You are currently viewing ଏସଡିଜେଏମ କୋର୍ଟରେ ମଦ୍ୟପ ବ୍ୟକ୍ତିଙ୍କ ଉନ୍ମତକାଣ୍ଡ
ଏସଡିଜେଏମ କୋର୍ଟରେ ମଦ୍ୟପ ବ୍ୟକ୍ତିଙ୍କ ଉନ୍ମତକାଣ୍ଡ

ଛୁରୀ ଦେଖାଇ ଏସଡିଜେଏମଙ୍କୁ ହତ୍ୟା ଧମକ,ଯୁବକ ଗିରଫ

ବ୍ରହ୍ମପୁର,୨୮/୧୧/୨୨/: ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଘଟିଛି ଅଭାବନୀୟ ଘଟଣା । ଏସଡିଜେଏମ କୋର୍ଟ ମଧ୍ୟରେ ଛୁରି ସାହାଯ୍ୟରେ ଏସଡିଜେଏମଙ୍କୁ ଆକ୍ରମଣ ଉଦ୍ୟମ କରିବା ସହ ହତ୍ୟା ଧମକ ଦେଇଥିବା ମାମଲା ବୈଦ୍ୟନାଥପୁର ଥାନା ପୁଲିସ ଜଣେ ଯୁବକ ଗିରଫ କରିଛି । ସେ ହେଲେ ବଡ଼ ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ଅଞ୍ଚଳର ଜେମା ଦେବୀ ସାହିର ଭଗବାନ ସାହୁ ।ଆଜି ପୁଲିସ କେସ ନଂ ୨୦୫/୨୨ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ବ୍ରହ୍ମପୁର ଏସପି ଡ଼ ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ହତ୍ୟା ଉଦ୍ୟମ , ଡକାୟତ ଭଳି ବଡ ବଜାର ଥାନାରେ ୩ଟି ମାମଲା ଏବଂ ବୈଦ୍ୟନାଥପୁର ଥାନାରେ ଗୋଟିଏ ମାମଲା ରହିଥିବା ପୁଲିସ କହିଛନ୍ତି । ସୂଚନାଯୋଗ୍ୟ ଯେ ସୋମବାର ପୂର୍ବାହ୍ନରେ ଏସଡିଜେଏମ୍‍ଙ୍କ କୋର୍ଟରେ ଏସଡିଜେଏମ୍‍ ନିଜେ ଡାଏସ୍‍ରେ ବସିଥିବା ବେଳେ ଅନ୍ୟ କର୍ମଚାରୀମାନେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ଥ ଥିଲେ। ସେହି ସମୟରେ ପୁରୁଣା ବ୍ରହ୍ମପୁର ସହରର ଅଭିଯୁକ୍ତ ଭଗବାନ ସାହୁ ପ୍ରଚୁର ମଦ୍ୟପାନ କରି କୋର୍ଟ ପରିସରରେ ପଶିଥିଲେ। ଡାଏସ୍‍ରେ ଏସଡିଜେଏମ୍‍ ବସିଥିବା ବେଳେ କିରାଣୀ ଜଣକ ତଳେ ନିଜ କାର୍ଯ୍ୟ କରୁଥିଲେ। ଏହି ସମୟରେ କିରାଣୀ ଅଭିରାମଙ୍କୁ ଅଭିଯୁକ୍ତ ଭଗବାନ ନମସ୍କାର କରି ସେହି ରାସ୍ତା ଦେଇ ଏସଡିଜେଏମ୍‍ ପ୍ରଜ୍ଞା ପରିମିତାଙ୍କ ଡାଏସ୍‍ ଉପରକୁ ଯାଇ ଏକ ବଡ ଛୁରୀ ଦେଖାଇ ଧମକ ଦେବା ଆରମ୍ଭ କରିଥିଲା। ଏସଡିଜେଏମ୍‍ ଚିତ୍କାର କରିବା ଆରମ୍ଭ କରିଥିଲେ। ଏପରିକି ନିଜେ ମାନସିକସ୍ତରରେ ଭୟଭୀତ ହୋଇ ଡାଏସ୍‍ ଉପରୁ କିରାଣୀଙ୍କ ଟେବୁଲ ଉପରକୁ ଲମ୍ଫ ମାରିଥିଲେ। ସେଠାରେ ଥିବା କିରାଣୀ ଅଭିରାମ ଓ ଆଇନଜୀବୀ ମୃତୁଞ୍ଜୟ ଏସଡିଜେଏମ୍‍ଙ୍କୁ ସୁରକ୍ଷା ଦେଇ ତୁରନ୍ତ ତାଙ୍କ ଚାମ୍ବରକୁ ନେଇ ଯାଇଥିଲେ। ଏହି ସମୟରେ କୋର୍ଟ ପରିସରରେ ଝାଡୁଦାର କାର୍ଯ୍ୟ ତଦାରଖ କରୁଥିବା ଶଙ୍କର ରାଓ ଉକ୍ତ ଯୁବକ ଭଗବାନଙ୍କୁ କାବୁ କରିବା ସହ ତାଙ୍କ ହାତରୁ ଛୁରୀ ଛଡାଇଥିଲେ। ପରେ ସିଏସଆଇ ଷ୍ଟାଫ୍‍ ଓ ଆଇନଜୀବୀମାନେ ଆସି ଭଗବାନଙ୍କୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିଲେ।