You are currently viewing ନବରଙ୍ଗପୁର ଠାରେ ବିହନ ଉତ୍ପାଦକମାନଙ୍କୁ ନେଇ ବୈଠକଅଣସ୍ୱୀକୃତିପ୍ରାପ୍ତ ବିହନ କମ୍ପାନୀମାନଙ୍କ ବିହନ ବିକ୍ରି ରୋକିବାକୁ ଗୁରୁତ୍ୱ
ନବରଙ୍ଗପୁର ଠାରେ ବିହନ ଉତ୍ପାଦକମାନଙ୍କୁ ନେଇ ବୈଠକଅଣସ୍ୱୀକୃତିପ୍ରାପ୍ତ ବିହନ କମ୍ପାନୀମାନଙ୍କ ବିହନ ବିକ୍ରି ରୋକିବାକୁ ଗୁରୁତ୍ୱ

ନବରଙ୍ଗପୁର, ୨୨.୫.୨୦୨୫:
ନବରଙ୍ଗପୁର ଜିଲ୍ଲା କୃଷି ବିଭାଗ ତରଫରୁ ଗତ କାଲି ୨୧.୫.୨୦୨୫ ରିଖ ଦିନ ସ୍ୱୀକୃତି ପ୍ରାପ୍ତ ବିହନ ଉତ୍ପାଦନକାରୀ କମ୍ପାନୀମାନଙ୍କର ପ୍ରତିନିଧିମାନଙ୍କୁ ନେଇ ଏକ ଜରୁରୀ ବୈଠକ ନବରଙ୍ଗପୁର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ବିହନ କମ୍ପାନୀ ମାନଙ୍କର ୩୫ ଜଣ ପ୍ରତିନିଧି ସହିତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ପ୍ରତିନିଧି ପ୍ରଣୟ କୁମାର ମନ୍ତ୍ରୀ, କୃଷି ଜିଲ୍ଲା ଅଧିକାରୀ ନବରଙ୍ଗପୁର ଓ ପାପଡାହାଣ୍ଡି, ଉମରକୋଟ ତଥା ଯୋଜନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକରେ ଚଳିତ ଖରିଫ ଋତୁ-୨୦୨୫ ନିମନ୍ତେ ଚାଷୀମାନଙ୍କୁ ସଠିକ ମାନର ବିହନ ଅଧିକୃତ ବିହନ କମ୍ପାନୀ ମାନଙ୍କ ଦ୍ୱାରା ଲେମ୍ପସ ଏବଂ ସ୍ୱୀକୃତି ପ୍ରାପ୍ତ ବିହନ ବ୍ୟବସାୟୀଙ୍କୁ ଠିକ ସମୟରେ ଯୋଗାଇ ଦେବା ନିମନ୍ତେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାରେ ଧାନ ଓ ମକା ଚାଷ ମୁଖ୍ୟ ହୋଇଥିବାରୁ ଏବଂ ଚାଷୀମାନଙ୍କ ଦ୍ୱାରା ଶଙ୍କର ଜାତୀୟ ବିହନ ପ୍ରତି ଅଧିକ ଆଗ୍ରହ ଥିବାରୁ ଚାଷୀମାନଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଇ ବିହନ ଯୋଗାଣ କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା। ଅଣସ୍ୱୀକୃତି ପ୍ରାପ୍ତ କମ୍ପାନୀ ମାନଙ୍କର ବିହନ କୌଣସି ପରିସ୍ଥିତି ରେ ବିକ୍ରୟ କରାଯିବ ନାହିଁ। ଯଦି କୌଣସି ସ୍ଥାନରେ ଅନିୟମିତତା ପରିଲକ୍ଷିତ ହୁଏ ତେବେ ନିୟମ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲ୍ଲାରେ ଚଳିତ ଖରିଫ ଋତୁରେ ୬୯୦୦୦ ହେକ୍ଟର ଜମିରେ ଶଙ୍କର ଜାତୀୟ ମକା ଚାଷ ହେବ ଏବଂ ୪୫୦୦୦ ହେକ୍ଟର ଜମି ରେ ଶଙ୍କର ଜାତୀୟ ଧାନ ଚାଷ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଛି । ସ୍ୱୀକୃତି ପ୍ରାପ୍ତ କମ୍ପାନୀ ମାନଙ୍କର ତରଫରୁ ସଠିକ ବିହନ ଠିକ ସମୟରେ ସୁଲଭ ମୂଲ୍ୟରେ ଚାଷୀ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଏବଂ ବ୍ଲକ୍ ସ୍ତରୀୟ ଏନଫୋର୍ସମେଣ୍ଟ ସ୍କୁଆଡ ଗଠନ କରାଯାଇଅଛି, ଯେଉଁ ମାନେ ଜିଲ୍ଲାରେ ବିକ୍ରୟ କରୁଥିବା ଯେ କୌଣସି ସାର/ବିହନ/କୀଟନାଶକ ର ଯେ କୌଣସି ଅଧିକୃତ ବିକ୍ରେତାଙ୍କ ଦୋକାନରେ ବିନା ନୋଟିସରେ ଚଢାଉ କରି ଆବଶ୍ୟକ ଆଇନଗତ କାର୍ଯ୍ୟନୁଷ୍ଠାନ ତତକ୍ଷଣାତ୍ ନେଇ ପାରିବେ।