ଏହି ନର୍ସିଂ ହୋମକୁ ଚିକିତ୍ସା ପାଇଁ ଆଣିଥିଲେ । ତେବେ ଉକ୍ତ କ୍ଳିନିକରେ କୈାଣସି ଅଭିଜ୍ଞ ଡାକ୍ତର ନଥିବା ସତ୍ତ୍ଵେ ଉପସ୍ଥିତ ସ୍ବାସ୍ଥ୍ୟକର୍ମୀ ପ୍ରମୋଦିନୀ ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ । ଚିକିତ୍ସାର ୪ ଘଣ୍ଟା ପରେ ପ୍ରସବ ଯନ୍ତ୍ରଣା ଅତ୍ୟଧିକ ହେବାରୁ ଉପ ସ୍ବାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଏ ଏନ୍ ଏମ୍ ମଧୁମିତା ଦିଦି ଉକ୍ତ ନର୍ସିଂ ହୋମକୁ ଆସିଥିଲେ । ଏହାପରେ ଦୁଇ ମହିଳା ସ୍ବାସ୍ଥ୍ୟକର୍ମୀ ସମେତ କ୍ଲିନିକ୍ ମାଲିକ ମଙ୍ଗୁଳୁ ଚରଣ ପ୍ରଧାନ ମିଶି ପ୍ରସବ କରାଇବା ନିମନ୍ତେ ରୋଜିଙ୍କ ପରିବାରକୁ କହିଥିଲେ । ସେଠାରେ ତାଙ୍କ ପ୍ରସବ ପରେ ସନ୍ଧ୍ୟା ସମୟରେ ଏକ ମୃତ ଶିଶୁପୁତ୍ର ଜନ୍ମ ହେବା ସହ ରୋଜିଙ୍କ ପ୍ରଚୁର ରକ୍ତସ୍ରାବ ଯୋଗୁଁ ଅବସ୍ଥା ଗମ୍ଭୀର ହୋଇଯାଇଥିଲା । ତେବେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାରର କିଛି କ୍ଷଣକ ମଧ୍ୟରେ ରୋଜିଙ୍କ ମୃତ୍ୟୁ ହୋଇଯାଇଥିଲେ ମଧ୍ୟ ତାଙ୍କରି ଅବସ୍ଥା ଗୁରୁତର କହି ଦିଗପହଣ୍ଡି ମେଡିକାଲ ନେବାକୁ ପରିବାରକୁ କହିଥିଲେ । କିନ୍ତୁ ପରିବାର ସଦସ୍ୟ ରୋଜିଙ୍କୁ ବ୍ରହ୍ମପୁର ବଡ ମେଡିକାଲ ନେଇଯାଇଥିଲେ । ଉପସ୍ଥିତ ଡାକ୍ତର ରୋଜିଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାପରେ ନର୍ସିଂ ହୋମରେ ଚାପା ଉତ୍ତେଜନା ଦେଖାଦେଇଥିଲା । ଅପରପକ୍ଷରେ ମୃତକଙ୍କ ସ୍ବାମୀ ବାବୁ ମେ ୧୩ ରେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲିସ କେସ୍ ନଂ ୧୭୪/୨୫ ପ୍ରକାରେ ମକଦ୍ଦମା ରୁଜୁ ତଦନ୍ତ ଆରମ୍ଭ କରିବା ସହ ଦୁଇ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଗିରଫ କରିଥିଲା । ଏନେଇ ପୂର୍ବରୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ ନର୍ସିଂ ହୋମକୁ ସିଲ୍ କରାଯାଇଥିଲା । ଏଥିସହ ଗତ ଅଗଷ୍ଟ ୮ ରେ ଅଭିଯୁକ୍ତ ମଙ୍ଗୁଳୁଙ୍କ ନାମରେ ମୃତ ରୋଜିଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଥାନା ମକଦ୍ଦମା ନଂ ୨୮୪/୨୫ ଅନୁସାରେ ଆଉ ଏକ ମାମଲା ଯୋଡ଼ି ହୋଇଥିଲା । ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରି ମଙ୍ଗୁଳୁ ଥାନାରୁ କେସ୍ ଉଠାଇକୁ ଧମକ ଦେଇଥିଲା । ଘଟଣା ଦିନରୁ ଅଭିଯୁକ୍ତ ମଙ୍ଗୁଳୁ ଫେରାର ରହିଥିବା ବେଳେ ପୋଲିସ ଉଭୟ ମାମଲାକୁ ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଗତକାଲି ପୋଲିସ ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକିଂ କରି ଦିଗପହଣ୍ଡି ଥାନା ଅଞ୍ଚଳରୁ ଗିରଫ କରିଥିଲା । ରବିବାର ଅପରାହ୍ନରେ ମଙ୍ଗୁଳୁଙ୍କୁ ଥାନା କେସ୍ ନଂ ୧୭୪/୨୫ ପ୍ରକାରେ କୋର୍ଟ ଚାଲାଣ କରିଥିଲା । ତେବେ ଜାମିନ ଆବେଦନ ଖାରଜ ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।
